ପୁଲିସ ଡିଜିଙ୍କୁ ଭେଟିଲେ ସଂଘ କର୍ମକର୍ତ୍ତା: ଡାକ୍ତରଙ୍କୁ ସୁରକ୍ଷା ଦିଅ

କଟକ : ଡାକ୍ତରମାନେ ବର୍ତ୍ତମାନ ପରିସ୍ଥିତିରେ ହସପିଟାଲଗୁଡ଼ିକରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରୋଗୀ ଆଟେଣ୍ଡାଣ୍ଟ ଏବଂ ଡାକ୍ତରଙ୍କ ମଧ୍ୟରେ ଅନେକ ସମୟରେ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ଅପରାଧିକ କାର୍ଯ୍ୟକଳାପକୁ ତୁରନ୍ତ ଦମନ କରିବା ଆବଶ୍ୟକ। ଏଭଳି ଦାବି ନେଇ ଆଜି ଭାରତୀୟ ମେଡିକାଲ୍ ସଂଘ(ଆଇଏମଏ) ଓଡ଼ିଶା ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ପୁଲିସ ଡିଜି ଅଭୟଙ୍କୁ ଭେଟିଛନ୍ତି।

ସୂଚନା ଅନୁସାରେ, କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ସଂଘର କର୍ମକର୍ତ୍ତା ଏବଂ ଡିଜିଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଯୋଗାଇବା ସହିତ ସେମାନଙ୍କ ସହିତ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧୀକ କାର୍ଯ୍ୟକଳାପକୁ ଦମନ ପ୍ରସଂଗକୁ ଗୁରୁତ୍ବ ଦିଆଯାଇଥିଲା। ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ କ୍ଷେତ୍ରରେ ଘଟୁଥିବା ହିଂସା ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାସହିତ ଜିଲ୍ଲାସ୍ତରରେ ଏସପି ଏବଂ ଜିଲ୍ଲା ଆଇଏମଏ ଶାଖାର ପଦାଧିକାରୀଙ୍କ ମଧ୍ୟରେ ସମନ୍ବୟ ଯେଭଳି ରହିବ, ସେ ନେଇ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କୋଭିଡ-୧୯ ପରେ ବି ଡାକ୍ତରଙ୍କ ସୁରକ୍ଷା କ୍ଷେତ୍ରରେ ପୁଲିସ ଯେଭଳି ଅଧିକ ସତର୍କ ରହିବ, ସେ ନେଇ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। କୋଭିଡ-୧୯ ସମୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ଡିଜି ଅଭୟ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ବୈଠକରେ ଡିଜି ଅଭୟଙ୍କ ସମେତ ଏଡିଜି ଆଇନ ଶୃଙ୍ଖଳା ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭାରତୀୟ ମେଡିକାଲ ସଂଘ ଓଡ଼ିଶା ଶାଖାର ପୂର୍ବତନ ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବର୍ତ୍ତମାନର ସଭାପତି ଡାକ୍ତର ନିବେଦିତା ପାଣି, ସମ୍ପାଦକ ଡାକ୍ତର ବ୍ରଜକିଶୋର ଦାଶ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର