ଆଠଗଡ : ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୈାରା ଜଜ୍ ଅମୃତ ରଞ୍ଜନ ନନ୍ଦ ଏକ ପତ୍ନୀ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଆଠଗଡ ଏନ୍ଏସି ଅନ୍ତର୍ଗତ ବୀରକିଶୋରପୁରର ବାବାଜୀ ଓରଫ୍ ଗୁରୁବାରୀ ବେହେରାକୁ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ବାବାଜୀ ଆଠଗଡ଼ ନୂଆବସ୍ଷ୍ଟାଣ୍ଡରେ ଅସ୍ଥାୟୀ ଦୋକାନ ଘର କରି ବ୍ୟବସାୟ କରିବା ସହ ନିକଟରେ ପରିବାର ସହିତ ରହୁଥିଲା। ୨୦୧୪, ମେ' ୨୦ ରାତି ୮ଟା ସମୟରେ ବାବାଜୀଙ୍କର ପତ୍ନୀ ସୁଷମାଙ୍କ ସହିତ ପାଟିଗୋଳ ହୋଇଥିଲା। ବାବାଜୀ ଦୋକାନରେ ଥିବା ଏକ ଧାରୁଆ ଛୁରୀରେ ସ୍ତ୍ରୀ ସୁଷମାର ଛାତି ଓ ପେଟକୁ ବାରମ୍ବାର ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ସୁଷମା ପ୍ରାଣ ହରାଇଥିଲେ। ଘଟଣାଟିକୁ ସମ୍ପୂର୍ଣ୍ଣ ଭାବେ ବାବାଜୀର ଝିଅ ଦେଖିଥିଲା। ଘଟଣା ସଂପର୍କରେ ଜାଣିବା ପରେ ସୁଷମାଙ୍କ ଭାଇ ରଘୁନାଥ ବେହେରା ଘଟଣାସ୍ଥଳରେ ପହଂଚିଥିଲେ। ଭାଣିଜୀ ଠାରୁ ସମସ୍ତ ବିଷୟ ଅବଗତ ହେବା ପରେ ଏ ନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ଼ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବାବାଜୀ ବିରୋଧରେ ଚାର୍ଜସିଟ ଦାଖଲ ପରେ ଶୁଣାଣି ଆରମ୍ଭ ହୋଇଥିଲା। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବାବାଜୀକୁ ପତ୍ନୀ ହତ୍ୟାକାଣ୍ଡ ମାମଲାରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଶରତ କୁମାର ଦାଶ ଆସାମୀକୁ କଠୋର ଦଣ୍ଡ ପ୍ରଦାନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/jail2.jpg)