୫ ଦିନରେ ୪ହାତୀ ଶିକାର ଘଟଣା : ଶିକାରୀ ଗିରଫ, ବନ୍ଧୁକ ଜବତ

୧୦ମାସ ପରେ ଗିରଫ, ରୢାକେଟରେ ଅଛନ୍ତି ୮ ତସ୍କର

କଟକ : ଆଠଗଡ ବନବିଭାଗ ହାତୀ ଶିକାରୀ ତସ୍କର ଗ୍ୟାଙ୍ଗକୁ ଠାବ କରିଛି। ଦନ୍ତା ଶିକାର କରି ରାତାରାତି ଦାନ୍ତ କାଟି ନେଇ ନୟାଗଡ ଚାଲାଣ କରି ଦେଉଥିବା ଏହି ତସ୍କର ଗ୍ୟାଙ୍ଗରେ ୮ଜଣ ସାମିଲ ଅଛନ୍ତି। ଆଠଗଡ ବନଖଣ୍ଡର ବଡମ୍ବା, ନରସିଂହପୁର ଜଙ୍ଗଲରେ ଦନ୍ତା ଶିକାର ସହ ଅନ୍ୟ ଜନ୍ତୁ ଶିକାର କରି ମାଂସ, ଚମଡା, ଶିଙ୍ଘ ଚାଲାଣ କରୁଥିଲେ। ୧୦ମାସ ତଳେ ଅର୍ଥାତ୍‌ ଫେବ୍ରୁଆରି ମାସରେ ୫ଦିନରେ ୪ହାତୀଙ୍କ ଶିକାର କରିଥିଲେ ତସ୍କର। ସେଥିରୁ ଦୁଇଟି ଦନ୍ତା ଶିକାର କରି ଦାନ୍ତ ଲୁଟି ନେଇଥିଲେ। ଏଭଳି ଘଟଣାରେ ଦୀର୍ଘ ୧୦ମାସ ପରେ ଆଠଗଡ ଡ଼ିଏଫ୍ଓଙ୍କ ନେତୃତ୍ବରେ ଟିମ୍‌ ବନବିଭାଗ ଶିକାରୀ ମାଟିଆ ସ୍ବାଇଁକୁ ବଡମ୍ବା ଥାନା ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଶିକାରୀଠାରୁ ଦେଶୀ ବନ୍ଧୁକ ସହ ହରିଣ ଶିଙ୍ଘ ମଧ୍ୟ ଜବତ୍‌ କରିଛି ବନବିଭାଗ। ବଡମ୍ବା ଅଞ୍ଚଳର ଜଣେ କୁଖ୍ୟାତ୍‌ ତସ୍କର ଏହି ଗ୍ୟାଙ୍ଗକୁ ପରିଚାଳନା କରୁଥିବା ବନବିଭାଗ କହୁଛି। ବନବିଭାଗ ପାଞ୍ଝାରେ ଆହୁରି ୪ଜଣ ଶିକାରୀ ଥିବା ଚର୍ଚ୍ଚା ହେଉଥିବାବେଳେ ବିଭାଗ କିନ୍ତୁ ତଦନ୍ତ ଚାଲିଥିବାରୁ କିଛି ସୂଚନା ‌ଦେବାକୁ ମନା କରିଛି । ଦାନ୍ତଗୁଡିକୁ ୫୦ ହଜାରରୁ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ଫେବ୍ରୁଆରି ୨୦ ତାରିଖରେ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ହଳଦିଆଶେଣୀ ସ˚ରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ଶିକାର କରି ଦାନ୍ତ ନେଇ ଶିକାରୀ ଚମ୍ପଟ ମାରିଥିଲେ। ଏହାର ଦିନକ ପରେ ପୁଣି ଉକ୍ତ ବନାଞ୍ଚଳର ଗୋପପୁର ବିଟ୍‌ ସନ୍ନିକଟ ନାଗାତୋଟା ଜଙ୍ଗଲରେ ୨୫ରୁ ୨୭ବର୍ଷ ଦନ୍ତାହାତୀକୁ ଶିକାର କରି ଦାନ୍ତ ଲୁଟି ନେଇଥିଲେ। ଏହାର କିଛି ଦିନ ମଧ୍ୟରେ ନରସିଂହପୁର ବନାଞ୍ଚଳରୁ ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ବନବିଭାଗର ସତର୍କତା ପାଇଁ ଦାନ୍ତ ନେଇପାରିନଥିଲେ ତସ୍କର। ବଡ଼ମ୍ବା ହଳଦିଆଶେଣୀ ସ˚ରକ୍ଷିତ ଜଙ୍ଗଲରେ ଦନ୍ତା ଶିକାର ଘଟଣାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ମାଣିଆବନ୍ଧ ଫରେଷ୍ଟର ବିଶ୍ବଜିତ୍‌ ପୃଷ୍ଟି ଓ କରଡା ବିଟ୍‌ ଫରେଷ୍ଟଗାର୍ଡ କେଳୁଚରଣ ସାମଲଙ୍କୁ ନିଲମ୍ବିତ କରିଥିଲା ବନବିଭାଗ। ଏଥିସହ ଶିକାରୀ ସାତଗୋଚ୍ଛିଆ ଗ୍ରାମର ଧନୀ ବେହେରାକୁ ଗିରଫ କରାଯାଇଥିଲା। ଘଟଣାରେ ସଂପୃକ୍ତ ୩ଜଣ ଶିକାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିଏଫ୍ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି । ଏହା ପଛରେ ଏକ ବଡଧରଣର ରୢାକେଟ୍ ରହିଛି। ଦୀର୍ଘ ୧୫ବର୍ଷ ହେଲା ଉକ୍ତ ଅଂଚଳରେ ସେମାନେ ଏହି ରୢାକେଟ୍‌ ଚଳାଇଥିବା ଡିଏଫଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର