କଟକର ନୂଆ ନକ୍ସା ପ୍ରସ୍ତୁତ କରିବ ‘ଏଇକମ୍‌’

୭ମାସ ମଧ୍ୟରେ ରିପୋର୍ଟ ଦାଖଲ; ଦୁଇବର୍ଷରେ ସରିବ କାମ: ଅନିଲ ସାମଲ

କଟକ: କଟକ ସହରର ଭିଡ଼ରୁ ମିଳିବ ନିସ୍ତାର। ହଟିବ ଭିଡ଼, ଗଳିକନ୍ଦି ରାସ୍ତା ହେବ ଚଉଡ଼ା, ଫୁଟ୍‌ଫାଥ୍‌ ବି କରାଯିବ। ଏଥିପାଇଁ ସିଡିଏ କରିଛି ମାଷ୍ଟର ପ୍ଲାନ୍‌। କି’ କି’ ବ୍ୟବସ୍ଥା କରାଗଲେ ଭିଡ଼କୁ ଏଡ଼ାଯାଇ ପାରିବ ସେଥିପାଇଁ ‘ଏଇକମ୍‌’ କରିବ ସର୍ଭେ। ୭ମାସ ମଧ୍ୟରେ ଡିଜାଇନ୍‌, ମ୍ୟାପ୍‌ ଓ ସର୍ଭେ ରିପୋର୍ଟ ଦାଖଲ କରିବ ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଘରୋଇ ସଂସ୍ଥା ଏଇକମ୍‌। ଏଥିପାଇଁ ଖର୍ଚ୍ଚ ହେବ ୧କୋଟି ୮୦ଲକ୍ଷ ଟଙ୍କା। ଏ ସଂପର୍କରେ ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଥିଲା ଯେଉଁଥିରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର ଅନନ୍ୟା ଦାସ, ସିଡିଏର ପ୍ଲାନିଂ ସଦସ୍ୟ ଓ ଫାଇନାନ୍ସ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିପାଇଁ ତିନୋଟି ସଂସ୍ଥା ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗନେଇଥିବାବେଳେ ଏଇକମ୍‌କୁ ଏହାର ଦାୟିତ୍ବ ଦିଆଯାଇଛି। ହଜାରେ ବର୍ଷର କଟକ ସହରରେ ହାଇକୋର୍ଟ, ବୋର୍ଡ ଅଫ୍‌ ରେଭିନ୍ୟୁ, ଆର୍‌ଡିସିଙ୍କ କାର୍ଯ୍ୟାଳୟ, ପୁଲିସ ମୁଖ୍ୟାଳୟ, ଭିଜିଲାନ୍‌ସ ମୁଖ୍ୟାଳୟ, ମାଧ୍ୟମିକ ଶିକ୍ଷା ପରିଷଦ, ବଡ଼ଡାକ୍ତରଖାନା, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ, ମାଲଗୋଦାମ, ବିଭିନ୍ନ ବ୍ୟବସାୟର ପେଣ୍ଠସ୍ଥଳୀ ରହିଛି। ହେଲେ, କଟକ ସହରର ଅଧିକାଂଶ ସ୍ଥାନରେ ଗଳିକନ୍ଦି ରାସ୍ତା। ପ୍ରତିଦିନ ଗଳିକନ୍ଦି ଯୋଗୁଁ ନାକେଦମ୍‌ ହେବାକୁ ପଡେ ସହରବାସୀଙ୍କୁ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କୁ। ଟ୍ରାଫିକ୍‌ ଜାମ୍‌, ଗଳିକନ୍ଦି ରାସ୍ତାରେ ଫସି ରହିବା ଏକ ନିୟମିତ ସମସ୍ୟା।

ଏହି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ ହାତକୁ ନେଇଛି ନୂଆ ଯୋଜନା। ଏଥିପାଇଁ ସହରର ୧୦ଟି ଜନଗହଳିପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ହାଇକୋର୍ଟ ଛକ, ଏସ୍‌ସିବି ମେଡିକାଲ ପାଖ, ମଙ୍ଗଳାବାଗ୍‌, ହାୱଡା ମର୍ଟସ, କଲେଜ ଛକ ଇତ୍ୟାଦି..। ସେହି ସ୍ଥାନଗୁଡିକରେ ଟ୍ରାଫିକ୍‌ ସମସ୍ୟାର ସମାଧାନ, ଗହଳି ହଟାଇବା ପାଇଁ କି’ କି’ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ଓ କ’ଣ କଲେ ଭିଡ଼ କମିବ ଓ ଲୋକ ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ଏଇକମ୍‌ ରିପୋର୍ଟ ଅନୁସାରେ କାମ ଆରମ୍ଭ ହେବ ଓ ଦୁଇ ବର୍ଷ ମଧ୍ୟରେ କାମ ସରିବ ବୋଲି ସିଡିଏ ଅଧ୍ୟକ୍ଷ ଅନିଲ ସାମଲ ସୂଚନା ଦେଇଛନ୍ତି। କେଉଁଠି ରାସ୍ତା ପ୍ରଶସ୍ତ କରାଯିବ, ଛକଗୁଡିକ ସଂପ୍ରସାରଣ କରାଯିବ, ରାସ୍ତାର ଉଭୟ ପାର୍ଶ୍ବର ସଂପ୍ରସାରଣ ପାଇଁ ଭୂମି ଅଧିଗ୍ରହଣର ଯଦି ଆବଶ୍ୟକତା ପଡେ ତା’ ମଧ୍ୟ କରାଯିବ। ଏପରିକି ସବୁ ସରକାରୀ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ବା ଗୋଟିଏ ପରିସରରେ ରଖିବା, ରାସ୍ତାପାର୍ଶ୍ବରେ ପାର୍କିଂ, ଫୁଟ୍‌ଫାଥ୍‌, ସାଇକଲ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ଉକ୍ତ ସଂସ୍ଥା ୭ମାସ ମଧ୍ୟରେ ଡିଜାଇନ୍‌, ମ୍ୟାପ୍‌ ଓ ସର୍ଭେ ରିପୋର୍ଟ ସିଡିଏ ନିକଟରେ ଦାଖଲ କରିବ। ତେବେ ପୂର୍ବରୁ ଲାସା ନାମକ ଏକ ସଂସ୍ଥାକୁ ଏହାର ଡିଜାଇନ୍‌ ପାଇଁ ଗଲା ଡିସେମ୍ବରରେ ସର୍ଭେ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବଦଳାଯାଇ ଏଇକମ୍‌କୁ ଦିଆଯାଇଛି।

ସମ୍ବନ୍ଧିତ ଖବର