୬ ସ୍ବାଧୀନଙ୍କ ମଧ୍ୟରୁ ୪ ଚାଲିଯିବେ ବିଜେଡିକୁ!

କଟକ: କଟକ ପୌର ନିଗମ ନିର୍ବାଚନରେ ୬ ଜଣ ସ୍ବାଧୀନ କର୍ପୋରେଟର ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ନମ୍ବର ୱାର୍ଡର କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ ବିଜେଡିରେ ସାମିଲ ହୋଇ ସାରିଥିବା ବେଳେ ୩୧ ନମ୍ବର ୱାର୍ଡ କର୍ପୋରେଟର ପଦ୍ମିନୀ ସାହୁ ବିଜେଡିରେ ସାମିଲ ହେବେ ବୋଲି ଘୋଷଣା କରି ସାରିଛନ୍ତି। ୩ ନମ୍ବର ୱାର୍ଡରୁ ଜିତିଥିବା ପ୍ରଦୀପ କୁମାର ରାଉତ, ୯ ନମ୍ବର ୱାର୍ଡରୁ ଜିତିଥିବା ବିକାଶ ରଂଜନ ବେହେରା ଓ ୨୯ ନମ୍ବର ୱାର୍ଡରୁ ଜିତିଥିବା ସୁମିତ୍ରା ବସ୍ତିଆ ହେଉଛନ୍ତି ମୂଳତଃ ବିଜେଡିର। ସେମାନେ ଟିକେଟ ନପାଇ ସ୍ବାଧୀନ ଭାବେ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ। କିନ୍ତୁ ୪୨ ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ମିନା ସାହୁ ମୂଳତଃ ବିଜେଡିର ନୁହନ୍ତି। ତାଙ୍କ ନାମ ପ୍ରଥମେ କଂଗ୍ରେସ ଟିକେଟ ତାଲିକାରେ ପ୍ରକାଶ ପାଇଥିଲେ ବି ସେ ପରବର୍ତ୍ତି ସମୟରେ କିନ୍ତୁ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜେଡି ପ୍ରାର୍ଥୀ ପୂର୍ବତନ କର୍ପୋରେଟର ସରୋଜିନୀ ସାହୁଙ୍କୁ ପରାସ୍ତ କରି ପାରିଛନ୍ତି।
ବର୍ତ୍ତମାନ ସ୍ଥିତିରେ ପ୍ରଦୀପ ଓ ସୁମିତ୍ରା ହୁଏତ ଆଉ କିଛି ଦିନ ଭିତରେ ବିଜେଡିକୁ ଫେରି ଆସ‌ିବେ ବୋଲି କୁହାଯାଉଛି। କିନ୍ତୁ ବିକାଶ ଓ ମିନାଙ୍କ କ୍ଷେତ୍ରରେ ବିଜେଡିକୁ ଯିବା ସହଜ ହେବ କି? ନା ସେମାନେ ସ୍ବାଧୀନ ଭାବେ ରହି ଅଞ୍ଚଳ ପାଇଁ କାମ କରିବେ, ଅଥବା ଅନ୍ୟ କେଉଁ ଦଳରେ ସାମିଲ ହେବେ? ଏ ପ୍ରଶ୍ନ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବିଭିନ୍ନ କାରଣରୁ ବିକାଶ ଓ ମିନାଙ୍କୁ ନେଇ ଏଭଳି ଚର୍ଚ୍ଚା ହେଉଛି। ବିକାଶ ବେହେରା ନିଜେ ତୃତୀୟ ଥର ପାଇଁ କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପତ୍ନୀ ବି ଥରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠତା ଆଉ ଅଭିଜ୍ଞତା ଦୃଷ୍ଟିରୁ ବିକାଶ ବିଜେଡିର ଆଗଧାଡ଼ିର କର୍ମୀ ଭାବେ ପରିଗଣିତ ହୋଇ ଆସିଛନ୍ତି। କିନ୍ତୁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସହିତ ତାଙ୍କର ବିଭିନ୍ନ କାରଣରୁ ମନୋମାଳିନ୍ୟ ହୋଇଥିଲା। ସେଥିପାଇଁ ଦଳ ତାଙ୍କୁ ଟିକେଟ ବି ଦେଇ ନଥିଲା।

