ଆଉ କେତେ ମୁଣ୍ଡ ଖାଇବ ତାଳଦଣ୍ଡା? ୨୦୨୨ରେ ଯାଇଥିଲା ଦୁଇ ଶ୍ରମିକଙ୍କ ଜୀବନ

ଜିଲ୍ଲା ପ୍ରଶାସନ ସୁରକ୍ଷାରେ ଶିବଜ୍ୟୋତି କମ୍ପାନି, ଏବେ ଏସ୍‌.କେ. ରାୟ କନ୍‌ଷ୍ଟ୍ରକ୍ସନ୍‌କୁ ବି ଦେବେ ସୁରକ୍ଷା !

କଟକ: ଛତ୍ରବଜାର ପୋଲ ନିକଟରେ ବର୍ଷେ ତଳେ ତାଳଦଣ୍ଡା କେନାଲ ପାଚେରି କାମ ଚାଲିଥିବା ବେଳେ ଠିକା ସଂସ୍ଥା ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନିର ଦାୟିତ୍ବହୀନତା ପାଇଁ ଦୁଇ ଜଣ ଶ୍ରମିକଙ୍କ ମୂଲ୍ୟବାନ ଜୀବନ ଅକାରଣରେ ଯାଇଥିଲା। ଏହି ଘଟଣାରେ ଆରଡିସି ତଦନ୍ତ କରିଥିବା ବେଳେ ଆଜି ସୁଦ୍ଧା ଠିକା ସଂସ୍ଥା ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏବେ ପୁଣି ଆଉ ଏକ ଠିକା ସଂସ୍ଥା ଏସ.କେ. ରାୟ କନଷ୍ଟ୍ରକ୍ସନ କମ୍ପାନିର ଦାୟିତ୍ବହୀନତା ସାମନାକୁ ଆସିଛି। ସେହି କେନାଲ ପାଚେରି କାମ ଚାଲିଥିବା ବେଳେ କୌଣସି ସୂଚନା ଫଳକ ନଥିବାରୁ ଏକ କାର୍ ତାଳଦଣ୍ଡା କେନାଲ ଭିତରକୁ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବର୍ଷକ ବ୍ୟବଧାନରେ ତିନି ଜଣଙ୍କ ମୁଣ୍ଡ ଖାଇଲାଣି ତାଳଦଣ୍ଡା କେନାଲର ନିର୍ମାଣ କାମ। ପୂର୍ବ ଘଟଣାରେ ଜିଲ୍ଲା ପ୍ରଶାସନ ନିରବ ରହିଥିବା ବେଳେ ଆଜିର ଘଟଣାରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ନେଇ ବି ଆଶଙ୍କା ଦେଖା ଦେଇଛି। ଛତ୍ରବଜାର ବ୍ରିଟିସ୍ ଅମଳର ପୋଲ ନିକଟରେ ଏକ ବକ୍ସ କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଥିବା ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ବକ୍ସ କଲଭର୍ଟ ନିର୍ମାଣ ସମୟରେ ୨୦୨୨, ମାର୍ଚ୍ଚ ୯ରେ କେନାଲ ପାର୍ଶ୍ବରୁ ମାଟି ଅତଡ଼ା ଖସିଥିଲା। ଗାର୍ଡ ୱାଲ୍ ବା କଟ୍ ଅଫ୍ ୱାଲ୍ ପାଇଁ ସେଣ୍ଟ୍ରିଂ ପଟା ଶ୍ରମିକମାନେ ବାଡ଼ାଉଥିବା ସମୟରେ ମାଟି ଧସି ଅଜିତ ଦେହୁରୀ ଓ କୀର୍ତ୍ତନ ଦେହୁରୀ ନାମକ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ରାଜ୍ୟ ସରକାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Sambad

ଆରଡିସି ସୁରେଶ ଚନ୍ଦ୍ର ପଲାଇ ତଦନ୍ତ କରି ସେହି ବର୍ଷ ଜୁନରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏଥିରେ ଆରଆଣ଼୍ଡବି ସମେତ ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ଓ ଠିକା କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। କିନ୍ତୁ ଥାନାରେ ଜିଲ୍ଲା ପ୍ରଶାସନ କିମ୍ବା ଆରଆଣ୍ଡବି ପକ୍ଷରୁ କୌଣସି ଏତଲା ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି ବିରୋଧରେ ଦିଆଗଲା ନାହିଁ। ଏଭଳି ଅଘଟଣ ଘଟିବା ସତ୍ତ୍ବେ ଶିବଜ୍ୟୋତି କମ୍ପାନିର ଛତ୍ରବଜାର ସମେତ ମାତୃଭବନ ରେଳବାଇ ଲାଇନ୍ ନିକଟ ଓ ପିଲଗ୍ରିମ୍ ରୋଡ ନିକଟରେ ତିନୋଟି ବ୍ରିଜ କାମ ୯ କୋଟି ଟଙ୍କା ବ୍ୟୟରେ ଚାଲୁ ରହିଥିଲା। କମ୍ପାନିର ତ୍ରୁଟି ଯୋଗୁଁ ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲେ ସୁଦ୍ଧା ଏଥିପାଇଁ କାହାକୁ ଦାୟୀ କରାଗଲା ନାହିଁ କି କମ୍ପାନିକୁ କଳା ତାଲିକାଭୁକ୍ତ ବି କରାଯାଇନାହିଁ। ବିନା କୌଣସି ସପୋର୍ଟିଂ ୱାଲରେ ୪୦ ଫୁଟ ତଳେ ଗାର୍ଡ ୱାଲ୍ ନିର୍ମାଣ ପାଇଁ ମରଣମୁହଁକୁ କର୍ମଚାରୀଙ୍କୁ ଠେଲିଦେଇଥିବା କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାରେ ଆରଆଣ୍ଡବିର ନିର୍ବାହୀୟ ଯନ୍ତ୍ରୀ କଟକ ଜିଲ୍ଲାପାଳଙ୍କୁ ଦେଇଥିବା ଏକ ବୈଷୟିକ ରିପୋର୍ଟ ଏବଂ ଜିଲ୍ଲାପାଳ ଆରଡିସିଙ୍କୁ ଦେଇଥିବା ଏକ ପ୍ରାଥମିକ ରିପୋର୍ଟ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଥିଲେ। ଦୁଇ ମୃତ ଶ୍ରମିକଙ୍କୁ ସରକାର କେବଳ ସହାୟତା ରାଶୀ ଦେଇଥିବା ବେଳେ ଠିକା ସଂସ୍ଥାକୁ ସୁରକ୍ଷା ଦେବା ଘଟଣା ଏବେ ବି ରହସ୍ୟଜନକ ହୋଇ ରହିଛି।

Sambad

ଆର୍‌ ଆଣ୍ଡ୍‌ ବି ଦେଉଛି ସଫେଇ,ଗତକାଲି ରାତିରେ ଲାଗିଥିଲା ରାସ୍ତା ବନ୍ଦ ସୂଚନା

ଏଭଳି ଏକ ଅଘଟଣକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଆର୍‌ ଆଣ୍ଡ୍‌ ବି ପକ୍ଷରୁ ଏକ ଫଟୋ ଜାରି କରି ତାହା ପୂର୍ବ ରାତିର ବୋଲି ଦାବି କରାଯାଉଛି। ଫଟୋରେ ଦର୍ଶାଯାଉଛି ଯେ ପୂର୍ବ ରାତିରେ ସେଠାରେ ରାସ୍ତା ବନ୍ଦ ସୂଚନା ଫଳକ ଥିଲା। କିନ୍ତୁ ତାହାକୁ ଆଜି କେହି ହଟାଇ ଦେଇଛନ୍ତି। ଯଦି ଆର୍ ଆଣ୍ଡ୍ ବି ଏଭଳି ଦାବି କରୁଛି, ତେବେ ଏହାକୁ ନେଇ ବିଭାଗ ପକ୍ଷରୁ ଥାନାରେ ମାମଲା ରୁଜୁ କରି ତଦନ୍ତ ପାଇଁ ଦାବି କରାଯିବ କି? କାରଣ ସେଠାରୁ ରାସ୍ତା ବନ୍ଦ ସୂଚନା ଫଳକ ହଟାଇଥିବା ବ୍ୟକ୍ତି ଅଥବା ସଂସ୍ଥା ଆଜିର ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ଦାୟୀ। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ ​ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। କିନ୍ତୁ ଯଦି ଆର୍ ଆଣ୍ଡ ବି ଏହି ଘଟଣାରେ ମାମଲା ରୁଜୁ ନ କରେ ତେବେ ତାହାର ଦାବିକୁ ନେଇ ସାଧାରଣ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ସମ୍ବନ୍ଧିତ ଖବର