ରେଭେନ୍ସାର ଐତିହାସିକ ଇଷ୍ଟ୍-ୱେଷ୍ଟ୍‌ ହଷ୍ଟେଲ୍‌ର ଶତବାର୍ଷିକୀ: କେବେ ଦୂର ହେବ କର୍ମଚାରୀଙ୍କ ଦୁଃଖ?

କଟକ: ରେଭେନ୍ସା ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ଚଳିତ ବର୍ଷ ଶତବାର୍ଷିକୀ ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ଏଠି ଏବେ ବି ଏଭଳି କର୍ମଚାରୀ ଅଛନ୍ତି, ଯେଉଁମାନେ କି ହଷ୍ଟେଲର ଅଧା ଇତିହାସର ସାକ୍ଷୀ ହୋଇ ରହିଛନ୍ତି। ଇଷ୍ଟ ହଷ୍ଟେଲରେ ଏବେ ମୋଟ ୧୩ ଜଣ କର୍ମଚାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ୩୦ ବର୍ଷରୁ ଅଧିକ ସମୟ ଧରି ହଷ୍ଟେଲରେ କାମ କରୁଛନ୍ତି। କର୍ମଚାରୀଙ୍କ ମଧ୍ୟରେ ହଷ୍ଟେଲରେ ୭ ଜଣ ଓ ମେସ୍‌ରେ ୬ ଜଣ କାମ କରୁଛନ୍ତି। ସେମାନଙ୍କ ଆଗରେ ଇଷ୍ଟରେ ରହି ପଢିଥିବା ଅନେକ ଛାତ୍ର ଏବେ ବିଭିନ୍ନ ପଦ ପଦବିରେ ରହି ରାଜ୍ୟ ଓ ଦେଶର ସେବାରେ ଅଛନ୍ତି। କିନ୍ତୁ ଏବେ ବି ମାସକୁ ମାତ୍ର ୪ ହଜାର ୯୬୦ ଟଙ୍କା ଦରମା ପାଉଥିବା ଏହି କର୍ମଚାରୀଙ୍କ ଆର୍ଥିକ ସ୍ଥିତି କେବେ ସୁଧୁରିବ, କେବେ ସେମାନଙ୍କୁ ମିଳିବ ବିଶ୍ବବିଦ୍ୟାଳୟ କର୍ମଚାରୀ ମାନ୍ୟତା? ଏ ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରୁଛି। ଇଷ୍ଟ ହଷ୍ଟେଲରେ ଏବେ ୧୮୨ ଜଣ ଛାତ୍ର ରହୁଥିବା ବେଳେ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟ ପାଇଁ ଏମାନଙ୍କୁ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଖଟିବାକୁ ପଡେ। ପିଲାଙ୍କ ଦେହ ଖରାପ ହେଲେ ଅଭିଭାବକ ପରି ଏମାନେ ସେମାନଙ୍କର ଯତ୍ନ ନେଇଥାନ୍ତି। ଅନେକ ଥର ହଷ୍ଟେଲ ଫେରିବା ସମୟକୁ ନେଇ ଅନ୍ତେବାସୀ ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୁଏ। ମାତ୍ର ଏହି ବିବାଦ ଘର କଳି ଭଳି କିଛି ସମୟରେ ତୁଟି ଯାଏ। ରାତିର ବିବାଦକୁ ସକାଳ ହେବାମାତ୍ରେ ସମସ୍ତେ ଭୁଲି ଯାଆନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଦିନ ରାତି ଏକ କରି ପିଲାଙ୍କ କଥା ବୁଝୁଥିବା ହଷ୍ଟେଲ କର୍ମଚାରୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ। କର୍ମଚାରୀଙ୍କୁ ରେଭେନ୍ସା କର୍ମଚାରୀ ଭାବେ ଗଣା ଯାଉ ନଥିବା ବେଳେ ସେମାନଙ୍କୁ ରହିବାକୁ ବାସୋପଯୋଗୀ ଘର ଦିଆଯାଇ ନାହିଁ କି ସରକାରଙ୍କ ଦ୍ବାରା ସ୍ଥିର କରାଯାଇ ଥିବା ପାରିଶ୍ରମକି ମିଳୁନାହିଁ।

ଏହି ପ୍ରସଙ୍ଗରେ ଅନେକ ଥର ଦାବିପତ୍ର ଓ ଧାରଣା ଦିଆଯାଇ ଥିବା ବେଳେ କୌଣସି ସୁଫଳ ମିଳି ନଥିବା କ୍ଷୋଭର ସହ କହନ୍ତି ହଷ୍ଟେଲ କର୍ମଚାରୀ। କିନ୍ତୁ ଇଷ୍ଟ ହଷ୍ଟେଲ ଏବେ ଶହେ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ସେମାନେ ବହୁତ ଖୁସି। କିପରି ଶତବାର୍ଷିକ ଉତ୍ସବ ସୁନ୍ଦର ଭାବେ ପାଳନ କରାଯିବ ସେଥିପାଇଁ ସେମାନେ ଉତ୍ସାହର ସହ ଲାଗି ପଡିଛନ୍ତି ବୋଲି କହିଛନ୍ତି ହଷ୍ଟେଲ କର୍ମଚାରୀ ଝରେନ୍ଦ୍ର ବାରିକ। ଝରେନ୍ଦ୍ର ୧୯୯୮ରୁ ଇଷ୍ଟରେ ଯୋଗ ଦେଇଥିବା ବେଳେ ୨୦୧୧ରୁ ମେସ୍‌ ପରିଚାରକ ଭାବେ କାମ କରୁଛନ୍ତି। ପୁରୁଣା ଅନ୍ତେବାସୀ ଯେତେବେଳେ ଆସି ଖାଦ୍ୟ ଖାଇ କୁହନ୍ତି ଯେ କଲେଜର ପୁରୁଣା ଜୀବନ କଥା ମନେ ପଡିଗଲା… ସେଥିରେ ବହୁତ ଖୁସି ଲାଗେ ବୋଲି କହନ୍ତି ମେସ୍‌ ମ୍ୟାନେଜର ସୁଦର୍ଶନ ବାରିକ। ହଷ୍ଟେଲରେ ୪୦ ବର୍ଷରୁ ଅଧିକ ବର୍ଷ ଧରି କାମ କରୁଥିବା ଫକିର ଚରଣ ସାହୁ କୁହନ୍ତି ଯେ ୨୦୦୯-୨୦୧୦ ବର୍ଷରେ ଇଷ୍ଟ ହଷ୍ଟେଲକୁ ଛାତ୍ରୀଙ୍କ ହଷ୍ଟେଲ କରିବାକୁ ରେଭେନ୍ସା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହାକୁ ହ‌େ‌ଷ୍ଟଲ ଅନ୍ତେବାସୀଙ୍କ ପକ୍ଷରୁ ବିରୋଧ କରାଯାଇ ଏକ ବଡ ଧରଣର ଗଣ୍ଡଗୋଳ ହୋଇଥିଲା। ଛାତ୍ରମାନେ ୧୫ ଦିନରୁ ଅଧିକ ଦିନ ଧାରଣା ଦେବା ସହିତ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ଯଜ୍ଞ ଆୟୋଜନ କରିଥିଲେ। ପିଲାମାନେ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଆମେ ହଷ୍ଟେଲ କର୍ମଚାରୀ ସେମାନଙ୍କୁ ବହୁ ବୁଝାସୁଝା କରିବା ସହିତ ଧାରଣାରୁ ଉଠାଇବା ଦିଗରେ ସଫଳ ହୋଇଥିଲୁ ବୋଲି କହନ୍ତି ଫକିର। ହଷ୍ଟେଲର ଶତାଧିକ ପୁରାତନ ଛାତ୍ର ରାଜ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀ ଭାବେ କାମ କରୁଛନ୍ତି। ସଂଜୀବ ଜେନା, ଅନୁପ ସାହୁ, ଏସ.ଏନ୍‌. ସ୍ବାଇଁ, ପ୍ରଶାନ୍ତ ମହାନ୍ତି ଭଳି ବିଭିନ୍ନ ପଦପଦବିରେ ଥିବା ଲୋକ ଯେତେ‌ବେଳେ ଆମକୁ ନନା ଓ ‌ମଉସା କହି କୁଣ୍ଢାଇ ପକାନ୍ତି, ଗର୍ବରେ ଛାତି କୁଣ୍ଢେ ମୋଟ ହୋଇଯାଏ। କାମକୁ ନେଇ ଥିବା ସବୁ ଦୁଃଖ କୁଆଡେ ପଳାଏ ବୋଲି କହନ୍ତି ଅମୂଲ୍ୟ ବାରିକ। ସୂଚନା ଅନୁଯାୟୀ ୫ ବର୍ଷ ତଳେ କର୍ମଚାରୀଙ୍କୁ ମିଳୁଥିଲା ମାତ୍ର ୨ ହଜାର ଟଙ୍କା। ବାରମ୍ବାର ଦାବି ପରେ ୨୦୧୬ରେ ୨ ହଜାର ଟଙ୍କା ବଢି ୪ ହଜାରରେ ପହଞ୍ଚି ଥିବା ବେଳେ ୨୦୧୮ରେ ଆଉ ୯୬୦ ଟଙ୍କା ବଢିଥିଲା। ଏବେ ମାସକୁ ମାତ୍ର ୪ ହଜାର ୯୬୦ ଟଙ୍କାରେ କାମ କରୁଥିବା ଏହି କର୍ମଚାରୀଙ୍କ ପାଇଁ ଶ୍ରମ ଆଇନ କେଉଁଠି ଅଛି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର