କଟକ: ପୌର ନିଗମର କୋଟି କୋଟି ଟଙ୍କାର ଗାଡ଼ି ଏବେ ରାସ୍ତା କଡ଼ରେ ପଡିଛି। ନିଗମର ବିଜୁଭବନ କାର୍ଯ୍ୟାଳୟ ସମ୍ମୁଖରେ ସରକାରୀ ଓ ବେସରକାରୀ ଗାଡି ରାସ୍ତାପାର୍ଶ୍ବରେ ଛିଡା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ବେଳେ ଏଥିପ୍ରତି ଆଖି ବୁଜି ଦେଇଛନ୍ତି ନିଗମ କର୍ତ୍ତୃପକ୍ଷ। ସେପଟେ ନିଗମର ନିଜସ୍ବ ଗାଡ଼ି ରାସ୍ତାକଡରେ ପଡି ରହୁଥିବା ବେଳେ ଘରୋଇ ସଂସ୍ଥାର ଗାଡି ପାଇଁ ନିଗମ ଯୋଗାଇ ଦେଇଛି ସ୍ଥାନ। ଏଥିରେ କର୍ତ୍ତୃପକ୍ଷଙ୍କ ଠିକାସଂସ୍ଥା ପ୍ରୀତି ଜଳ ଜଳ ଦେଖାଯାଉଛି। ପୌର ନିଗମରେ କାମ କରିବା ପାଇଁ ମେକାନିକାଲ୍ ସେକ୍ସନ୍ ଅଧୀନରେ ରହିଛି ୧୬୦ରୁ ଅଧିକ ଗାଡି। ସେଥିମଧ୍ୟରୁ ଶହେରୁ ଅଧିକ ଘରୋଇ ଗାଡି ହୋଇଥିବା ବେଳେ ୪୦ରୁ ଅଧିକ ସରକାରୀ ଗାଡି ରହିଛି। ସରକାରୀ ଗାଡି ମଧ୍ୟରେ ଜେସିବି, ବବ୍କ୍ୟାଟ, ଟାଟା ଏସିଇ, ଇଣ୍ଡିକା ପରି ବିଭିନ୍ନ ଗାଡ଼ି ରହିଛି। ପୂର୍ବରୁ ସରକାରୀ ଓ ଘରୋଇ ସଂସ୍ଥାର ଗାଡ଼ିଗୁଡ଼ିକ ବିକାଶ ଭବନ ପଛରେ ଥିବା ନିଗମର ଖୋଲା ଜାଗାରେ ରହୁଥିଲା। ମାତ୍ର ନେତାଜୀ ବସ୍ ଟର୍ମିନାଲ ପାଇଁ ବିକାଶ ଭବନ କାର୍ଯ୍ୟାଳୟ ପଛପାର୍ଶ୍ବ ସ୍ଥାନକୁ ଅଧିଗ୍ରହଣ କରାଯାଇଛି।
ଏଠାରେ ଥିବା ନିଗମର ବହୁ ପୁରୁଣା ଓ ଅଚଳ ଗାଡ଼ିଗୁଡ଼ିକର ନିଲାମ ଏହା ମଧ୍ୟରେ ହୋଇଯାଇଛି। ସେପଟେ ନିଗମର ନିଜସ୍ବ ଗାଡ଼ି କେଉଁଠି ରହିବ ଏନେଇ ଅଧିକାରୀ କୌଣସି ନିଷ୍ପତ୍ତି ନେଲେ ନାହିଁ। ଶେଷରେ କିଛି ଗାଡ଼ି ସହିଦ୍ ଭବନ ପରସିରରେ ରହୁଥିବା ବେଳେ ଆଉ କିଛି ଏହାର ସମ୍ମୁଖ ରାସ୍ତାକଡ଼ରେ ଦୀର୍ଘମାସ ଧରି ରଖାଯାଉଛି। ରାସ୍ତାପାର୍ଶ୍ବରେ ଦାମୀ ଗାଡ଼ି ରହୁଥିବାରୁ ରାତିରେ ସେଥିରୁ ଅନେକ ଯନ୍ତ୍ରାଂଶ ଚୋରି ହେଉଥିବା ଅଭିଯୋଗ ହୋଇଛି। ଗାଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଡ୍ରାଇଭରଙ୍କ ତରଫରୁ ବାରମ୍ବାର ଦାବି ହେଉଥିବା ବେଳେ ଏହାକୁ କର୍ତ୍ତୃପକ୍ଷ ଏଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ସେପଟେ ସରକାରୀ ଗାଡ଼ି ସହ ବହୁ ଘରୋଇ ଗାଡ଼ି ଏବେ ବିଜୁ ଭବନ ଓ ସହିଦ୍ ଭବନ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ପୌର ନିଗମର ପାର୍କିଂ ସ୍ଥାନରେ ଉଠାଦୋକାନ ଖୋଲିଛି। ପ୍ରତିଦିନ ଏହି ବାଟ ଦେଇ ସିଏମ୍ସି ମେୟର, କମିସନର୍ଙ୍କ ସମେତ ବହୁ ଅଧିକାରୀ ଯିବା ଆସିବା କରୁଥିବା ବେଳେ ଏହା ଉପରେ କାହାର ନଜର ପଡ଼ୁ ନାହିଁ। ବିଜୁ ଭବନ ଓ ସହିଦ ଭବନ ସମ୍ମୁଖ ରାସ୍ତାରୁ ସରକାରୀ ଓ ଘରୋଇ ଗାଡି ହଟାଇବାକୁ ସଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/IMG_20220809_185604092237.jpg)