ଗଡ଼ଖାଇରେ ପର୍ଯ୍ୟଟକ ପ୍ରୋତ୍ସାହନ କେନ୍ଦ୍ର: ୫ କୋଟି ବ୍ୟୟରେ ସଂଗ୍ରହାଳୟ, ବସିବା ସ୍ଥାନ ଓ ଶୌଚାଳୟ

କଟକ: କଟକର ଐତିହ୍ୟ ସହ ଜଡ଼ିତ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଣ୍ଟା ଭିଡିଛି। ନିଗମ ପକ୍ଷରୁ ଗଡ଼ଖାଇ ନିକଟରେ ପର୍ଯ୍ୟଟକ ପ୍ରୋତ୍ସାହନ କେନ୍ଦ୍ର (ଟୁରିଷ୍ଟ ଫ୍ୟାସିଲିଟି ସେଣ୍ଟର) ନିର୍ମାଣ କରାଯାଉଛି। ସେଣ୍ଟରରେ ଏକ ସଂଗ୍ରହାଳୟ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ଖୋଲା ଚଉତରା ଓ ଶୌଚାଳୟର ନିର୍ମାଣ ଚାଲିଛି। ୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସହରକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଗଡ଼ଖାଇ ଆଉ ଏକ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଛି। ଜବାହରଲାଲ ନେ‌େହରୁ ଇଣ୍ତୋର ଷ୍ଟାଡିୟମ ସମ୍ମୁଖରେ ଓଟିଡିସି ତରଫରୁ ଏହି କେନ୍ଦ୍ର ନିର୍ମାଣ କରାଯାଉଛି। ସେଣ୍ଟରରେ ଏକ ସଂଗ୍ରହାଳୟ ସହ ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଖୋଲା ବସିବା ସ୍ଥାନ ଓ ଶୌଚାଳୟର ତିଆରି ଚାଲିଛି। ଏଥିପାଇଁ ନିଗମ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନିକଟରୁ ଅନୁମତି ଅଣାଯାଇଛି। ଉକ୍ତ ନିର୍ମାଣ ପାଇଁ ନିଗମ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୯ରୁ ଆରମ୍ଭ ‌େହାଇଥିବା ଏହି ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାର୍ଚ୍ଚରେ ଏହାର କ‌ାମ ଶେଷ ହେବ ବୋଲି ନିଗମ ତରଫରୁ ସୂଚନା ଦିଆଯାଇଛି।

ଉକ୍ତ ସଂଗ୍ରହାଳୟରେ ଗଡ଼ଖାଇ ଖୋଦେଇରୁ ବାହାରିଥିବା ବିଭିନ୍ନ ସାମଗ୍ରୀକୁ ରଖାଯିବ। ସଂଗ୍ରହାଳୟରେ କଟକ ସହରର ଇତିହାସକୁ ଫଟୋ ଚିତ୍ର ମାଧ୍ୟମରେ ସୂଚନା ଦେବାର ବ୍ୟବସ୍ଥା କରାଯିବ। କଟକ ଉପରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିଶେଷ ସହାୟକ ହେବ। ସଂଗ୍ରହାଳୟ ନିକଟରେ ଗଡ଼ଖାଇକୁ ଲାଗି ଏକ ଖୋଲା ସ୍ଥାନରେ ପର୍ଯ୍ୟଟକଙ୍କ ବସିବା ପାଇଁ ୫ଟି ସୁନ୍ଦର ଚଉତରା ନିର୍ମାଣ କରାଯାଇଛି। ଏଠାରେ ବସି ଗଡ଼ଖାଇର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଉପଭୋଗ କରିପାରିବେ। ଏହାସହ ସଂଗ୍ରହାଳୟ ନିକଟରେ ଏକ ଅତ୍ୟାଧୁନିକ ଶୌଚାଳୟ ତିଆରି ହୋଇଛି। ଯେଉଁଠାରେ ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଗଡ଼ଖାଇର ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ୨୦୧୦ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଏହା ମଧ୍ୟରେ ୧୧ ବର୍ଷ ବିତିଯାଇ ଥିଲେ ବି କେବଳ ଦୁଇଶହ ମିଟର ପାଚେରି ନିର୍ମାଣ କାମ କରି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ, ସିଏମ୍‌ସି ଓ ଜିଲ୍ଲା ପ୍ରଶାସନ ନିରବରେ ବସିଛନ୍ତି।

ସମ୍ବନ୍ଧିତ ଖବର