କଟକ: ଦେବୀ ଦୁର୍ଗାଙ୍କ ଛୋଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ଓ ମଣ୍ଡପରେ ପରଦା ଟାଣି ପୂଜା ଆୟୋଜନ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କଟକ ସହରର ୨୦ଟି ବିଭିନ୍ନ ଶିଳ୍ପୀ ସଂଘ, ସାମାଜିକ ଅନୁଷ୍ଠାନ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ଏହି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ସାରା ରାଜ୍ୟରେ ଦୁର୍ଗାପୂଜା ଉତ୍ସାହର ସହିତ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ସରକାର କେତେକ କଟକଣା ଜାରି କରିଛନ୍ତି। ଏ ନେଇ ଅଗଷ୍ଟ ୯ରେ ସ୍ବତନ୍ତ୍ର ରିଲିଫ କମିସନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅନ୍ୟାନ୍ୟ ପ୍ରସଂଗ ସହିତ ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବା ଓ ମଣ୍ଡପରେ ପରଦା ଟାଣି ଆବଦ୍ଧ କରି ପୂଜା କରିବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। କଟକ ଦୁର୍ଗାପୂଜାର ସ୍ବତନ୍ତ୍ର ପରମ୍ପରା ରହିଛି। ସବୁ ପୂଜା ମଣ୍ଡପରେ ପୂଜାର ମଧ୍ୟ ନିର୍ଦ୍ଧାରିତ ରୀତିନୀତି ରହିଛି। ଏଭଳି ପରମ୍ପରା ଆଧାରରେ ସବୁ ମଣ୍ଡପରେ ଦୁର୍ଗାଙ୍କ ମୂର୍ତ୍ତିର ନିର୍ମାଣ କରାଯାଇ ଥାଏ। ମୂର୍ତ୍ତିର ନିର୍ଦ୍ଦିଷ୍ଟ ଉଚ୍ଚତା, ମୁଖା, ଗହଣା, ମୁକୁଟ ରହିଛି। ପ୍ରତିବର୍ଷ ଏକ ପ୍ରକାର ମୂର୍ତ୍ତି କରାଯାଇଥାଏ। ଏଥିରେ ପରିବର୍ତ୍ତନ ପାଇଁ କୁହାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ଏହା ଶକ୍ତି ପୂଜା ହୋଇଥିବା ବେଳେ ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ଓ ଆକାରରେ ପରିବର୍ତ୍ତନ କରିବା ପରମ୍ପରା ବିରୋଧୀ। ଦୁର୍ଗାଙ୍କ ମୂର୍ତ୍ତିର ଆକାରରେ ପରିବର୍ତ୍ତନ କରିବା ପାଇଁ କୁହାଯିବା ପ୍ରାସଂଗିକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ଏଥି ସହିତ ପରଦା ଟାଣି ମଣ୍ଡପରେ ମା ଦୁର୍ଗାଙ୍କ ପୂଜା କରିବା ପାଇଁ ପ୍ରଶାସନ କହିବା ଉଚିତ ନୁହେଁ। ସାମାଜିକ ଦୂରତ୍ବ ଓ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଅନ୍ୟାନ୍ୟ ସମସ୍ତ ନିୟମ ପାଳନ କରିବା ପାଇଁ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତ ଥିବା ବେଳେ ପରଦା ଟାଣି ପୂଜା ଆୟୋଜନ କରାଯିବାକୁ କୁହାଯିବା ଗ୍ରହଣୀୟ ନୁହେଁ। ମଣ୍ଡପରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରି ପୂଜା ଆୟୋଜନ କରାଯାଉ।
ଭିଡ଼ ଏଡ଼ାଇବା ପାଇଁ ପୂଜାର ଗଣମାଧ୍ୟମରେ ପୁରୀ ରଥଯାତ୍ରା ଭଳି ସିଧା ପ୍ରସାରଣ କରାଯାଉ। କିନ୍ତୁ ମଣ୍ଡପରେ ବିନା ପରଦାରେ ପୂଜା ଆୟୋଜନ ପାଇଁ ଅନୁମତି ମିଳୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମୂର୍ତ୍ତି ନିର୍ମାଣ କରୁଥିବା କାରିଗର, କପଡା ଡେକୋରେସନ୍ କରୁଥିବା ଶ୍ରମିକ, କାଠ କାମ କରୁଥିବା କାରିଗର, ରଙ୍ଗ କାମ କରୁଥିବା କଳାକାର, ଲାଇଟ ଓ ସାଉଣ୍ଡ୍ ସିଷ୍ଟମ ବ୍ୟବସ୍ଥା କରୁଥିବା ଇଲେକ୍ଟ୍ରିସିଆନ୍, ତାରକସି ଓ ଗହଣା କାରିଗର ଦୁର୍ଗପୂଜା ଋତୁରେ ରୋଜଗାର କରି ସାରା ବର୍ଷ ଚଳିଥାନ୍ତି। ସରକାର ମୂର୍ତ୍ତିର ଉଚ୍ଚତା ଓ ପରଦା ପ୍ରସଂଗକୁ ନେଇ ଜାରି କରିଥିବା କଟକଣା ଯୋଗୁଁ ଏହି କାରିଗରମାନେ ରୋଜଗାର ହରାଇବାକୁ ଯାଉଛନ୍ତି। ପାର୍ବଣରେ ରୋଜଗାର କରି ବର୍ଷ ସାରା ପରିବାର ଚଳାଉଥିବା କାରିଗର ଓ ଶ୍ରମିକଙ୍କ କଥା ସରକାର ବିଚାରକୁ ନେବା ଉଚିତ। ମୂର୍ତ୍ତି ଉଚ୍ଚତା ଓ ମଣ୍ଡପରେ ପରଦା ନିୟମରେ ପରିବର୍ତ୍ତନ କରି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଶିଳ୍ପୀ କୁମ୍ଭାର ସାହି ପୂଜା କମିଟି ସଂପାଦକ ଅମୂଲ୍ୟ ବେହେରା, ଉତ୍କଳ ସ୍ବର୍ଣ୍ଣ ଓ ରୌପ୍ୟ ଶିଳ୍ପୀ ସଂଘ ସାଧାରଣ ସଂପାଦକ ବିଜୟ କୁମାର ସାହୁ, ନିଖିଳ ଉତ୍କଳ ବାରିକ ସମିତି କଟକର ସଭାପତି ବିଜୟ କୁମାର ବାରିକ, ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘ ସଭାପତି କେଦାରନାଥ ବେହେରା ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏହି ମାମଲାକୁ ଆଇନଜୀବୀ ଅଭିଜିତ ପତି ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/highcourt-1.jpg)