ବେଆଇନ ରସିଦ୍‌ରେ ପାର୍କିଂ ଫି’ ଆଦାୟ: ‘ପୁଲିସ୍‌ବାଲା କହିଲେ ଛାଡ଼ି ଦେଉଛୁ, ଆଉ ସମସ୍ତଙ୍କଠୁ ନେଉଛୁ’

ସଲାସୁତରାରେ ପାର୍କିଂ ଷ୍ଟାଣ୍ଡ୍

କଟକ: ଗୋଟିଏ ପଟେ ସହରରେ ବେଆଇନ୍ ଗାଡ଼ି ପାର୍କିଂ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଟ୍ରାଫିକ୍ ସମସ୍ୟା ପ୍ରତି ପୁଲିସ୍ ଆଖିବୁଜି ଦେଇଛି। ଅନ୍ୟପଟେ କିନ୍ତୁ ଯେଉଁସବୁ ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଛି, ସେଠାରେ ବେଆଇନ୍ ଭାବେ ସଲାସୁତରାରେ ପାର୍କିଂ ଫି’ ଆଦାୟ କରାଯାଇ ସାଧାରଣ ଲୋକଙ୍କ ଅର୍ଥ ହରିଲୁଟ୍ ଚାଲିଛି। ସେଥିରେ କଟକ ମହାନଗର ନିଗମର ରାଜକୋଷକୁ ଫାଇଦା ମିଳୁ ନଥିଲେ ବି କର୍ତ୍ତୃପକ୍ଷଙ୍କ ନିରବତା ସନ୍ଦେହର କାରଣ ହୋଇଛି। ଅନ୍ୟପଟେ ପାର୍କିଂସ୍ଥାନରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଏହାର ‌ଆଇନଗତ ବୈଧତା ନେଇ ପ୍ରଶ୍ନ କଲେ ବିଚିତ୍ର ଉତ୍ତର ମିଳୁଛି। ‘ପୁଲିସ୍ ବାଲା କହିଲେ ଗାଡ଼ି ପାଇଁ ଟଙ୍କା ନେଉନୁ। ଆଉ ସମସ୍ତଙ୍କଠାରୁ ଆଦାୟ କରୁଛୁ।’ ବ୍ୟକ୍ତିଙ୍କ ଏଭଳି ଉତ୍ତର ପ୍ରଚଳିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଅର୍ଥାତ ପୁଲିସବାଲାଙ୍କ ଠାରୁ ଟଙ୍କା ନ ନେଲେ ‌ଏଭଳି ବେଆଇନ କାରବାରକୁ ସୁରକ୍ଷା ମିଳୁଥିବା ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କ କଥାରୁ ସ୍ପଷ୍ଟ ହୋଇଛି। କଟକ ସହରର ଏକାଧିକ ସ୍ଥାନରେ ଏଭଳି କାରବାର ଚାଲିଥିବା ବେଳେ ଏହାର ନିଚ୍ଛକ ପ୍ରମାଣ ମିଳିଛି ମାତାମଠ ନିକଟରେ। ସେଠାରେ ସିଏମ୍‌ସିର ନିର୍ଦ୍ଧାରିତ ପାର୍କିଂସ୍ଥାନ ରହିଛି। ସେଠାରେ ଗାଡ଼ି ରଖିଲେ ସିଏମ୍‌ସିର ରସିଦ୍ ଦେଇ ଚାରି ଚକିଆ ଗାଡ଼ି ପାଇଁ ୨୦ ଟଙ୍କା ଆଦାୟ କରାଯିବା କଥା।

‌କିନ୍ତୁ ସେଠାରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତି ଜଣକ ‘ଶ୍ରୀ ଶ୍ରୀ ରଘୁନାଥଜୀଉ ମହାଦେବ ପାର୍କିଂ ଷ୍ଟାଣ୍ଡ୍’ ନାମରେ ଏକ ରସିଦ୍ ଧରାଇ ଟଙ୍କା ମାଗୁଛନ୍ତି। ସେହି ରସିଦରେ ସିଏମସିର ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ସିଏମ୍‌ସି ରେକର୍ଡରେ ଏହି ପାର୍କିଂ ଷ୍ଟାଣ୍ଡ ରହିଛି। ତେବେ ଆଦାୟ ହେଉଥିବା ଟଙ୍କା କାହା ପକେଟ୍‌କୁ ଯାଉଛି? ସରକାରୀ ଜାଗାରୁ ଏଭଳି ପାର୍କିଂ ଫି’ ଆଦାୟ କରିବା ଅଧିକାର କୌଣସି ଘରୋଇ ବ୍ୟକ୍ତି, ସଂସ୍ଥା ଅଥବା ଅନୁଷ୍ଠାନଙ୍କର ନାହିଁ। ଏହା ସଂପୂର୍ଣ୍ଣ ଭାବେ ବେଆଇନ୍। ଅନ୍ୟପଟେ ସିଏମ୍‌ସି ଏଠାରୁ ପାର୍କିଂ ଫି ଆଦାୟ କରିବାର ସୁଯୋଗ ଥିଲେ ବି କେଉଁ କାରଣରୁ ଏଭଳି ବେଆଇନ୍ କାରବାରକୁ ପ୍ରୋତ୍ସାହନ ଦିଆଯାଉଛି, ତାହା ବି ସନ୍ଦେହର କାରଣ ହୋଇଛି। ସେହି ପାର୍କିଂ ଅଞ୍ଚଳରେ ଅଧିକାଂଶ ସମୟରେ ପୁଲିସ ପାଟ୍ରୋଲିଂ ଗାଡ଼ି ବି ଅଟକି ରହୁଛି। କିନ୍ତୁ ସେମାନେ ବି ଏଭଳି ବେଆଇନ କାରବାର ସଂପର୍କରେ ଜାଣି ଅଜଣା ରହୁଛନ୍ତି। ଏଭଳି ସଲାସୁତରାରେ ବେଆଇନ୍ ଭାବେ ସାଧାରଣ ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ହରିଲୁଟ୍ ଘଟଣାର ତଦନ୍ତ ପାଇଁ ଦାବି ହେଉଛି। ଏ ସଂପର୍କରେ ସିଏମ୍‌ସି ଲାଇସେନ୍ସ କମିଟି ଅଧ୍ୟକ୍ଷ ଏ. ଶ୍ରୀଦେବୀ କହିଛନ୍ତି ଯେ ଆଗକୁ ହେବାକୁ ଥିବା କମିଟିର ବୈଠକରେ ଏ ଘଟଣାର ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର