କେବଳ କାଗଜ କଲମରେ ମହାନଗର: କେଉଁଠି ପାଣି ପାଇଁ କୂଅ ଭରସା ତ, କେଉଁଠି ମାଟି ରାସ୍ତାରେ ସାଇକଲ୍ ଗଡ଼ିବା କଷ୍ଟ

କଟକ: ଏମାନକୁ କୁହାଯାଉଛି କଟକ ମହାନଗର ଅଞ୍ଚଳର ବାସିନ୍ଦା। କିନ୍ତୁ ରାସ୍ତା, ଲାଇଟ୍, ଡ୍ରେନ, ପରିମଳ ତ ଦୂରର କଥା, ଏଠି ପିଇବା ପାଣି ପାଇଁ ଲୋକେ ଏବେ ବି ନିର୍ଭର କରୁଛନ୍ତି କୂଅ ଉପରେ। ବର୍ଷା ଦିନରେ ପାଣିକୁ ଫୁଟାଇ ଛାଣି ବ୍ୟବହାର କରୁଛନ୍ତି। ଦୁଇ ବର୍ଷ ତଳେ ‌ଲୋକଙ୍କ ଘର ପର୍ଯ୍ୟନ୍ତ ପାଇପ ଲାଇନ୍ ବିଛା ଯାଇଥିଲେ ବି ଆଜି ସୁଦ୍ଧା ସେଥିରେ ପାଣି ଆସି ନାହିଁ। କଟକ ମହାନଗର ନିଗମର ୩ ନମ୍ବର ୱାର୍ଡରେ ଥିବା ଷଣ୍ଢପୁର କୈବର୍ତ୍ତ ସାହିର ଲୋକଙ୍କର ଇଏ ହେଉଛି ସ୍ଥିତି। ମହାନଗର ନିଗମ ଅଧୀନକୁ ୧୯୯୫ରେ  ୱାର୍ଡର ବିଦ୍ୟାଧରପୁର, ଷଣ୍ଢପୁର, ବ୍ରଜବିହାରୀପୁର, ବେଣ୍ଟକାରପଡ଼ା ଆଦି ଅଞ୍ଚଳ ଆସିଥିଲା। କିନ୍ତୁ ଏଯାଏ ଏହି ଅଞ୍ଚଳଗୁଡ଼ିକ କେବଳ କାଗଜ କଲମରେ ସହରାଞ୍ଚଳ ହୋଇ ରହିଛି।

୩ ନମ୍ବର ୱାର୍ଡର ସମସ୍ୟା

ମହାନଗର ନିଗମର ୩ ନମ୍ବର ୱାର୍ଡ ଅଞ୍ଚଳରେ ରହିଛି ସିଡିଏ ସେକ୍ଟର-୧୦, ସେକ୍ଟର -୧୧, ସେକ୍ଟର-୧୩ର ବାଲିଘାଟ ଗଡା ବସ୍ତି, ବ୍ରଜବିହାରୀପୁର ସହିତ କାଠଯୋଡି ନଦୀର ଆରପଟ ବିଦ୍ୟାଧରପୁର, ଷଣ୍ଢପୁର, ବେଣ୍ଟକାରପଡା ଆଦି ଅଞ୍ଚଳ ରହିଛି। ୧୯୯୫ରେ ବିଦ୍ୟାଧରପୁର, ଷଣ୍ଢପୁର କଟକ ମହାନଗର ନିଗମ ସହିତ ମିଶିଥିଲା। ପୂର୍ବରୁ ୱାର୍ଡ ନମ୍ବର ୩ର ସମସ୍ତ ଅଞ୍ଚଳ ୱାର୍ଡ ନମ୍ବର ୧ ଓ ୨ର ଅଧୀନରେ ଥିଲା। ୨୦୦୯ରେ ଆଜିର ୱାର୍ଡ ନମ୍ବର ୩ର ସ୍ଥିତି ପ୍ରସ୍ତୁତ ହୋଇଥିଲା। ଏବେ ୱାର୍ଡରେ ୨୬ ହଜାରରୁ ଅଧିକ ଲୋକ ଥିବା ବେଳେ ଭୋଟରଙ୍କ ସଂଖ୍ୟା ୧୪ ହଜାର ଉପରେ ଅଛି। ୨୦୦୯ରେ ଏଠାରୁ ବିଜେପିରୁ ସୁଧୀର କୁମାର ରାଉତ ବିଜୟୀ ହୋଇଥିବା ବେଳେ ୨୦୧୪ରେ ସେବତୀ ମାଝୀ ବିଜେଡିରୁ ବିଜୟ ହୋଇଥିଲେ। ୨୦୦୯ରେ ଏହା ସାଧାରଣ ବର୍ଗଙ୍କ ପାଇଁ ୨୦୧୪ରେ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ୱାର୍ଡର ସିଡିଏ ସେକ୍ଟର ୧୦ ଓ ୧୧ ବାସିନ୍ଦାଙ୍କ ପାଇଁ ବର୍ଷା ଜଳ ନିଷ୍କାସନ ଏକ ମୁଖ୍ୟ ସମସ୍ୟା ହୋଇଛି। ଟିକିଏ ବର୍ଷା ହେଲେ ଉକ୍ତ ସେକ୍ଟରର ବିଭିନ୍ନ ରାସ୍ତାରେ ୪ରୁ ୬ ଘଣ୍ଟା ଧରି ପାଣି ଜମି ରହୁଛି। ଦୁଇଟି ସେକ୍ଟରରେ ୧୫ ହଜାରୁ ଅଧିକ ଲୋକ ରହୁଥିଲେ ବି ଏଠାରେ ଖେଳ ପଡିଆ, ସିଏମ୍‌ସିର କମ୍ୟୁନିଟି ସେଣ୍ଟର, ଭେଣ୍ଡିଂ ଜୋନ୍‌, ମାର୍କେଟ କଂପ୍ଲେକ୍ସ ନାହିଁ। ସେପଟେ ବିଦ୍ୟାଧରପୁର, ଷଣ୍ଢପୁର, ବେଣ୍ଟକାରପଡା, ବ୍ରଜବିହାରୀପୁର ଅଞ୍ଚଳର ବାସିନ୍ଦାଙ୍କ ନିକଟରେ ସିଏମ୍‌ସିର ମୌଳିକ ସେବା ଏଯାଏ ପହଞ୍ଚିପାରି ନାହିଁ।

ଏଠାକୁ ନିଗମର ସଫେଇ କର୍ମଚାରୀ ଆସୁନଥିବା ବେଳେ ଅ‌ଳିଆ ବୁହା ଗାଡିକୁ ସ୍ଥାନୀୟ ବାସିନ୍ଦା ଦେଖି ନାହାନ୍ତି। ଏଠାରେ ମହାନଗର ନିଗମ ପକ୍ଷରୁ ଡ୍ରେନେଜର ବ୍ୟବସ୍ଥା କରାଯାଇ ନାହିଁ। ଆଜି ବି ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟପାଣି ଖୋଲାସ୍ଥାନରେ ଶୁଖୁଛି। ବର୍ଷରେ ଥରେ କି ଦୁଇଥର ମଶା ଧୂଆଁ ଗାଡି ଅଞ୍ଚଳକୁ ଆସୁଥିବା ବେଳେ ବୁସ୍‌ କଟିଂ କାମ ଏଠାରେ କେବେ ହୋଇ ନାହିଁ। ଅଞ୍ଚଳରେ ‌‌ସିଏମ୍‌ସିର ଡ୍ରେନ ନଥିବାରୁ ଏଠାକୁ ମଶା ତେଲ ମେସିନ୍‌ କେବେ ଆସିନାହିଁ। ୱାର୍ଡର ବିଦ୍ୟାଧରପୁର ଓ ବେଣ୍ଟକାରପଡାରେ ଥିବା ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବେଳେ ଅଞ୍ଚଳର ମୁଖ୍ୟ ରାସ୍ତା ଗୁଡିକ ଦୀର୍ଘ ବର୍ଷ ଧରି ମରାମତି ହୋଇ ନଥିବାରୁ ଖାଲଖମାରେ ଭରି ରହିଛି। ସେପଟେ ପିଇବା ପାଣିର ସମସ୍ୟା ଏଠାରେ ଥିବା ବେଳେ ଲୋକେ ନିଜ ଉଦ୍ୟମରେ ନିମଗର ନଳକୂପକୁ ମରାମତି କରୁଛନ୍ତି। ୱାର୍ଡର ଷଣ୍ଢପୁର କୈବର୍ତ୍ତ ସାହିରେ ୨୫ରୁ ଅଧିକ ପରିବାର ରହୁଥିବା ବେଳେ ଏଠାରେ ପିଇବା ପାଣିର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସାହିର ଲୋକେ ଏଠାରେ ଥିବା ଏକ କୂଅର ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ବର୍ଷା ଦିନରେ ପାଣି ଗୋଳିଆ ହୋଇଯାଉ ଥିବାରୁ ଏହାକୁ ଫୁଟାଇ ଓ ଛାଣି ପିଉଛନ୍ତି। ସେପଟେ ସାହିରେ ଡ୍ରେନର ବ୍ୟବସ୍ଥା ନଥିବାରୁ ରାସ୍ତାରେ ବ‌ର୍ଷା ଦିନେ ଏକ ଫୁଟ ପାଣି ଜମି ରହୁଛି।

ଭେଣ୍ଡିଂ ଜୋନ୍‌, ମାର୍କେଟ୍‌ କଂପ୍ଲେକ୍ସ ଓ ଖେଳ ପଡ଼ିଆ ନିର୍ମାଣ ହେଉ
ୱାର୍ଡର ‌ସିଡିଏ ସେକ୍ଟର ୧୦ ଓ ୧୧ରେ ୧୫ ହଜାରରୁ ଅଧିକ ଲୋକ ରହୁଛନ୍ତି। ହେଲେ ଏଠାରେ ଭେଣ୍ଡିଂ ଜୋନ୍‌ କି ମାର୍କେଟ କଂପ୍ଲେକ୍ସ ନାହିଁ। ୱାର୍ଡରେ ଯେଉଁ ଖେଳ ପଡିଆ ଥିଲା ସେଠାରେ ଏବେ ପାର୍କ ନିର୍ମାଣ ଚାଲିଛି। ସ୍ଥାନୀୟ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଥିବା ଡ୍ରେନ ଗୁଡିକ ୨୫ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଅନେକ ଏବେ ଭାଙ୍ଗି ଗଲାଣି। ସେଗୁଡିକୁ ଭଙ୍ଗା ଯାଇ ନୂଆ ଡ୍ରେନ ନିର୍ମାଣ କରାଯାଉ।
ପ୍ରଦୋଷ ଦାଶ, ସିଡିଏ-୧୧ ବାସିନ୍ଦା

Sambad

ସଫେଇ କାର୍ମଚାରୀ କେବେ ଆସନ୍ତି ନାହିଁ
ନାମକୁ ମାତ୍ର ଆମେ ସହରାଞ୍ଚଳର ବୋଲି ଆଖ୍ୟା ପ‌େଇଛୁ। ହେଲେ ବାସ୍ତବ କ୍ଷେତ୍ରରେ ଆମ ନିକଟରେ ଗ୍ରାମାଞ୍ଚଳର ସୁବିଧା ବି ପହଞ୍ଚି ପାରିନାହିଁ। ସିଏମ୍‌ସି ଅଧୀନରେ ବିଦ୍ୟାଧରପୁର ଥିଲେ ବି ଏଠାକୁ ନିଗମର ସଫେଇ କର୍ମଚାରୀ କେବେ ଆସନ୍ତି ନାହିଁ। ଅଞ୍ଚଳର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଗଦା ହୋଇ ରହୁଥିବା ବେ‌େଳ ଅଞ୍ଚଳବାସୀ ଏହାକୁ ପୋଡି କିମ୍ବା ପୋତିକି ନଷ୍ଟ କରିଥାନ୍ତି। ଜାଇକା କିମ୍ବା ଅମୃତ ଯୋଜନା ଏଠାରେ ଆରମ୍ଭ ହୋଇନାହିଁ। ପରିମଳ ସମସ୍ୟା ଦିଗରେ ସିଏମ୍‌ସି କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ବାରମ୍ବାର ଦାବି କରିଛୁ। ମାତ୍ର କୌଣସି ସୁଫଳ ପାଇନାହୁଁ।
ପ୍ରଶାନ୍ତ କୁମାର ବେହେରା, ବିଦ୍ୟାଧରପୁର ବାସିନ୍ଦା

ଡ୍ରେନ୍‌ ଓ ଏଲ୍‌ଇଡିର ମରାମତି ହେଉନାହିଁ
ସିଡିଏ ସେକ୍ଟର ୧୦ର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ପାଇଁ ଡ୍ରେନର ବ୍ୟବସ୍ଥା ନାହିଁ। ‌୧୦ ନମ୍ବର ସେକ୍ଟରରେ ଥିବା ଷ୍ଟେଟ ବ୍ୟାଙ୍କ ପଛପାଖ ରାସ୍ତାରେ ନାଳ ନଥିବାରୁ ଏଠାରେ ଟିକିଏ ବର୍ଷାରେ ଦୁଇଫୁଟର ପାଣି ଦୀର୍ଘ ସମୟ ଧରି ଜମି ରହୁଛି। ସେହିପରି ୧୦ ଓ ୧୧ ସେକ୍ଟରର ଅନେକ ସ୍ଥାନରେ ନିଗମର ଏଲ୍‌ଇଡି ଲାଇଟ୍‌ ଜଳୁନାହିଁ। ଥରେ ଖରାପ ହେଲେ ଏହାର ମରାମତି କରିବାକୁ ସିଏମ୍‌ସିକୁ ମାସ ମାସ ସମୟ ଲାଗୁଛି। ଡ୍ରେନ ଓ ଆଲୋକର ସମସ୍ୟା ମଧ୍ୟରେ ମଶା ବଂଶ ବୃଦ୍ଧି ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନିଗମ କର୍ତ୍ତୃପକ୍ଷ ଦୁଇଟି ସେକ୍ଟର ପରିମଳ, ଡ୍ରେନ, ଆଲୋକ ଓ ମଶାର ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ।
ଦେବାଶିଷ ସାମନ୍ତରାୟ, ସେକ୍ଟର-୧୧ ବାସିନ୍ଦା

ଦୀର୍ଘ ବର୍ଷ ଧରି ପାଣି ଓ ଲାଇଟ୍ ସମସ୍ୟା ରହିଛି
ଦୀପତଳ ଅନ୍ଧାର ପରି ଆମେ ସିଏମ୍‌ସି ଅଧୀନରେ ଥିଲେ ବି ନିଗମର କୌଣସି ସୁବିଧା ପାଉନାହୁଁ। ଷଣ୍ଢପୁର ଅଞ୍ଚଳରେ ପିଇବା ପାଣିର ସମସ୍ୟା ଅତି ଗୁରୁତର। ଦୁଇ ବର୍ଷ ତଳେ ପିଇବା ପାଣି ପାଇଁ ପାଇପ ଲାଇନ୍‌ ବିଛା ଯାଇଥିଲା। ମାତ୍ର ଏବେ ସୁଦ୍ଧା ଲୋକଙ୍କ ଘରକୁ ପାଣି ପହଞ୍ଚି ପାରିଲା ନାହିଁ। ପିଇବା ପାଣି ପାଇଁ କୈବଲ୍ୟ ସାହିରେ ଥିବା ଏକ କୂଅ ଉପରେ ୨୦ରୁ ଅଧିକ ପରିବାର ନିର୍ଭର କରୁଛନ୍ତି। ସେପଟେ ୱାର୍ଡରେ ଆଲୋକର ବ୍ୟବସ୍ଥା କରାଯାଇ ଥିଲେ ବି ତାହା ବର୍ଷର ୬ ମାସ କାମ ଦେଉ ନାହିଁ।
ଲିଙ୍ଗରାଜ ବେହେରା, ଷଣ୍ଢପୁର ବାସିନ୍ଦା

ନାମକୁ ମାତ୍ର ସିଏମ୍‌ସିର ରାସ୍ତା ଓ ଆଲୋକର ବ୍ୟବସ୍ଥା
ସିଏମ୍‌ସି ଅଧୀନରେ ବେଣ୍ଟକାରପଡା ଗ୍ରାମ ଥିଲେ ବି ଏଠାରେ ରାସ୍ତା ଓ ଆଲୋକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ କେହି ନାହାନ୍ତି। ଦୀର୍ଘ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳ‌ର କିଛି ରାସ୍ତାକୁ କଂକ୍ରିଟ କରାଯାଇ ଥିଲା। ମାତ୍ର ମରାମତି କରାଯାଉ ନଥିବାରୁ ସେଗୁଡିକ ନଷ୍ଟ ହୋଇଗଲାଣି। କିଛି ମାଟି ରାସ୍ତା ଏପରି ଅଛି ଯେଉଁଠାରେ ବର୍ଷା ଦିନରେ ସାଇକେଲ ‌ଗଡେଇ ବି ଯାଇ ହେବନାହିଁ। ଅଞ୍ଚଳ ଅନେକ ସ୍ଥାନରେ ଏଲ୍‌ଇଡି ଲାଇଟ ଲାଗି ଥିଲେ ବି ତାହା ଜଳୁନାହିଁ।
ବଚନ ଭୂୟାଁ, ବେଣ୍ଟକାରପଡା ବାସିନ୍ଦା

ସମ୍ବନ୍ଧିତ ଖବର