ଅନ୍ୟପଟେ ୯ ନମ୍ବର ୱାର୍ଡରୁ ବିଜେଡି ଟିକେଟ ପାଇ ନିର୍ବାଚନ ଲଢିଥିଲେ ଜଣେ ଉଦୀୟମାନ ଯୁବ ନେତା ସ୍ମୃତିରଂଜନ ଦାଶ। ସ୍ମୃତି ପ୍ରଥମଥର ପାଇଁ ନିର୍ବାଚନୀ ରାଜନୀତିରେ ପାଦ ଦେଇ ବିଫଳ ହୋଇଛନ୍ତି ସତ କିନ୍ତୁ ତାଙ୍କର ଯୁବ ଓ ଛାତ୍ର ସଂଗଠନ ଉପରେ ପ୍ରଭାବ ରହିଛି। ସ୍ମୃତିଙ୍କୁ ଦଳ ଆଗକୁ ଠେଲି ଏବେ ପୁଣି ଯଦି ବିକାଶଙ୍କୁ ସାମିଲ କରି ‌ନିଏ, ତେବେ ତାହା ହୁଏତ ସ୍ମୃତିଙ୍କ ପାଇଁ ଅଶ୍ବସ୍ତିକର ହୋଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ବିକାଶ ବି ନିଜେ ବିଜେଡିକୁ ପୁଣି ଫେରିବା ପାଇଁ ମାନସିକ ଭାବେ କେତେ ପ୍ରସ୍ତୁତ ହୋଇପାରିବେ, ତାହାକୁ ନେଇ ବି ଆଶଙ୍କା ରହୁଛି। ବାରବାଟୀ-କଟକରେ ବିକାଶଙ୍କୁ ନେଇ ଏଭଳି ସ୍ଥିତି ରହିଥିବା ବେଳେ ଚୌଦ୍ବାର-କଟକରେ ମିନା ସାହୁଙ୍କୁ ନେଇ ଭିନ୍ନ ସ୍ଥିତି ଉପୁଜିଛି। ୪୨ ନମ୍ବର ୱାର୍ଡରେ ବିଜେଡିର ଆଗଧାଡିର ଯୁବ ନେତା ଚିରଂଜୟ ସାହୁ ପୂର୍ବରୁ ଦୁଇ ଥର କର୍ପୋରେଟର ହୋଇଥିବା ବେଳେ ତାଙ୍କ ଭାଉଜ ସରୋଜିନୀ ସାହୁ ଥରେ ବିଜୟୀ ହୋଇଥିଲେ। ଏଥର କିନ୍ତୁ ସରୋଜିନୀଙ୍କୁ ମିନାଙ୍କ ନିକଟରେ ହାର ମାନିବାକୁ ପଡିଲା। ଚିରଂଜୟ ମୂଳରୁ ବିଜେଡି ସହିତ ରହି ଆସିଛନ୍ତି। ଅବଶ୍ୟ ଟିକେଟ ନ ପାଇ ସେ ବି ପୂର୍ବରୁ ନଡ଼ିଆ ଗଛ ଚିହ୍ନରେ ସ୍ବାଧୀନ ଭାବେ ଲଢି ବିଜୟୀ ହୋଇ ପୁଣି ଦଳକୁ ଫେରିଛନ୍ତି। କିନ୍ତୁ ଚିରଂଜୟ ମୂଳତଃ ବିଜେଡିର ହୋଇଥିବା ବେଳେ ମିନା ବିଜେଡିର ନୁହନ୍ତି ବୋଲି କୁହାଯାଉଛି। କିନ୍ତୁ ମିନାଙ୍କ ସପକ୍ଷରେ ଏଥର ବିଜେଡିର ଗୋଟିଏ ବଡ଼ ଅସନ୍ତୁଷ୍ଟ ଗୋଷ୍ଠୀ ଏମିତିକି କଂଗ୍ରେସ ଓ ବିଜେପି ସମର୍ଥକମାନେ ଏକାଠି ହୋଇ ସରୋଜିନୀ ସାହୁଙ୍କୁ ଅର୍ଥାତ ପରୋକ୍ଷରେ ଚିରଂଜୟ ସାହୁଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ୪୨ ନମ୍ବରରେ ଚିରଂଜୟଙ୍କ ଭଳି ଜଣେ ଯୁବ ସଂଗଠକ ଥାଇଥାଉ ମିନାଙ୍କ ବିଜେଡିକୁ ଯିବା କେତେ ସହଜ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ମିନାଙ୍କ ସମର୍ଥନରେ ଯେଉଁମାନେ ଖୋଲାଖୋଲି ବାହାରିଥିଲେ, ସେମାନେ ବିଭିନ୍ନ ଦଳ ସହ ସଂପୃକ୍ତ ଥିବାରୁ ସେଥିରୁ ବିଜେଡିର କ‌େତେ ଲାଭ ହେବ, ତାହାକୁ ନେଇ ମଧ୍ୟ ଆକଳନ ଜାରି ରହିଛି। ଏଭଳି ସ୍ଥିତିରେ ୬ ସ୍ବାଧୀନ କର୍ପୋରେଟରଙ୍କ ମଧ୍ୟରୁ ୪ ଜଣ ହୁଏତ ଖୁବଶିଘ୍ର ବିଜେଡିରେ ସାମିଲ ହେବାକୁ ଯାଉଥିବା ବେଳେ ୨ ଜଣଙ୍କ କ୍ଷେତ୍ରରେ କେଁ ରହିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର