ହାର୍ଡ‌କୋକ୍ ଚୋରାଚାଲାଣ ଘଟଣାରେ ୧୦ ଜେଲ୍‌ ଗଲେ

ଚୌଦ୍ବାର: ଚୌଦ୍ବାର ନିକଟରୁ ବେଆଇନ୍ ଭାବେ ହାର୍ଡକୋକ୍ ଚେରାଚାଲାଣ ଘଟଣାରେ ଏସ୍‌ଟିଏଫ୍ ଟିମ୍ ଆଜି ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୯ଜଣ ବାହାର ରାଜ୍ୟର ଟ୍ରକ୍ ଡ୍ରାଇଭର ହୋଇଥିବାବେଳେ ଜଣେ ନୂଆପାଟଣା ଅଂଚଳର ବ୍ୟବସାୟୀଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ବିଭିନ୍ନ ସମୟରେ ଚୋରା ହାର୍ଡକୋକ୍ କଂଚାମାଲକୁ ବେଆଇନ୍ ଭାବେ ଲୁଟ୍ କରାଯାଇ ମାଫିଆମାନେ କୋଟି କୋଟି ଟଙ୍କା ମୁନାଫା କମାଉଥିବା ଖବର ପାଇ ସେମାନଙ୍କୁ ଧରିବା ପାଇଁ ଗତକାଲି ଚୌଦ୍ବାର ଥାନାର ଟିପିଏମ୍ ଫାଣ୍ତି ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥ ସଂଲଗ୍ନ କଫିବାର ନିକଟସ୍ଥ ବାବା ଧବଳେଶ୍ବର କୋଇଲା ଡିପୋରେ ଏସ୍‌ଟିଏଫ୍ ଟିମ୍ ଚଢ଼ାଉ କରିଥିଲା।

ସେଠାରେ ୯ଜଣ ଡ୍ରାଇଭରଙ୍କ ସମେତ ଅନ୍ୟ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଆଜି ୧୦ଜଣଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଟ୍ରକ୍‌ରେ ଲୋଡ୍‌ ହୋଇଥିବା‌ ୨୮୦ ଟନ୍‌ରୁ ଅଧିକ ଓଜନର ହାର୍ଡକୋକ୍ ଓ ଉକ୍ତ ପ୍ଲଟ୍‌ରେ ଜମା ହୋଇଥିବା ୫୦ ଟନ୍‌ରୁ ଅଧିକ ଓଜନର କଂଚାମାଲ ଜବତ କରାଯାଇଥିଲା। ଆଜି ଏସ୍‌ଟିଏଫ୍ ଟିମ୍ ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଘଟଣାର ମାଷ୍ଟରମାଇଣ୍ତ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର