କଟକ-ଜଗତପୁର: ଭଙ୍ଗା କୁଡିଆରେ ବିତୁଛି ଜୀବନ, ୨୧ ପରିବାର ଘର ପାଇବାରୁ ବଞ୍ଚିତ। ଏଭଳି ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମଧ୍ୟକଚ୍ଛ ପଞ୍ଚାୟତର ୧୫ନଂ ୱାର୍ଡରେ। ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପକ୍କାଘର ଖଣ୍ଡିଏ ଏହି ଗରିବ, ଅସହାୟଙ୍କ ପାଇଁ ସାତ ସପନ ପାଲଟିଛି। ଫନି ବାତ୍ୟା ପରଠାରୁ ସେମାନଙ୍କ ଘରର କାନ୍ଥ ଫାଟି ଆଁ କରିଛି। ପଲିଥିନ୍‌ ଭରସାରେ ଦିନ କାଟୁଛନ୍ତି ୨୧ଟି ପରିବାର। ସରକାରଙ୍କ ମାଳମାଳ ଯୋଜନା ଥାଇ ମଧ୍ୟ ଏହି ଦୃଶ୍ୟ ବୟାନ କରୁଛି ପକ୍କାଘର ଯୋଜନାର ବାସ୍ତବତାକୁ। ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇଥିଲେ ବି ରାଜନେତାଙ୍କ ସମର୍ଥକମାନେ ଏହାର ଲାଭ ଉଠାଇନେଲେ।

Advertisment

ସବୁଆଡୁ ନିରାଶ ହୋଇ ଘର ଖଣ୍ଡିଏ ପାଇବାକୁ ସେମାନେ କଟକ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ। ହେଲେ ନିତ୍ୟାନନ୍ଦ ବେହୁରା, ବଳରାମ ବେହୁରା, ଅଶୋକ କୁମାର ବେହୁରା, ଦୀନବନ୍ଧୁ ସ୍ବାଇଁ, ମୃତ୍ୟୁଞ୍ଜୟ ଭୋଇ, ମନୋଜ ଭୋଇ, କାଶୀନାଥ ଭୋଇ, ରବୀନ୍ଦ୍ର ଖଟୁଆ, ଛବି ଖଟୁଆ, ରତ୍ନାକର ପରିଡା, ସୁଧାକର ପରିଡା, ଦିବାକର ପରିଡା, ପ୍ରଶାନ୍ତ ସ୍ବାଇଁ, ପ୍ରଦୀପ୍ତ ସ୍ବାଇଁ, ବିରଞ୍ଚି ନାରାୟଣ ବେହୁରା, ଜଗନ୍ନାଥ ବେହୁରା, ଜୟନ୍ତୀ ମହାନ୍ତି, ଦେବେନ୍ଦ୍ରନାଥ ବେହୁରା, ଦିଲ୍ଲୀପ ନାୟକ, ଅଶୋକ କୁମାର ନାୟକ, ପବିତ୍ର ମୋହନ ସ୍ବାଇଁଙ୍କୁ କୌଣସି ପ୍ରକାର ସୁଫଳ ମିଳିଲାନି ବୋଲି ଅଭିଯୋଗ କରିଛନ୍ତି। ସରକାର ସେମାନଙ୍କୁ ଆବାସ ଯୋଜନାରେ ସାମିଲ୍ କରି ଘର ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ମଧ୍ୟକଚ୍ଛ ସରପଞ୍ଚ ସଞ୍ଜୟ କୁମାର ବେହୁରାଙ୍କୁ ପଚାରିବାରୁ, ଉପରୋକ୍ତ ହିତାଧିକାରୀମାନେ ୨୦୧୯ ମସିହା ଫନି ବାତ୍ୟା ପରଠାରୁ ନୂତନ ଗୃହ ପାଇଁ ଆବେଦନ କରିଥିଲେ। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ କୌଣସି ବାସଗୃହ ସହାୟତା ଅର୍ଥ ପଞ୍ଚାୟତ ସମିତିକୁ ଆସି ନାହିଁ। ଉକ୍ତ ଅନୁଦାନ ଅର୍ଥ ଆସିଲେ ସେମାନଙ୍କୁ ନିଶ୍ଚିନ୍ତ ଭାବେ ସହାୟତା ରାଶି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।