ଭଡ଼ା ଘରେ ଅପରାଧୀଠୁ ଆତଙ୍କବାଦୀ

କଟକ: କଟକ ସହରରେ ଘର ଭଡ଼ା ନେଇ ପୁଲିସ ନଜରରୁ ସୁରକ୍ଷିତ ରହିବାର ବାଟ ବାଛିଛନ୍ତି ଅପରାଧୀଙ୍କଠାରୁ ଆରମ୍ଭ କରି ଆତଙ୍କବାଦୀ। ଏଭଳି କାର୍ଯ୍ୟକଳାପ ରୋକିବା ପାଇଁ କିନ୍ତୁ କମିସନରେଟ ପୁଲିସ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ ଫାଇଲ୍ ଭିତରେ ଚପି ଯାଇଛି। ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ଘର ମାଲିକ, ଥାନାରେ ବିଧିବଦ୍ଧ ଭାବେ ପଞ୍ଜିକରଣ ତ କରୁ ନାହାନ୍ତି, ଅନ୍ୟପଟେ ଯେତିକି ବି ପଞ୍ଜିକରଣ ହୋଇଛି, ତାହାର ଯାଞ୍ଚ ବି ପୁଲିସ ପକ୍ଷରୁ ହେଉ ନାହିଁ। ଡାକ୍ତର ଆର.ପି. ଶର୍ମା ପୁଲିସ କମିସନର ଥିବା ସମୟରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ଡାଟାବେସର ନିୟମିତ ଯାଞ୍ଚ ପାଇଁ ଯେଉଁ ବିଜ୍ଞପ୍ତି ୬ ବର୍ଷ ତଳେ ଜାରି କରିଥିଲେ ତାହା ବି ଫାଇଲରେ ରହି ଯାଇଛି। କଟକ ସହରର ଯୋବ୍ରା, କଦମରସୁଲ, ସୂତାହାଟ, ଓଡ଼ିଆ ବଜାର ଅଞ୍ଚଳରେ ଏଭଳି କିଛି ଅସାମାଜିକ ତତ୍ତ୍ବ ଆଡା ଜମାଇଥିବା ସୂଚନା ରହିଛି।

ବାହା ରାଜ୍ୟରୁ ଆସି ବ୍ୟବସାୟ କରିବା ଆଳରେ ଅନେକ ବ୍ୟକ୍ତି ଗହ୍ମାଡିଆ, ହରିପୁର ରୋଡ, ମାଲଗୋଦାମ ଚୂନ ଭାଟି ଗଳି, ବାଦାମବାଡ଼ି, କେଶରପୁର ଅଞ୍ଚଳରେ ରହୁଛନ୍ତି। ୩ ମାସ ତଳେ ବାଦାମବାଡ଼ି ଥାନା ପୁଲିସ ଚୋରି ମାମଲାରେ ଜଣେ ମକା ବ୍ୟବସାୟୀକୁ ଗିରଫ କରିଥିଲା। ପୂର୍ବରୁ ଗହ୍ମାଡିଆରୁ ୭ ଜଣ ବାଙ୍ଗଲାଦେଶୀଙ୍କୁ କେଶରପୁର ଅଞ୍ଚଳରୁ ଗିରଫ କରାଯାଇଥିଲା। ଅନ୍ୟପଟେ ସିଡିଏ ସେକ୍ଟର ୯, ୧୦  ଓ ୧୧ରେ ନିର୍ମାଣ ଚାଲିଥିବା ଅର୍ଧନିର୍ମିତ କୋଠାରେ ବିହାରର ଦିନ ମଜୁରିଆ ଓ ମାର୍ବଲ ମିସ୍ତ୍ରି ଆଡା ଜମାଇ ରହୁଛନ୍ତି। ଜଗତପୁର ପୀର ବଜାରଠାରୁ ଆରମ୍ଭ କରି ଗୋଲେଇ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ବି କିଛି ବାହାର ରାଜ୍ୟର ଲୋକ ଆଡା ଜମାଇଛନ୍ତି। ଏମାନଙ୍କ କୌଣସି ପ୍ରକାର ତଥ୍ୟ ପୁଲିସ ନିକଟରେ ନଥିବା ବେଳେ କୌଣସି ସମୟରେ ଅପରାଧ ଘଟାଇ ସହଜରେ ଖସିଯିବାର ଆଶଙ୍କା ରହିଛି।

କମିସନରେଟ୍‌ ପୁଲିସ ପକ୍ଷରୁ ୨୦୧୫ ଏପ୍ରିଲ ୮ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା ଯେ ସହରରେ ଭଡ଼ା ଘରେ ରହୁଥିବା ସମସ୍ତ ଭଡ଼ାଟିଆଙ୍କ ଡାଟା ବେସ୍‌ ପ୍ରସ୍ତୁତ କରାଯିବ। ଘର ମାଲିକ ଏବ˚ ଭଡ଼ାଟିଆ ନିର୍ଦ୍ଦିଷ୍ଟ ଏକ ଫର୍ମ ମାଧ୍ୟମରେ ପଞ୍ଜିକରଣ କରିବ। ଏଥିରେ ଉଭୟଙ୍କ ନାଁ, ଠିକଣା, ବୃତ୍ତି, ପରିଚୟପତ୍ର ଏବ˚ ଫଟୋ ରହିବ। ଏହି ଫର୍ମକୁ ନିକଟସ୍ଥ ଥାନାର ଜିମା ଦିଆଯିବ। ଯେଉଁମାନେ ଏଭଳି ତଥ୍ୟ ଦାଖଲ ନକରିବେ ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ଦଣ୍ତବିଧାନ ବ୍ୟବସ୍ଥା ରହିଛି। ଏହି ନିୟମ ଖିଲାପ କଲେ ଅଭିଯୁକ୍ତଙ୍କ ବିରୋଧରେ ୬ ମାସ ଜେଲ୍‌ ଦଣ୍ତ ଏବ˚ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ ଯେଉଁ କଟକଣା ତତ୍କାଳୀନ ପୁଲିସ କମିସନର ଡାକ୍ତର ଆର.ପି.ଶର୍ମା କରିଥିଲେ ସେଭଳି ନିୟମକୁ କମିସନରେଟ୍‌ ପୁଲିସ ଏବେ ଗୁରୁତ୍ବ ମନେ କରୁନାହାନ୍ତି।

ନିୟମ ଅନୁଯାୟୀ, ନାଁ ପଞ୍ଜିକରଣରେ ଯେଉଁ ଭଡ଼ାଟିଆଙ୍କ ନାଁ ଉଲ୍ଲେଖ ରହିଥାଏ, ସେହି ବ୍ୟକ୍ତି ଉକ୍ତ ଘରେ ରହୁଛନ୍ତି କି ନାହିଁ, ପୁଲିସ ନିୟମିତ ଯାଞ୍ଚ କରିବାର ଯେଉଁ ବ୍ୟବସ୍ଥା ହୋଇଥିଲା। ବର୍ତ୍ତମାନ କୌଣସି ବି ଦିନ କଟକ ସହରରେ ପୁଲିସ ଭଡ଼ାଟିଆଙ୍କୁ ଡାଟାବେସ୍‌ ଅନୁଯାୟୀ ଯାଞ୍ଚ କରୁନାହିଁ। ଭଡ଼ା ଘରେ ଅପରାଧୀ ରହୁଛି କି ଭଲ ଲୋକଟିଏ ରହୁଛି, ଏସବୁ ଯାଞ୍ଚ କରିବାକୁ ପୁଲିସ ଗୁରୁତ୍ବ ଦେଉନାହିଁ। ହଷ୍ଟେଲ ମାଲିକ ମଧ୍ୟ ନିୟମ ପାଳନ କରୁନାହାନ୍ତି। ହଷ୍ଟେଲରେ ଯେଉଁମାନେ ରହୁଛନ୍ତି, ସେମାନେ ଛାତ୍ର କି ନୁହେଁ, ସେ ନେଇ ପୁଲିସ ନିକଟରେ କୌଣସି ପ୍ରକାର ସ୍ପଷ୍ଟ ତଥ୍ୟ ନାହିଁ।

ସମ୍ବନ୍ଧିତ ଖବର