ଆଇଆଇଏଫ୍‌ଏଲ ଡକାୟତି; ମାନାପୁରମ୍‌ ଶାଖା ପରିଚାଳକ ପୀତାମ୍ବର ଗିରଫ

ରାଉରକେଲା, ଗୁଜୁରାଟ, ପଞ୍ଜାବରେ ହୋଇଥିଲା ସମାନ ଶୈଳୀରେ ଡକାୟତି

କଟକ: ନୟାସଡ଼କ ଆଇଆଇଏଫଏଲରେ ଯେଉଁ ଢଂଗରେ ଡକାୟତି ହୋଇଛି, ସମାନ ଧରଣର ଡକାୟତି ରାଉରକେଲା, ପଞ୍ଜାବ ଓ ଗୁଜୁରାଟରେ ଥିବା ଆଇଆଇଏଫଏଲ ଶାଖାରେ ବି ହୋଇଥିବା ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ଉକ୍ତ ଶାଖାରେ ସୁନା ଅଳଙ୍କାର ଲୁଟ୍‌ ହୋଇଛି। ତେବେ ଆଇଆଇଏଫଏଲରେ କେଳେଙ୍କାରୀ ଓ ଡକାୟତି ପଛରେ ଏକ ଅନ୍ତଃରାଜ୍ୟ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲିମିଟେଡ୍‌ରେ ଦ୍ବିତୀୟ ଥର ଆଉ ଜଣେ ଶାଖା ପରିଚାଳକ ପୀତାମ୍ବର ସାହୁ ଗିରଫ ହୋଇଛନ୍ତି।

ନୟାସଡ଼କ ଆଇଆଇଏଫଏଲ୍‌ରେ ସୁନା କେଳେଙ୍କାରୀ ଲିଙ୍କ୍‌ରେ ଲାଲବାଗ ଥାନା ପୁଲିସ ଆଲାମଚାନ୍ଦ ବଜାରର ପୀତାମ୍ବରଙ୍କୁ ଆଜି ଗିରଫ କରିଛି। ଆଇଆଇଏଫଏଲରୁ ଲାଲା ଅମୃତ ସାଗର ରାୟ ଯେଉଁ ସୁନା ଅଳଙ୍କାର ଲୁଟ୍‌ କରିଥିଲା, ସେହି ଅଳଙ୍କାର ବଜ୍ରକବାଟି ମାନାପୁରମ୍‌ରେ ନକଲି ପରିଚୟପତ୍ର ବ୍ୟବହାର କରି ନକଲି ଆକାଉଣ୍ଟରେ ଜମା କରିଥିଲା। ଏହି କେଳେଙ୍କାରୀ ପୀତାମ୍ବରଙ୍କର ଜାଣତରେ ହୋଇଥିବା କୁହାଯାଉଛି। ବୁଧବାର ମାନାପୁରମରେ ପୁଲିସ ଚଢ଼ଉ କରି ୧୫ରୁ ଅଧିକ ନକଲି ଆକାଉଣ୍ଟ ଚିହ୍ନଟ କରିବା ସହିତ ପ୍ରାୟ ୮ କେଜି ଓଜନର ଆଇଆଇଏଫଏଲ ଶାଖାର ସୁନା ଜବତ କରିଥିଲା।

ଗତ ବୁଧବାର ପୀତାମ୍ବରଙ୍କର ବିବାହ ହେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପୁଲିସ ୧୯ ତାରିଖରେ ଡକାୟତି ପରେ ବାରମ୍ବାର ଜେରା କରିବା ପରେ ବିବାହ ବାତିଲ୍‌ ହୋଇଥିବା କୁହାଯାଉଛି। ଅନ୍ୟପଟେ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସ କେଳେଙ୍କାରୀ ଓ ଡକାୟତି ମାମଲାରେ ଲାଲବାଗ ଥାନା ପୁଲିସ କରିତକର୍ମା ଲାଲା ଅମୃତ ସାଗର ରାୟ ସମେତ ଡକାୟତିରେ ସାମିଲ ଥିବା ସନ୍ତୋଷ ଭୋଇ, ପବିତ୍ର କୁମାର ବେହେରା, ପ୍ରକାଶ କୁମାର ସାହୁ ଏବ˚ ରାଜକିଶୋର ସାହୁକୁ ୩ ଦିନିଆ ରିମାଣ୍ତରେ ଆଣି ଆଜିଠାରୁ ମୁହାଁମୁହିଁ ଜେରା ଆରମ୍ଭ କରିଛି। ଏହି ୫ ଜଣଙ୍କୁ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସକୁ ଆଜି ଦିନ ପ୍ରାୟ ୩ଟା ବେଳେ ପୁଲିସ ଆଣିଥିଲା।

Sambad

ସେଠାରେ ପ୍ରାୟ ଏକ ଘଣ୍ଟା କାଳ ସିନ୍‌ ରିକ୍ରିଏସନ୍‌ କରାଇଥିଲା। ଅର୍ଥାତ ଗଲା ୧୯ ତାରିଖରେ ୪ ଡକାୟତ କିଭଳି ଡକାୟତି କରିଥିଲେ, ସେ ସମ୍ପର୍କରେ ସେମାନେ ପୁଲିସ ଟିମ୍‌ ସାମନାରେ ନାଟ୍ୟ ରୂପାନ୍ତର କରିଥିଲେ। ଲାଲା ଅମ୍ରୁତ ପୁଲିସକୁ ବଜ୍ରକବାଟି ମାନାପୁରମ୍‌ ଫାଇନାନ୍ସରେ ଚାଲିଥିବା କେଳେଙ୍କାରୀ ସମ୍ପର୍କରେ ଚାଞ୍ଚଲ୍ୟକର ସୂଚନା ଦେଇଥିବା କୁହାଯାଉଛି। ଏହି ବ୍ରାଞ୍ଚରେ ୧୫ରୁ ଅଧିକ ନକଲି ଆକାଉଣ୍ଟ ଖୋଲି ଯେଉଁ ଚୋରା ସୁନା ଜମା ରଖିଥିଲା, ଏ ସମ୍ପର୍କରେ ଉକ୍ତ ଶାଖାରପରିଚାଳକ ପିତାମ୍ବର ସାହୁ ଅବଗତ ଥିଲେ। ପୀତାମ୍ବରଙ୍କର ଜାଣତରେ ମାନାପୁରମରେ ଭୂତ ଆକାଉଣ୍ଟ ଖୋଲାଯାଇଥିବା ଲାଲା ଅମୃତ ପୁଲିସକୁ ସୂଚନା ଦେଇଛି।

କଟକ ନୟାସଡ଼କ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆଇଆଇଏଫଏଲରୁ ଡକାୟତି ଭଳି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଅନ୍ତର୍ଗତ ମ୍ୟାକ୍ସ ଲେନରେ ବି ଆଇଆଇଏଫଏଲ ଫାଇନାନ୍ସରେ ସମାନ ଧରଣର ଡକାୟତି ହୋଇଥିଲା। ୨୦୧୬ ଜୁଲାଇ ୮ ତାରିଖ ଅପରାହ୍ନ ପ୍ରାୟ ୫ଟା ୩୦ ବେଳେ ୭ ଜଣ ମୁଖାପିନ୍ଧା ଡକାୟତ ଏକ କୁଇଣ୍ଟାଲ ସୁନା ଏବ˚ ଟଙ୍କା ଲୁଟି ନେଇଥିଲେ। ଡକାୟତି ଦଳ ବନ୍ଧୁକ ଦେଖାଇ ଏଭଳି କାଣ୍ତ ଘଟାଇଥିଲେ। ବଡ଼ ଆଶ୍ଚର୍ଯ୍ୟର କଥା, ସେହି ଶାଖାରେ ବି କଟକ ଭଳି ସିସିଟିଭି ଅଚଳ ଥିଲା। ସାଇରନ୍‌ ବି ବାଜୁ ନଥିଲା। ସୁରକ୍ଷା କର୍ମୀ ନଥିଲେ। ଲୁଟ୍‌ ସୁନାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଗୁଜୁରାଟ ଭଲସାଦ ଜିଲ୍ଲାରେ ଥିବା ଆଇଆଇଏଫଏଲ୍‌ ଫାଇନାନ୍ସରୁ ଗଲା ଜାନୁଆରି ୯ ତାରିଖରେ ୩୫ କେଜି ସୁନା ଓ ୧ ଲକ୍ଷ ୭୯ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଡକାୟତି ଦଳ ସ˚ସ୍ଥାର କର୍ମଚାରୀଙ୍କ ହାତ ବାନ୍ଧି ଲୁଟିଥିଲେ। ଡକାୟତି ବେଳେ କେହି ସୁରକ୍ଷା କର୍ମୀ ନ ଥିଲେ। ପଞ୍ଜାବ ଲୁଧିଆନାର ଗିଲ୍‌ ରୋଡ୍‌ରେ ଗଲା ଫେବ୍ରୁଆରି ୧୭ ତାରିଖ ୫ ଜଣ ଡକାୟତ ଆଇଆଇଏଫଏଲ ଫାଇନାନ୍ସରୁ ୩୦ କେଜି ସୁନା ଲୁଟିନେଇଥିଲେ। ଦିନ ପ୍ରାୟ ୧୦ଟା ୧୫ ବେଳେ ୪ ମୁଖା ପିନ୍ଧା ଡକାୟତ ଦଳ ବନ୍ଧୁକ ଦେଖାଇ ଲୁଟିଥିଲେ। ଯିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର