ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳ, କଟକରେ ଶତପ୍ରତିଶତ ପାସ୍

୯୯.୨ ପ୍ରତିଶତ ରଖି ଋଷି ସାଗର ଟପର

କଟକ: ଆଇସିଏସ୍ଇ ଦଶମ ବୋର୍ଡ ପରୀକ୍ଷା ଫଳ ରବିବାର ଅପରାହ୍ଣରେ ପ୍ରକାଶ ପାଇଛି। କଟକ ସହରରେ ଥିବା ଆଇସିଏସ୍‌ଇ ବିଦ୍ୟାଳୟଗୁଡ଼ିକରେ ପାସ୍ ହାର ଶତ ପ୍ରତିଶତ ହୋଇଛି। ଡିଏଭି ଏସ୍‌ସିବି ମେଡିକାଲ୍‌ ପବ୍ଲିକ୍ ସ୍କୁଲ ଛାତ୍ର ଋଷିସାଗର ଶତପଥୀ ୯୯.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଦଖଲ କରିବା ସହ ରାଜ୍ୟରେ ପ୍ରଥମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କଟକ ସହରର ବିଭିନ୍ନ ଆଇସିଏସ୍ଇ ବିଦ୍ୟାଳୟର ୭୫୬ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫୪ଜଣ ୯୦ ପ୍ରତିଶତ ବା ତାହାଠୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ୍‌ ଛାତ୍ର ଋଷିସାଗର ରାଜ୍ୟ ଟପର୍‌
ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଉଲ୍ଲେଖନୀୟ ସଫଳତା ପାଇଛି। ପରୀକ୍ଷା ଦେଇଥିବା ୧୩୨ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୨ଜଣ ୯୫ ପ୍ରତିଶତରୁ ଅଧିକ, ୩୨ଜଣ ୯୦ ପ୍ରତିଶତରୁ ଅଧିକ, ୭୨ଜଣ ୮୦ ପ୍ରତିଶତରୁ ଅଧିକ, ୧୧୫ଜଣ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟର ଋଷିସାଗର ଶତପଥୀ ୯୯.୨ ପ୍ରତିଶତ (୫୦୦ରୁ ୪୯୬ନମ୍ବର) ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ଆଦିତ୍ୟ ତିୱାରୀ ୯୮.୪ ପ୍ରତିଶତ ଓ ପିୟୁଷ ରଞ୍ଜନ ଦାଶ ୯୭.୮, କୈବଲ୍ୟ ୯୭.୬, ସମ୍ଭବ ସୂର୍ଯ୍ୟାଂଶ ୯୬.୬ ପ୍ରତିଶତ ରଖି ଯଥାକ୍ରମେ ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ଏହି ପାଞ୍ଚ ଜଣଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ବରି‌ଷ୍ଠ ଶିକ୍ଷକ ଏସ୍‌.କେ କୁମାର, ସୁଶାନ୍ତ ଓଝା, ଡକ୍ଟର ଭିକାରି ତ୍ରିପାଠୀ, ସତ୍ୟକାନ୍ତ ମିଶ୍ର, ନମିତା ବାରିକ, ଲିଲିନା ପ୍ରିୟଦର୍ଶିନୀ, ପଦ୍ମିନୀ ପଣ୍ଡା, ମାନସ ପାଣିଗ୍ରାହୀ, ମନୋଜ ମଥାନ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେଣ୍ଟ ଜୋସେଫ୍ ଗାର୍ଲସ୍‌ ହାଇସ୍କୁଲ୍‌ ୩୬ଜଣ ୯୦ ପ୍ରତିଶତ ଉପରେ
ଆଇସିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସେଣ୍ଟ ଜୋସେଫ୍ ଗାର୍ଲସ ହାଇସ୍କୁଲ ଛାତ୍ରୀମାନେ ଶହେ ପ୍ରତିଶତ ସଫଳତା ପାଇଛନ୍ତି। ପରୀକ୍ଷା ‌ଦେଇଥିବା ୧୩୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬ଜଣ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟର ସୌମ୍ୟାଶ୍ରୀ ପଣ୍ଡା ୯୮.୬ ପ୍ରତିଶତ ରଖି ବିଦ୍ୟାଳୟ ଟପର ହୋଇଥିବା ବ‌େଳେ ବନିଶା ଶ୍ବେତା ସିଂହ ଓ ପୟାଶ୍ବିନୀ ସାହୁ ଉଭୟ ୯୮.୧୭ରଖି ଯୁଗ୍ମ ଦ୍ବିତୀୟ ଓ ଶ୍ବେତା ପଟ୍ଟନାୟକ ୯୭.୮୩ପ୍ରତିଶତ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର୍‌ ବିଜୟା ମେରୀ ଓ ବରିଷ୍ଠ ଶିକ୍ଷୟିତ୍ରୀ ସଂଗୀତା ସ୍ବାଇଁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗକୁ ବଢ଼ିବାକୁ ଉତ୍ସାହିତ କରିଛନ୍ତି।

କୁଇନ୍ ମେରୀର ୭ଜଣ ରଖିଲେ ୯୦ ପ୍ରତିଶତରୁ ଅଧିକ
ଅଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ କୁଇନ୍ ମେରୀ ପରୀକ୍ଷାର୍ଥୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟରୁ ମୋଟ ୪୧ଜଣ ପରୀକ୍ଷା ଦେଇଥିବା ବ‌େଳେ ୭ଜଣ ୯୦ ପ୍ରତିଶତରୁ ଅଧିକ, ୧୧ଜଣ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସନ୍ଦୀପ ମାଣିକ୍‌ ୯୭.୨ ପ୍ରତିଶତ ରଖି ସ୍କୁଲ ଟପର୍‌ ‌ହୋଇଥିବା ବେଳେ ସାମିୟା ‌ତସ୍‌କିନ୍ ୯୬.୬ ପ୍ରତିଶତ ରଖି ଦ୍ବିତୀୟ ଓ ପ୍ରୀତିପାରମିତା ଜେନା ୯୫ ପ୍ରତିଶତ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଏହି ସଫଳତା ପାଇଁ ପରିଚାଳନା କମିଟି ସଭାପତି ‌କେ. ମାଥ୍ୟୁସ୍ ଓ ଏମ୍ ମାଥ୍ୟୁସ୍ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

କେମ୍ବ୍ରିଜ୍‌ ସ୍କୁଲରେ ସମସ୍ତେ ପାସ୍
ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ କେମ୍ବ୍ରିଜ୍ ସ୍କୁଲ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା ୧୪୯ଜଣ ଛାତ୍ରଛାତ୍ରଙ୍କ ମଧ୍ୟରୁ ସମସ୍ତେ ପାସ୍ କରିଥିବା ବ‌େଳେ ୨୪ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ବା ତାହାଠୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟ ଛାତ୍ରୀ ମିତ୍ରା ଦାସ ୯୮.୮୩ ପ୍ରତିଶତ ରଖି ବିଦ୍ୟାଳୟ ଟପର୍‌ ହୋଇଥିବା ବ‌େଳେ ଅଭିଶେକ୍‌ ମହାନ୍ତି ୯୭.୫ପ୍ରତିଶତ ରଖି ଦ୍ବିତୀୟ ଓ ଲକ୍ଷ୍ମୀନାରାୟଣ ତ୍ରିପାଠୀ ୯୬.୫ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ନ୍ୟୁ ଷ୍ଟିୱାର୍ଟରେ ସମସ୍ତେ ପାସ୍
ଆଇସିଏସ୍ଇ ଦଶମ ‌ବୋର୍ଡ ପରୀକ୍ଷାରେ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ଶତ ପ୍ରତିଶତ ସଫଳତା ପାଇଛି। ପରୀକ୍ଷା ଦେଇଥିବା ୧୨୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ଜଣ ୯୦ ପ୍ରତିଶତରୁ ଅଧିକ ରଖିଥିବା ବେଳେ ୯୭ଜଣ ଜଣ ପ୍ରଥମ ଶ୍ରେଣୀ(୬୦ ପ୍ରତିଶତ ବା ଅଧିକ) ନମ୍ବର ରଖିଛନ୍ତି। ଛାତ୍ର ଶୀତଲ ସ୍ବାଇଁ ୯୬ପ୍ରତିଶତ ରଖି ସ୍କୁଲ ଟପର୍‌ ହୋଇଥିବା ବେଳେ ସର୍ଜନା ଆଚାର୍ଯ୍ୟ ୯୩.୩ ପ୍ରତିଶତ ରଖି ଦ୍ବିତୀୟ ଓ ଜ୍ୟୋତି ଅଗ୍ରୱାଲ ୯୩ ପ୍ରତିଶତ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଏମ୍. ତୃପ୍ତିରାଣୀ, ପରିଚାଳନା କମିଟି ଚେୟାରମ୍ୟାନ୍ ବିଶପ୍ ରାଇଟ୍ ରେଭରେଣ୍ଟ୍‌ ସୁରେନ୍ଦ୍ର କୁମାର ନନ୍ଦ, ସଂପାଦକ ଶୋଭନ ପଣ୍ଡା, ସିଇଓ ବିଭୁଦତ୍ତ ଦାସ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଷ୍ଟିୱାର୍ଟ ସ୍କୁଲ୍‌ରେ ୫୦ଜଣଙ୍କର ୯୦ ପ୍ରତିଶତରୁ ଅଧିକ
ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ଷ୍ଟିୱାର୍ଟ ସ୍କୁଲ୍‌ର ପାସ୍‌ହାର ଶତପ୍ରତିଶତ ରହିଛି। ବିଦ୍ୟାଳୟର ମୋଟ ୧୭୧ଜଣ ପରୀକ୍ଷା ଦେଇଥିବା ବେଳେ ୫୦ଜଣ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ବିଦ୍ୟାଳୟର ଛାତ୍ର ଅଭିଜିତ୍‌ ପଟ୍ଟନାୟକ ୯୮.୧୭ପ୍ରତିଶତ ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ପରକୁ ପ୍ରିୟଙ୍କା ଜେନା ୯୮ ପ୍ରତିଶତ, ବଂଶ ଅଗ୍ରୱାଲ୍‌ ୯୭.୩୩, ଆରଭ୍ ମୋଦି ୯୭.୧୭, ରାହୁଲ ଡି. ରାୟ ୯୭.୧୭ ପ୍ରତିଶତ ରଖିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଫର୍ଲ ନର୍ଥ, ଆଡ୍‌ମିନିଷ୍ଟ୍ରେଟିଭ୍ ବୁର୍ସର ପ୍ରଭଞ୍ଜନ ଜେନା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ଅଭି‌ଭାବକ ଓ ଶିକ୍ଷକଶିକ୍ଷିକାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର