ଗୋଦାମରେ ଷଢୁଛି ଆଇସ୍‌କ୍ରିମ୍‌; ଏ ବର୍ଷ ବି ଅଣ୍ଟା ସଳଖିପାରିଲେନି ବ୍ୟବସାୟୀ

କଟକ: ଋତୁକାଳୀଳ ବ୍ୟବସାୟ ଉପ‌ରେ କରୋନା ମାଡ଼। ଖରା ଦିନରେ ସବୁଠୁ ଅଧିକ ବ୍ୟବସାୟ ହେଉଥିବା ଆଇସ୍‌କ୍ରି‌ମ୍‌ ଓ ମୃଦୁପାନୀୟର ଆୟ ଏବେ ଉତ୍ସାହଜନକ ନୁହେଁ। ଗତବର୍ଷ ଭଳି ଏବର୍ଷ ମଧ୍ୟ କରୋନା ପାଇଁ ବ୍ୟବସାୟୀମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ବ୍ୟବସାୟ ହେଉ ନଥିଲେ ସୁଦ୍ଧା ବ୍ୟାଙ୍କ ତାହାର ଋଣ ସୁଧ ଟଙ୍କା ନେବାରେ ପଛଘୁଞ୍ଚା ଦେଉନାହିଁ। ଯଦିଓ ଗତବର୍ଷ ସରକାର ଲକ୍‌ଡାଉନ ଅବଧିରେ ସୁଧ ଛାଡ୍‌ କରିବାକୁ କହିଥିଲେ ଓ ପରବର୍ତ୍ତୀ ସମୟରେ କରୋନା ସହାୟତାକ୍ରମେ ଋଣ ଦେବା ପାଇଁ ଉତ୍ସାହିତ କରିଥିଲେ କିନ୍ତୁ ବ୍ୟାଙ୍କମାନଙ୍କର ବ୍ୟବହାର ଓଲଟା ଥିଲା। ପୂର୍ବ ଋଣର ବକେୟା ଅର୍ଥ ନଦେବା ଯାଏ, କରୋନା ସହାୟତା ଋଣ ଦେବେ ନାହିଁ ବୋଲି ରୋକଠୋକ୍‌ କହିଦେଇଥିଲେ। ଯେଉଁଥିପାଇଁ ବ୍ୟବସାୟୀମ‌ାନେ ଯେଉଁ କ୍ଷତି ସହୁଥିଲେ ପୁଣି ସେହି କ୍ଷତିରେ ହିଁ ଚାଲିଲେ। ତଥାପି ଏବର୍ଷ ପାଇଁ କଞ୍ଚାମାଲ ମହଜୁଦ୍‌ ରଖିଥିବାବେଳେ ଖରାଦିନିଆ ଋତୁକାଳୀନ ବ୍ୟବସାୟ ପାଇଁ ଆଇସ୍‌କ୍ରିମ୍‌ ଜାତୀୟ ସାମଗ୍ରୀ ପ୍ରସ୍ତୁତ ହୋଇସାରିଥିଲା। କିନ୍ତୁ ଏପ୍ରିଲ ମାସଠୁ କରୋନା ତାହାର କାୟା ମେଲାଇବା ଆରମ୍ଭ କରିବାକୁ ବର୍ତ୍ତମାନ ଗୋଦାମରେ ଏକ୍ସପାରି ସାମଗ୍ରୀ ପଡ଼ିରହିଥିଲାବେ‌େଳ ଆଉ କିଛି ସାମଗ୍ରୀ ଏକ୍ସପାରି ହେବା ଅପେକ୍ଷାରେ ରହିଛି।

ମଲବେରି ଆଇସ୍‌କ୍ରିମର ପରିଚାଳନା ନିର୍ଦ୍ଦେଶକ ନୃସିଂହ ପରିଡ଼ାଙ୍କ କହିବାନୁସାରେ, ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ହେଉଛି ବ୍ୟବସାୟର ମୁଖ୍ୟ ସମୟ। ଏହାବାଦ୍‌ ବିବାହ, ବ୍ରତ କିମ୍ବା ଅନ୍ୟାନ୍ୟ ଉତ୍ସବମାନଙ୍କରେ ଆଇସ୍‌କ୍ରିମ ବ୍ୟବସାୟ ଭଲ ହୋଇଥାଏ। ଗତବର୍ଷର କ୍ଷତିକୁ ଯଦିଓ ଧିରେଧିରେ ଭରଣା କରିଆସୁଥିଲୁ କିନ୍ତୁ ଚଳିତ ବର୍ଷ ଭଲ ବ୍ୟବସାୟ କରି ସଂପୂର୍ଣ୍ଣ କ୍ଷତିର ଭରଣା କରିବାକୁ ଆଶା ରହିଥିଲା। କିନ୍ତୁ ଏପ୍ରିଲ ମାସରୁ କରୋନା ଆସିବା ପରଠୁ ଆଇସ୍‌କ୍ରି‌ମ୍‌ ଫ୍ୟାକ୍ଟ୍ରିରେ ତାଲା ପକାଇବାକୁ ବାଧ୍ୟ ହେଲୁ। ବ୍ୟବସାୟ ପାଇଁ କଞ୍ଚାମାଲ ଆସିସାରିଛି। ଆଇସ୍‌କ୍ରିମ ମଧ୍ୟ ତିଆରି ହୋଇ ଫ୍ରିଜରରେ ରହିଛି। ହେଲେ ଏପ୍ରିଲ ଓ ମେ’ ମାସ ସଂପୂର୍ଣ୍ଣ  ବନ୍ଦ ହୋଇଯାଇଥିବାରୁ ଅନେକ ଆଇସ୍‌କ୍ରିମ ନଷ୍ଟ ହୋଇଆସିଲାଣି। ତଥାପି ଆଉ ଦୁଇମାସ ହାଲ୍‌କା ଗରମ ରହିବ। ଯଦି ରଜ ପରେପରେ ଲକ୍‌ଡାଉନ ଉଠିଯାଏ, ତାହେଲେ କିଛି ବ୍ୟବସାୟ ହୋଇପାରେ ବୋଲି ନୃସିଂହ ଆଶା ରଖିଛନ୍ତି। ତେବେ ବ୍ୟାଙ୍କ ଋଣ କ୍ଷେତ୍ରରେ କିଛିଟା କୋହଳ କରିବାକୁ ସେ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି।

ଅନ୍ୟପକ୍ଷରେ ଇଣ୍ଡିଆ ଡାଏରିର ପରିଚାଳନା ନିର୍ଦ୍ଦେଶକ ହୁସେନ ଆକବର ଅଲ୍ଲିଙ୍କ ମତରେ, ସରକାରଙ୍କ ଭୁଲ୍‌ ନୀତି ଯୋଗୁଁ କରୋନା ସମୟରେ ଆଇସ୍‌କ୍ରିମ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ତମ୍ବାଖୁ ସହିତ ଆଇସ୍‌କ୍ରିମ୍‌କୁ ଏକାଠି କରି ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ ହେଉଥିବାବେଳେ ମିଠା ଜାତୀୟ ଖାଦ୍ୟ ଉପରେ ୫ପ୍ରତିଶତ ଜିଏସ୍‌ଟି ଲଗାହୋଇଛି। ଏଭଳି ଅସମାନତା ନୀତି ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଏବେ ବ୍ୟବସାୟ ଋତୁ ଶେଷ ‌ହେବା ଉପରେ। ଦୁଇବର୍ଷ ହେଲାଣି କ୍ଷତି ହିଁ କ୍ଷତି ‌େହାଇଚାଲିଛି। ଚଳିତ ବର୍ଷ ପାଖାପାଖି ୧୫ଲକ୍ଷ ଟଙ୍କାର କ୍ଷତି ସହିଲେଣି। ଯଦି ଆଗକୁ ଲକ୍‌ଡାଉନ ଲାଗିରୁହେ, ତାହେଲେ ଆସନ୍ତା ବର୍ଷକୁ ବ୍ୟବସାୟ ବଞ୍ଚାଇ ରଖିବା କଷ୍ଟକର ହୋଇପଡ଼ିବ। ତେଣୁ ସରକାର ଜିଏସ୍‌ଟିରେ କୋହଳ ଓ ଋଣ ସୁଧ ଆଦାୟ ବେଳେ ଋତୁକାଳୀନ କ୍ଷତିକୁ ବିଚାରକୁ ନେବା ପାଇଁ ହୁସେନ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର