ମହାନଗରରେ ମହାଲୁଟ: ଚୁକ୍ତି ଖିଲାପ କରି ୨୬୦୦ ବଦଳରେ ଟନ୍ ପିଛା ଦିଆଯାଇଛି ୪୬୩୫ ଟଙ୍କା

ବର୍ଷକରେ ସଂସ୍ଥା ନେଲାଣି ୫ କୋଟିରୁ ଅଧିକ

କଟକ: କଟକ ମହାନଗର ନିଗମ( ସିଏମସି)ରେ ବର୍ଜ୍ୟବସ୍ତୁ ପରିଚାଳନା ଆଳରେ ଚାଲିଥିବା ମହାଲୁଟର ସଂଗିନ ତଥ୍ୟ ଗୋଟିଏ ପରେ ଗୋଟିଏ ସାମନାକୁ ଆସୁଛି। ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ସଂସ୍ଥା‌ ବିବିଜିକୁ ସିଏମସି ଅହେତୁକ ଅନୁକଂପା ଦେଖାଇଛି। ଚୁକ୍ତିର ଖିଲାପରେ ଅଧିକ ଟଙ୍କା ପୈଠ କରାଯାଇଛି। ଯେଉଁଠି ଟନ୍ ପିଛା ୨୬୦୬ ଟଙ୍କା ଦିଆଯିବା କଥା ସେଠି ୪୬୩୫ ଟଙ୍କା ଦିଆଯାଇଛି। ଏଭଳି ତଥ୍ୟ ସାମନାକୁ ଆସିବା ପରେ ବି କର୍ତ୍ତୃପକ୍ଷଙ୍କ ନିରବତା ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଟାଣି ଆଣିଛି। ଏଭଳି ସ୍ଥିତିରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି। ୨୦୧୮, ଏପ୍ରିଲରୁ ବିନା ଟେଣ୍ଡର‌ରେ ବିବିଜି ବର୍ଜ୍ୟବସ୍ତୁ ପରିଚାଳନାରେ ନିୟୋଜିତ ଅଛି। ସିଏମସି ବର୍ଜ୍ୟବସ୍ତୁ ଉଠାଇବା ପାଇଁ ହାଇଦ୍ରାବାଦର ରାମକୀ ସହିତ ୨୦୧୧ ମାର୍ଚ୍ଚ ୮ ତାରିଖରେ ସିଏମସି ଚୁକ୍ତି କରିଥିଲା। ଚୁକ୍ତି ମୁତାବକ ରାମକୀ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ ପାଇଁ ଟନ୍ ପିଛା ୧୭୬୪ ଟଙ୍କା ନେବାକୁ ଧାର୍ଯ୍ୟ ହୋଇଥିଲା। ସେହିଭଳି ଡେବ୍ରିସ ପାଇଁ ପ୍ରତି କ୍ୟୁବିକ ମିଟର ପିଛା ସେତେବେଳେ ୨୦୭ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଚୁକ୍ତିର ୧୨ ନଂ ପଏଣ୍ଟ ୨ନଂ କ୍ଲଜ୍‌ରେ ଉଲ୍ଲେଖ ଥିଲା କି ପ୍ରତିବର୍ଷ ଏହି ଦର ୫ ପ୍ରତିଶତ ବୃଦ୍ଧି ହେବ। ସମୟ କ୍ରମେ ଏହା ବୃଦ୍ଧି ମଧ୍ୟ ଘଟୁଥିଲା।

ମ‌ାତ୍ର ୨୦୧୮ରେ ରାମକୀ ସହ ଚୁକ୍ତି ବାତିଲ ହେବା ପରେ ଏହି କାମ ବିଜିଜି ମେଟାଲ ସିଣ୍ଡିକେଟ ପ୍ରାଇଭେଟ ଲମିଟେଡକୁ ଦିଆଯାଇଥିଲା। ଟେଣ୍ଡର ଚୂଡାନ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ବ ସଂସ୍ଥାକୁ ଦିଆଯାଇଥିଲା। ସାନି ଟେଣ୍ଡର ନ ହେବା ପର୍ଯ୍ୟନ୍ତ ୨୦୧୧ରେ ରାମକୀ ସହିତ ହୋଇଥିବା ଚୁକ୍ତି ବଳବତ୍ତର ରହିବ ବୋଲି ବି ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା। ୨୦୧୮ ଏପ୍ରିଲରୁ ବିବିଜି କାମ ଆରମ୍ଭ କରିଥିଲା। ବିଭିନ୍ନ କାରଣରୁ ଟେଣ୍ଡର ହୋଇ ପାରି ନଥିବାରୁ ଆଜି ଯାଏ ବିବିଜି ଏହି କାମ କରି ଆସୁଛି। ବିବିଜି ସହିତ ହୋଇଥିବା ଚୁକ୍ତିରେ ବିବିଜିକୁ ଟନ ପିଛା ୨୩୬୩.୯୨ ଟଙ୍କା ଓ ଆବର୍ଜନା ବାବଦକୁ କ୍ୟୁବିକ ମିଟର ପିଛା ୨୭୭ ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ମାତ୍ର ଚତୁରତାର ସହିତ ଏହି ଚୁକ୍ତିର ଖିଲାପ କରାଯାଇଛି। ଆବର୍ଜନା ବିଲ ୨୬୦୬ ଟଙ୍କା ଦେଇ ମଜୁରୀ ବାବଦରେ ଅଧିକ ୧୮୯୯ ଟଙ୍କା ପକାଇ ଟନ ପିଛା ୪୬୩୫ ଟଙ୍କା ହିସାବରେ ବିଲ୍ ପ୍ରସ୍ତୁତ ହୋଇଥିବା ଫେବ୍ରୁଆରି ମାସ‌‌ ବିଲରୁ ଜଣାପଡିଛି। ଅର୍ଥାତ ଚୁକ୍ତିର ୫ ପ୍ରତିଶତ ବୃଦ୍ଧି ସର୍ତ୍ତାବଳୀକୁ ଖୋଲାଖୋଲି ଉଲଂଘନ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ୨୦୨୦ରେ ମିଳିଥିବା ବିଲ୍‌ କପିରୁ ଏ କଥା ସ୍ପଷ୍ଟ ହୋଇଛି। ତେବେ ୨୬୦୬ ଟଙ୍କା ବଦଳରେ ୪୬୩୫ ଟଙ୍କା ପ୍ରତି ଟନ ପିଛା ଦିଆଗଲା କିପରି? କେଉଁ ନିର୍ଦ୍ଦେଶ ବଳରେ ସିଏମସି ଫାଇନାନସ ବିଭାଗ ଏ ଟଙ୍କା ଦେବାକୁ ଅନୁମତି ଦେ‌ଲା?

ଆବର୍ଜନା ଉଠାଇବାକୁ ଦାୟିତ୍ବ ନେଇଥିବା ସଂସ୍ଥ‌ାକୁ ମଜୁରୀ ବୃଦ୍ଧିକୁ ଆଳ କରି କିଭଳି ଟଙ୍କା ଦିଆଗଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରୁଛି। ଏଭଳି ହିସାବରେ ୨୦୨୦ରେ ବିବିଜି ୫ କୋଟିରୁ ଅଧିକ ଟଙ୍କା ନେଇଥିବା ଜଣାପଡିଛି। ଏ ସଂପର୍କରେ ବିବିଜିର ଗୀତିରଂଜନ ମହାନ୍ତି କହିଛନ୍ତି ଯେ ସବୁ କିଛି ଠିକ୍ ଅଛି। ସବୁ ଆଇନ ଅନୁସାରେ ‌‌ହୋଇଛି। ସେପଟେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ‌ଏହା ହୋଇଥିବା କହିଛନ୍ତି। ସିଏମସି ପ୍ରଶାସକ ତଥା ଆରଡିସି ଅନିଲ ସାମଲ କିନ୍ତୁ ଏ ସଂପର୍କରେ କିଛି ଜାଣିନଥିବା କହିଛନ୍ତି। ଏଭଳି ସ୍ଥିତିରେ ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର