୨ବର୍ଷ ଧରି ଅସ୍ଥାୟୀ ଘରେ ୬୦ ବର୍ଷର ଆଇଏମ୍‌ଆଇଟି କଲେଜ

ନିଜସ୍ବ ଜମି ନାହିଁ, କଟିବ ଏଆଇସିଟି ଅନୁମୋଦନ, ୧୦ ଏକର ଜମି ସ୍ଥାନରେ ମିଳୁଛି ୩ ଏକର

କଟକ: ଏସ୍‌ସିବି ସଂପ୍ରସାରଣ ପାଇଁ ବୋସ୍‌ କ୍ୟାମ୍ପସରେ ଥିବା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ଇନ୍‌ଫରମେସନ୍‌ ଟେକ୍ନୋଲୋଜି କଲେଜ (ଆଇଏମ୍‌ଆଇଟି)କୁ ଉଚ୍ଛେଦ କରାଗଲା। ଉଚ୍ଛେଦ ବେଳେ କଲେଜର ଆବଶ୍ୟକତାକୁ ଦେଖି ଏକ ବର୍ଷ ମଧ୍ୟରେ ସହରର ଉପକଣ୍ଠରେ ଜାଗା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଲା। ମାତ୍ର କଲେଜ ଉଚ୍ଛେଦ ହେବାକୁ ଦୁଇବର୍ଷ ବିତିବାକୁ ବସିଥିବା ବେଳେ କଲେଜକୁ ପ୍ରଶାସନ ତରଫରୁ ନିଜସ୍ବ କ୍ୟାମ୍ପସ ପାଇଁ ଜମି ମିଳିପାରିଲା ନାହିଁ। ସେପଟେ କଲେଜର ନିଜସ୍ବ ଶ୍ରେଣୀ ଗୃହ ପରି ସର୍ବନିମ୍ନ ଭିତ୍ତିଭୂମି ନଥିବାରୁ ଏବେ ‘ଅଲ୍‌ ଇଣ୍ଡିଆ କାଉସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ୍‌’ (ଏଆଇସିଟି)ର ଅନୁମୋଦନ କଟିବାର ଆଶଙ୍କା ଦେଖାଦେଇଛି। ଅନୁମୋଦନ କଟିଗଲେ କଲେଜର ସାଟିଫିକେଟ୍‌ର କୌଣସି ମୂଲ୍ୟ ରହିବ ନାହିଁ। ଏହାକୁ ନେଇ କଲେଜରେ ପଢୁଥିବା ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଚିନ୍ତାରେ ଅଛନ୍ତି। ଜିଲ୍ଲା ପ୍ରଶାସନର ଏପରି ଖାମଖିଆଲି କାମ ପାଇଁ ଶହଶହ ଛାତ୍ରଛାତ୍ରୀଙ୍କ ଭବି‌ଷ୍ୟତ ଅନ୍ଧାରକୁ ଠେଲି ହେଇ ଯାଉଥିବା ବେଳେ ସରକାର ଏହା ଉପରେ ଦୃଢ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି ହୋଇଛି। ୧୯୬୨ ମସିହାରେ ସ୍ଥାପିତ ହୋଇଥିବା ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୋଗିକୀ ସଂସ୍ଥାନ ବା ଆଇଏମ୍‌ଆଇଟି କଲେଜର ନିଜସ୍ବ ଶ୍ରେଣୀ ଗୃହରୁ ଆରମ୍ଭ କରି ହଷ୍ଟେଲ, ଲାଇବ୍ରେରି, ଲ୍ୟାବ୍‌, ସମ୍ମିଳନୀ କକ୍ଷ, ଖେଳ ପଡିଆ ପରି ବିଷୟ ନାହିଁ। ବୋସ୍‌ ପରିସରରେ ଏହାକୁ ଦୁଇ ଏକର ଜମିରେ ନିର୍ମାଣ କରାଯାଇଥିବା ବେଳେ ୪୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହା ଆରମ୍ଭ ହୋଇଥିଲା। ମାତ୍ର ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ କରିବା ପାଇଁ ଏହାକୁ ୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ୍‌ ସମୟରେ ଭାଙ୍ଗି ଦିଆଗଲା। ପରେ ସେହିବର୍ଷ ଜୁଲାଇରେ ଏହାକୁ ତୁଳସୀପୁର ମଠସାହିସ୍ଥିତ ଗୌରବ ପ୍ୟାଲେସ୍‌କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଗଲା।

କଲେଜ ଉଚ୍ଛେଦ ସମୟରେ ସହର ନିକଟରେ କଲେଜର ଆବଶ୍ୟକତା ଦେଖି ଜମି ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଗଲା। କଲେଜରେ ଏମ୍‌ସିଏ, ଏମ୍‌ବିଏ, ଏମ୍‌ଟେକ୍‌ ଓ ଏମ୍‌ବିଏ ପାର୍ଟ ଟାଇମ୍‌ ପାଠ୍ୟକ୍ରମରେ ୮ଶହ ଛାତ୍ରଛାତ୍ରୀ ପଢୁଛନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ଭବିଷ୍ୟତକୁ ଦେଖି କଲେଜ ପକ୍ଷରୁ ୧୦ ଏକରର ଜମି ଦେବାକୁ ପ୍ରଶାସନକୁ କୁହାଗଲା। ପ୍ରଥମେ ନରାଜଠାରେ ଜମି ଦେବାକୁ ସ୍ଥିର ହେଲା। ମାତ୍ର ପରେ ପ୍ରଶାସନ ଫୁଲନଖରା ନିକଟରେ ଥିବା ୱାଟର ରିସୋର୍ସ ବିଭାଗର ୩ ଏକର ଜମିକୁ ଆଇଏମ୍‌ଆଇଟିକୁ ଦେବା ପାଇଁ କହିଲା। ହେଲେ ୮ଶହ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ୧୦ ଏକର ଜମି ବଦଳରେ ଏହା ଯଥେଷ୍ଟ ହେବ ନାହିଁ ବୋଲି କଲେଜ ପକ୍ଷରୁ କୁହାଗଲା। ମାତ୍ର ଏହା ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ବିତିଯାଇ ଥିଲେ ବି ଜିଲ୍ଲା ପ୍ରଶାସନ ଏନେଇ କୌଣସି ଉଦ୍ୟମ କରିନାହିଁ।

କଲେଜଟି ନିଜସ୍ବ ଜମିରେ ନ ଥିବାରୁ ଏବେ ଏଆଇସିଟିର ଅନୁମୋଦନ କଟିବାର ଆଶଙ୍କା ଦେଖାଯାଇଛି। ଏପରି ସ୍ଥିତିରେ କଲେଜରେ ପଢୁଥିବା ୮ଶହରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏହାକୁ ନେଇ ଚିନ୍ତାରେ ଅଛନ୍ତି। ଜିଲ୍ଲା ପ୍ରଶାସନ ସେମାନଙ୍କ ଭିବିଷ୍ୟତକୁ ଦେଖି କଲେଜର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ୧୦ ଏକରର ଜମି ଯୋଗାଇବା ଦିଗରେ ପଦ‌କ୍ଷେପ ନେବା ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ଦାବି ହୋଇଛି। କଲେଜର ନିଜସ୍ବ କ୍ୟାମ୍ପସ ପାଇଁ ଫୁଲନଖରାଠାରେ ୩ ଏକରର ଜମି ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର ୮ଶହ ଛାତ୍ରଛାତ୍ରୀଙ୍କୁ ଦେଖି ଅଧିକ ପରିମାଣର ଜମି ଦେବାକୁ ସରକାରଙ୍କୁ ଚିଠି କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ପାରୀ କହିଛନ୍ତି।

ସମ୍ବନ୍ଧିତ ଖବର