କଟକର ପୁଅ ନେତାଜୀ; ରାଜନୀତି ନହେଉ… ଜୟନ୍ତୀ କମିଟିରେ ଓଡ଼ିଶାର ଗୁରୁତ୍ବ ରହୁ

ଗୁଜୁରାଟରେ ଲୌହ ମାନବଙ୍କ ଭଳି ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି କଟକରେ ହେଉ

କଟକ: ନେତାଜୀ କଟକ ମାଟିର ପୁଅ। ପ୍ରକୃତ ଓଡ଼ିଆ। ଏହି ମାଟିରେ ଜନ୍ମ, ଏଇଠି କଟିଛି ତାଙ୍କ ବାଲ୍ୟକାଳ। ଖାଲି ସେତିକି ନୁହେଁ, ଏଇ ମାଟିରୁ ତାଙ୍କର ଶିକ୍ଷା, ସମାଜସେବାର ବୀଜବପନ ହୋଇଥିଲା। ଆଉ ସ୍ବାଧୀନତା ସଂଗ୍ରାମ ପାଇଁ ଏଇଠୁ ପାଇଥିଲେ ପ୍ରେରଣା। ବନ୍ୟା କ୍ଷତିଗ୍ରସ୍ତ କଟକ ପାଇଁ ତାଙ୍କ ପ୍ରାଣ କାନ୍ଦୁଥିଲା। ମହାମାରୀ ସମୟରେ କଟକର ସାହିବସ୍ତି ବୁଲି ଜନସେବା କରୁଥିଲେ। ଆଇସିଏସ୍‌ ପ୍ରସ୍ତୁତି ସମୟରେ ଲଣ୍ଡନରେ ରହିଥିବା ବେଳେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଓଡ଼ିଶାର ବରପୁତ୍ରଙ୍କ ସହ ‌ନିରନ୍ତର ସଂପର୍କ ରଖିଥିଲେ। କଟକରେ ସାର୍ବଜନିନ ଦୁର୍ଗାପୂଜା ହେଉ ବା ସଂକୀର୍ତ୍ତନ ମଣ୍ଡଳୀ ହେଉ, ସେ ହିଁ ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ। କଟକର ମାଟି, କଳା ସଂସ୍କୃତି ପ୍ରତି ତାଙ୍କର ଦୁର୍ବଳତା ଆଉ ଭଲ ପାଇବା ଥିଲା। ସେ କଟକର ପୁଅ, ଖାଣ୍ଟି ଓଡ଼ିଆ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ନେତାଜୀଙ୍କୁ କେବଳ ଭାଷା ଆଉ ଜାତି ଦୃଷ୍ଟିରୁ ପଶ୍ଚିମବଙ୍ଗର କରି ଦର୍ଶାଇବାର ହୀନ ଉଦ୍ୟମ ହେଉ ନାହିଁ ତ? ଏଭଳି ପ୍ରଶ୍ନ ଏବେ ପ୍ରତ୍ୟେକ ଓଡ଼ିଆ ଆଉ କଟକୀଆ ପ୍ରଶ୍ନ କରୁଛନ୍ତି।

ଓଡ଼ିଶାରୁ କିପରି ଅଧିକ ପ୍ରତିନିଧିତ୍ବ ରହିବ, ସେ ଦିଗରେ ପଦକ୍ଷେପ ନିଆଯିବ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ପାଇଁ ପ୍ରାଥମିକ ପର୍ଯ୍ୟାୟରେ କେବଳ ଜାତୀୟସ୍ତରରେ ଏକ କମିଟି ଗଠନ ହୋଇଛି। କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏହି କମିଟିରେ କଟକରୁ ଅଥବା ଓଡ଼ିଶାରୁ କିପରି ଅଧିକ ପ୍ରତିନିଧିତ୍ବ ରହିବ, ସେଥି ପାଇଁ ପଦ‌କ୍ଷେପ ନିଆଯିବ। କେନ୍ଦ୍ରରେ ବାଜପେୟୀ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ କଟକର ଓଡ଼ିଆ ବଜାର ଜାନକୀନାଥ ଭବନକୁ ‘ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ’ କରାଯାଇଥିଲା। ଏହା ଜାତୀୟସ୍ତରର ଟ୍ରଷ୍ଟ ଦ୍ବାରା ପରିଚାଳିତ। କିନ୍ତୁ କୋଲକାତାରେ ଯେଉଁ ସଂଗ୍ରହାଳୟ ରହିଛି, ତାହା ପାରିବାରିକ। ନେତାଜୀ କଟକରେ ଜନ୍ମ ହୋଇଥିଲେ। ତାଙ୍କ ଜୀବନର ପ୍ରଥମ ୧୬ବର୍ଷ କଟକରେ ହିଁ କଟିଛି। ସେ ଦୃଷ୍ଟିରୁ ସେ କଟକର। ଏଥିରେ ଅସ୍ବୀକାର କରିବାର କିଛି ନାହିଁ।

-ଭର୍ତ୍ତୃହରି ମହତାବ , ସାଂସଦ; ନେତାଜୀ ୧୨୫ତମ ଜୟନ୍ତୀ କମିଟି ସଦସ୍ୟ

ମାତୃଭାଷାକୁ ନେଇ ଜନ୍ମସ୍ଥାନ ନିରୂପଣ କରାଯାଏ ନାହିଁ
ନେତାଜୀ କଟକର ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ମାଟ୍ରିକ୍ ପାସ୍‌ କରିଥିଲେ। ତାଙ୍କ ଜନ୍ମସ୍ଥାନ ସୁରକ୍ଷିତ ଓ ନାମଲେଖା ରେଜିଷ୍ଟର ମଧ୍ୟ ସଂରକ୍ଷିତ ହୋଇ ରହିଛି। ତାଙ୍କ ବାଲ୍ୟକାଳ ଏଇଠି କଟିଛି। ଜଣେ ବ୍ୟକ୍ତିଙ୍କ ଜନ୍ମସ୍ଥାନ ନିରୂପଣ ପାଇଁ ଏତିକି ଯଥେଷ୍ଟ। ବ୍ୟକ୍ତିର କର୍ମ‌କ୍ଷେତ୍ର ବଦଳି ପାରେ, କିନ୍ତୁ ଜନ୍ମସ୍ଥାନ ବଦଳିବ କିପରି ? ଏସବୁ ସତ୍ବେ ଯେଉଁମାନେ ତାଙ୍କୁ କୋଲକାତାର ବୋଲି କହୁଛନ୍ତି, ତାହା ନିର୍ବୋଧତା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାତୃଭାଷା ନେଇ ଜନ୍ମସ୍ଥାନ ନିରୂପଣ କରାଯାଏ ନାହିଁ।

-ଡକ୍ଟର ମହେଶ୍ବର ମହାନ୍ତି, ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଗବେଷକ

ଜନ୍ମ, ଶିକ୍ଷା, ସଂଗଠନ… ସବୁ ତ ‌ଏଇଠି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ, ଶିକ୍ଷା, ସଂଗଠନ ସବୁ କଟକରେ। କଟକରେ ସ‌େ ସଂକୀର୍ତ୍ତନ ମଣ୍ଡଳୀ ଗଠନ କରିଥିଲେ। ୭୨ସଂକୀର୍ତ୍ତନ ମଣ୍ଡଳୀରେ ସେ ସକ୍ରୀୟ ସଭ୍ୟ ଥିଲେ। ସାର୍ବଜନିନ ଦୁର୍ଗା ପୂଜା ମଧ୍ୟ ସେ ପ୍ରଥମ କରି ଆରମ୍ଭ କରିଥିଲେ। କଟକରେ ଥିବା ପର୍ଯ୍ୟନ୍ତ ସେ ଦୁର୍ଗାପୂଜା ଆୟୋଜନର ନେତୃତ୍ବ ନେଉଥିଲେ। ଅଦ୍ୟାବଧି ତାହା ପାଳିତ ହେଉଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁ ଆନ୍ଦୋଳନ ଚାଲିଥିଲା, ବାହାରେ ରହି ଗୋପବନ୍ଧୁଙ୍କଠାରୁ ‌ସେ ଟିକିନିକ୍‌ ଖବର ରଖୁଥିଲେ। ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ ସର୍ବଦା ପ୍ରେରଣା ଓ ପରାମର୍ଶ ଦେଉଥିଲେ। ଜେଲ୍‌ରେ ଥିବା ବ‌େଳେ ଉତ୍କଳଗୌରବ ମଧୁବାବୁଙ୍କ ଠାରୁ ଓଡ଼ିଆ ଭାଷାର ଅନେକ ବହି ନେଇ ଓଡ଼ିଆକୁ ସ୍ବତନ୍ତ୍ର ଭାଷାର ମର୍ଯ୍ୟାଦା ପାଇଁ ଉଦ୍ୟମ ଚଳାଇଥିଲେ। ସେ କଟକର, ଏଥିରେ ଦ୍ବିମତ ନାହିଁ। ଗୁଜୁରାଟରେ ଲୌହମାନବଙ୍କ ପ୍ରତିମୂର୍ତ୍ତି ଭଳି ତାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ‘ବର୍ଫି’ ପ୍ରକଳ୍ପ ପରିସରରେ ନିର୍ମାଣ କରାଯାଉ।

-ସୁବାସ ଚନ୍ଦ୍ର ଦାସ(ବୁଢ଼ା ଭାଇ), ଆବାହକ, ଇଣ୍ଟରନ୍ୟାସ୍‌ନାଲ କ୍ଲବ୍

କଟକରେ ନେତାଜୀଙ୍କ ଜନ୍ମ, ସେ ଅନ୍ୟସ୍ଥାନର ହେବେ କିପରି
ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମ ହୋଇଥିଲେ। ‌ଏହାର ପ୍ରମାଣ ଓଡ଼ିଆ ବଜାର ଜାନକୀନାଥ ଭବନରେ ସଂରକ୍ଷିତ ହୋଇ ରହିଛି। ରେଭେନ୍‌ସା କଲିଜିଏଟ୍‌ରେ ପଢ଼ୁଥିଲେ। ଅଷ୍ଟମ ‌ଶ୍ରେଣୀରେ ତାଙ୍କ ପ୍ରଧାନଶିକ୍ଷକ ଥିଲେ ବେଣୀମାଧବ ଦାସ ଓ ପରେ ମୋର ଜେଜେ ନାରାୟଣ ପ୍ରସାଦ ମହାନ୍ତି ତାଙ୍କ ପ୍ରଧାନଶିକ୍ଷକ ହେଲେ। ଉଭୟ ବେଣୀମାଧବ ଓ ନାରାୟଣ ପ୍ରସାଦ ତାଙ୍କ ଜୀବନକୁ ପ୍ରଭାବିତ କରିଥ‌ିଲେ। କଟକରେ ବିଭିନ୍ନ ଅସୁବିଧା ସମୟରେ ଛାତ୍ରମାନଙ୍କୁ ଏକଜୁଟ କରି ସେ ବିଭିନ୍ନ ଜନସେବା କରୁଥିଲେ। କେବଳ ଉଚ୍ଚ ଶିକ୍ଷା ପାଇଁ ସେ କୋଲକାତା ଯାଇଥ‌ିଲେ। ଏପରିକି ମଝି‌ରେ ଲଣ୍ଡନ ମଧ୍ୟ ଯାଇଥିଲେ। କଟକ ମାଟିରୁ ତାଙ୍କର ସମସ୍ତ ପ୍ରତିଭାର ମୂଳଦୂଆ ପଡ଼ିଥିଲା। ଏସବୁ ‌ଦୃଷ୍ଟିରୁ ତାଙ୍କୁ କୋଲକାତା ବା ଅନ୍ୟସ୍ଥାନର କୁ‌ହାଯାଇ ପାରିବ ନାହିଁ।

-ଡାକ୍ତର ଗୁରୁପ୍ରସାଦ ମହାନ୍ତି, ଉତ୍କଳ ସମ୍ମିଳନୀ

ସମ୍ବନ୍ଧିତ ଖବର