କଟକ: ବାରବାଟୀ ଷ୍ଟାଡିୟମରେ କ୍ରିକେଟ ଖେଳାଯିବା ପୂର୍ବରୁ ଏଠାରେ ଫୁଟବଲ, ହକି ଓ ଦୌଡ଼କୁଦ ପ୍ରତିଯୋଗିତା ଅଧିକ ହେଉଥିଲା। ତେଣୁ ଷ୍ଟାଡିୟମକୁ ଆନ୍ତର୍ଜାତିକମାନର କରିବା ପାଇଁ ଏବ˚ ଅଧିକ ଆକର୍ଷଣୀୟ କରିବା ପାଇଁ ଏଠାରେ ଏକ ସୁଡଙ୍ଗ ନିର୍ମାଣ କରାଯାଇଥିଲା। ହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ତିଆରି କରାଯାଇଥିଲା, ପର୍ଯ୍ୟାୟକ୍ରମେ ଖେଳାଳିଙ୍କ ସୁରକ୍ଷା ଦିଗରେ ଏହା ପ୍ରତିବନ୍ଧକ ସାଜିଥିଲା। ଯେଉଁଥିପାଇଁ ଏହି ସୁଡ଼ଙ୍ଗକୁ ପୋତି ଦିଆଯାଇଥିଲା। ଏବେ ବି ଏହି ଷୁଡଙ୍ଗ ଷ୍ଟାଡିୟମ ଗ୍ୟାଲେରି ତଳେ ରହିଥିଲା ବେଳେ ସବୁଦିନ ପାଇଁ ଏହାର ମୁହଁକୁ ବନ୍ଦ କରି ଦିଆଯାଇଛି।

Advertisment

publive-image

୧୯୬୪ ମସିହାରେ ଭୈରବ ମହାନ୍ତି ରୁଷ୍‌ ଯାଇଥିବାବେଳେ ମସ୍କୋସ୍ଥିତ ଡାଏନାମୋ ଷ୍ଟାଡିୟମରେ ଥିବା କ୍ରୀଡ଼ାବିତ୍‌ଙ୍କ ସୁଡ଼ଙ୍ଗ ଦେଖି ଏଥିପ୍ରତି ଆକୃଷ୍ଟ ହୋଇଥିଲେ। ଏବେ ବି ଅନେକ ଫୁଟବଲ ଷ୍ଟାଡିୟମରେ ସୁଡଙ୍ଗ ଦେଇ ଖେଳାଳିମାନେ ଷ୍ଟାଡିୟମକୁ ଆସୁଛନ୍ତି। ତେଣୁ ସେହି ଧାରାରେ ବାରବାଟୀରେ ମଧ୍ୟ କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ସୁଡ଼ଙ୍ଗ ନିର୍ମାଣ କରିବାକୁ ସେ ଚିନ୍ତା କରିଥିଲେ। ୧୯୬୯ ମସିହାରେ ୭୩ ହଜାର ୨୦୦ ଟଙ୍କା ବ୍ୟାୟରେ ସେତେବେଳର ୩ ନମ୍ବର ଗ୍ୟାଲେରି ଏବ˚ ବର୍ତ୍ତମାନର ନିଉ ପାଭିଲିଅନ୍‌ ତଳେ ଏହାକୁ ନିର୍ମାଣ କରାଯାଇଥିଲା। ଏହି ସୁଡଙ୍ଗର ଗୋଟିଏ ମୁହଁ ଷ୍ଟାଡିୟମ ପଡ଼ିଆକୁ ଲାଗିଥିଲାବେଳେ ଅନ୍ୟଏକ ମୁହଁ ବର୍ତ୍ତମାନର ଓସିଏ କ୍ଲବ୍‌ର ଗେଟ୍‌ ତଳେ ରହିଛି। ଫୁଟବଲ କିମ୍ବା ଦୌଡ଼କୁଦ ପ୍ରତିଯୋଗିତା ବେଳେ ଏହି ସୁଡ଼ଙ୍ଗ ଦେଇ ଖେଳାଳିମାନେ ପଡିଆ ଭିତରକୁ ପ୍ରବେଶ କରୁଥିଲେ। ହେଲେ କ୍ରିକେଟ ଆସିବା ପରେ ସୁଡଙ୍ଗର ବ୍ୟବହାର କମ୍‌ ହୋଇଗଲା। କ୍ରିକେଟ ମ୍ୟାଚବେଳେ ଖେଳାଳିଙ୍କ ସୁରକ୍ଷା ଓ ଅନଧିକାର ପ୍ରବେଶ ଦୃଷ୍ଟିରୁ ସୁଡଙ୍ଗକୁ ମ୍ୟାଚ ବେଳେ ବନ୍ଦ କରାଯାଉଥିଲା।

ପର୍ଯ୍ୟାୟକ୍ରମେ ଯେତେବେଳେ ୨୦୦୮ ମସିହାରେ ବାରବାଟୀ ଷ୍ଟାଡିୟମର ନବକଳେବର କରାଗଲା, ସେତେବେଳେ ସୁଡଙ୍ଗକୁ ବାଲି ପକାଯାଇ ପୋତି ଦିଆଯାଇଥିଲା। ଏବେ ସେହି ସୁଡଙ୍ଗ ଉପରେ ନିଉ ପାଭିଲିଅନ ଛିଡ଼ା ହୋଇଛି। ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ବେଳେ ସୁଡଙ୍ଗ ମୁହଁ ଉପରେ ଅସ୍ଥାୟୀ ଓସିଏ ବକ୍ସ ନିର୍ମାଣ କରାଯାଉଛି। ହେଲେ ସୁଡଙ୍ଗର ସ୍ମୃତିକୁ ସାଇତି ରଖିବା ପାଇଁ ଅଲିମ୍ପିକ ସ˚ଘ, ଦୌଡ଼କୁଦ ସ˚ଘ କିମ୍ବା କୌଣସି କ୍ରୀଡ଼ା ସ˚ଘ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ।