ତୃତୀୟ ରଜରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼, ୩୦ ହଜାର ପର୍ଯ୍ୟଟକ, ଗରମରୁ ୩ ସଜ୍ଞା ହରାଇଲେ

ବାରଙ୍ଗ: ତୃତୀୟ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବହୁସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି। ମଧ୍ୟାହ୍ନ ସମୟରେ ନନ୍ଦନକାନନ ପରିସରକୁ ଏକ ସମୟରେ ୨୦ହଜାରରୁ ଅଧିକ ପର୍ଯ୍ୟଟକ ଆସିଯିବାରୁ ଭିଡ଼ ନିୟମନ୍ତ୍ରଣ କରିବାରେ କର୍ତ୍ତୃପକ୍ଷଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଭିଡ଼ ଓ ପ୍ରବଳ ଗରମ ଯୋଗୁଁ ଅତିକମ୍‌ରେ ୩ଜଣ ବୟସ୍କ ପର୍ଯ୍ୟଟକ ସଜ୍ଞାହୀନ ହୋଇଛନ୍ତି, ଯେଉଁମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ସୁସ୍ଥ କରାଯାଇଛି। ଅଜି ମଧ୍ୟାହ୍ନରେ ନନ୍ଦନକାନନ ପରିସରକୁ ହଠାତ୍‌ ୨୦ହଜାରରୁ ଅଧିକ ପର୍ଯ୍ୟଟକ ଆସିଯାଇଥିଲେ। ଅଳ୍ପ ସମୟ ପାଇଁ ହୋଇଥିଲେ ବି କର୍ତ୍ତୃପକ୍ଷ ଏହାକୁ ନେଇ ସମସ୍ୟାରେ ପଡ଼ିଯା‌ଇଥିଲେ। ତେବେ, ଅପରାହ୍ନରେ ସ୍ଥିତି ସାମାନ୍ୟ ହୋଇଯାଇଥିଲା। ଆଜି ଦିନ ଶେଷ ସୁଦ୍ଧା ଅଫ୍‌ଲାଇନ୍‌ରେ ୨୯ହଜାର ୮୧୭ ଖଣ୍ଡ ଓ ଅନ୍‌ଲାଇନ୍‌ ଟିକେଟ ୮୧୧ଖଣ୍ଡକୁ ମିଶାଇ ମୋଟ ୩୦ ହଜାର ୫ଖଣ୍ଡ ଟିକେଟ ବିକ୍ରି ହୋଇଥିବା ବେଳେ ସମାନ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି।

ରଜ ତିନିଦିନରେ ମୋଟ ୮୫ହଜାର ୯୪୮ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲି ଆସିଥିବା ଟିକେଟ ବିକ୍ରିରୁ ଜଣାପଡିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିଭଳି ତୃତୀୟ ରଜରେ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୮୦୧ଜଣ ପର୍ଯ୍ୟଟକ ଆସିଥିବା ଟିକେଟ ବିକ୍ରିରୁ ଜଣାପଡିଛି। ଆଜି ଗହଳି ସାଙ୍ଗକୁ ପ୍ରବଳ ଗରମ ଓ ଗୁଳୁଗୁଳି ପ୍ରଭାବରେ ପର୍ଯ୍ୟଟକମାନେ ନାହିଁନଥିବା ସମସ୍ୟା ଭୋଗିଛନ୍ତି। ଅତିକମ୍‌ରେ ୩ଜଣ ପର୍ଯ୍ୟଟକ ସଜ୍ଞାହୀନ ‌ହୋଇଛନ୍ତି। ମଧ୍ୟାହ୍ନ ସମୟରେ ପରିବାର ସହିତ ଆସିଥିବା ଜଣେ ବଙ୍ଗୀୟ ବୃଦ୍ଧା ସଜ୍ଞାହୀନ ହୋଇ ପଡ଼ିବାରୁ ତାଙ୍କୁ ଅସ୍ଥାୟୀ ଶିବିରରେ ଚିକିତ୍ସା କରାଯାଇଥିଲା। ‌କିଛି ସମୟ ଭିତରେ ସେ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ବୃଦ୍ଧା ଓ ଜଣେ ବୃଦ୍ଧ ମଧ୍ୟ ସଜ୍ଞାହୀନ ହୋଇପଡ଼ିବାରୁ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର