ଜାଲ୍‌ ପ୍ରମାଣପତ୍ରରେ ନିଯୁକ୍ତି: ଆଇସିଡିଏସ୍‌ ସୁପରଭାଇଜରଙ୍କୁ ୨ବର୍ଷ ଜେଲ୍‌

କଟକ : ଜାଲ୍‌ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା କେରାପୁଟ ପଟାଙ୍ଗୀ ବ୍ଲକ୍‌ର ଆଇସିଡିଏସ୍‌ ସୁପରଭାଇଜର ରାଭାନା କୁମାରୀ ପଟ୍ଟନାୟକଙ୍କୁ ୨ବର୍ଷ ଜେଲ୍‌ ଓ ୨୦ ହଜାର ଟଙ୍କା ଜରିମାନା ହୋଇଛି। ରାଭାନା ଜାଲ୍‌ ମାଟ୍ରିକ ସାର୍ଟିଫିକେଟ ଦେଇ ଅଙ୍ଗନବାଡ଼ି ନିଯୁକ୍ତି ପାଇଥିଲେ। ଫଳରେ ସେ ସରକାରଙ୍କୁ ଠକିଥିବାବେଳେ ଆଇସିଡିଏସ୍‌ ସୁପରଭାଇଜର ପାହ୍ୟାକୁ ପଦୋନ୍ନତି ମଧ୍ୟ ପାଇଥିଲେ। ଏସଂକ୍ରାନ୍ତରେ ଭିଜିଲାନ୍ସରେ ଅଭିଯୋଗ ହେବାରୁ ଏହାର ତଦନ୍ତ କରାଯାଇଥିଲା। ମାମଲା ରୁଜୁ ହେବା ବେଳକୁ ରାଭାନା ୩ଲକ୍ଷ ୩୫ହଜାର ୭୨୯ ଟଙ୍କା ଦରମା ଆକାରରେ ଉଠାଇସାରିଥିଲେ। ଏହି ମାମଲାର ଶୁଣାଣି କରି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାଭାନାଙ୍କୁ ଦୋଷୀ କରାଇଥିଲାବେଳେ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧) (ଡି) ଅନୁଯାୟୀ ୨ବର୍ଷ ଜେଲ୍‌ ଓ ୧୦ହଜାର ଟଙ୍କା ଜରିମାନା ଲଗାଯାଇଥିଲାବେଳେ ଆଇପିସି ଦଫା ୪୭୧ ଅନୁଯାୟୀ ଦୁଇ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଏହି ମାମଲାକୁ ଇନ୍ସପେକ୍ଟର ଶରତ ଚନ୍ଦ୍ର ସାହୁ ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପିପି ଏମ୍‌.ବାଲାଜି ରାଓ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର