କଟକ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିବା ଆଇନ ଅନୁସାରେ ତାଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ। ଏଥିସହିତ ମୃତ ସରକାରୀ କର୍ମଚାରୀଙ୍କ ପତ୍ନୀ ବଞ୍ଚିଥିଲେ ମଧ୍ୟ ତାଙ୍କ ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯାଇ ପାରିବ। ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। ୨୦୧୧ରେ ଚାକିରିରେ ଥାଇ ମୃତ୍ୟୁ ହୋଇଥିବା ସରକାରୀ କର୍ମଚାରୀଙ୍କ ପୁଅକୁ ସେତେବେଳେ ପ୍ରଚଳିତ ଆଇନ ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ କୃଷି ବିଭାଗ ସଚିବ ବିଚାର କରି ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରବିନାରାୟଣ ଆଚାରୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ବାପା ଭୁବନେଶ୍ୱର ସତ୍ୟନଗରରେ ଥିବା କୃଷି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ୨୦୧୧ ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ କର୍ମଚାରୀଙ୍କ ପତ୍ନୀ ରୋଗାକ୍ରାନ୍ତ ଥିବାରୁ ତାଙ୍କ ପୁଅ ତଥା ଆବେଦନକାରୀ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ। ମୃତ କର୍ମଚାରୀଙ୍କ ପତ୍ନୀ ସରକାରୀ ଚାକିରି ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅନୁପଯୁକ୍ତ ବୋଲି ମଧ୍ୟ ମେଡିକାଲ ବୋର୍ଡ ମତ ଦେଇଥିଲେ। କିନ୍ତୁ ମୃତ କର୍ମଚାରୀଙ୍କ ପତ୍ନୀ ବଞ୍ଚିଥିବାରୁ ତାଙ୍କ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇ ସରକାର ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏହାପରେ ମାମଲା ବିଚାର ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଆବେଦନକାରୀଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଦରଖାସ୍ତକୁ ଅଗ୍ରାହ୍ୟ କରାଯିବା ବେଆଇନ ବୋଲି ହାଇକୋର୍ଟ ରାୟ ଦେବା ସହିତ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରହଲ୍ଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/high-court-new-india-express.jpg)