ଆହତ ବୁଲା ପଶୁଙ୍କୁ ସିଏମ୍‌ସି ଯୋଗାଇବ ଚିକିତ୍ସା, ଖପୁରିଆରେ ୨ ଏକର ଜମିରେ ହେବ ଦୁଇମହଲାର ଚିକିତ୍ସାଳୟ

ଦିନକୁ ୨୦ କୁକୁରଙ୍କ ବଂଧ୍ୟାକରଣ କରିବେ ଡାକ୍ତର

କଟକ: ମହାନଗର ନିଗମ ପକ୍ଷରୁ ସହରର ବୁଲା ପଶୁଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି। ଦୁର୍ଘଟଣାରେ ଆହାତ ହେଉଥିବା ବୁଲା ପଶୁଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସିଏମ୍‌ସି ତରଫରୁ ଆନିମଲ୍‌ ହେଲ୍ପ ଲାଇନ୍‌(ଏଏଚ୍‌ଏଲ୍‌)ରେ ଇଣ୍ଡୋର ବ୍ୟବସ୍ଥା କରାଯିବ। ଏହାସହ ବୁଲା କୁକୁରଙ୍କ ବଂଧ୍ୟାକରଣ ପାଇଁ ଆନିମଲ୍‌ ବାର୍ଥ କଣ୍ଟ୍ରୋଲ(ଏବିସି)ରେ ଆଉ ଏକ ବଂଧ୍ୟାକରଣ କେନ୍ଦ୍ର କରାଯିବ। ଏଥିପାଇଁ ଖପୁରିଆରେ ୨ ଏକରର ଜାଗା ଚିହ୍ନଟ ହୋଇଛି। ପୂର୍ବରୁ ସିଏମ୍‌ସି ଅଧୀନରେ ଥିବା ସାର୍ତ୍ତୋଳ ଓ ବକ୍ସି ବଜାର ବଂଧ୍ୟାକରଣ କେନ୍ଦ୍ରକୁ ମଧ୍ୟ ଚାଲୁ ରଖାଯିବ। ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନା ପାଇଁ ଟଙ୍କା ଆସିଥିବା ବେଳେ ଖୁବ ଶିଘ୍ର ଏ ଦିଗରେ କାମ ଆରମ୍ଭ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି। ସହରରେ ପ୍ରତି ବର୍ଷ ବୁଲା ପଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ସହରରେ ଏବେ ବୁଲା କୁକୁରଙ୍କ ସଂଖ୍ୟା ୬୦ ହଜାର ଉପରକୁ ଥିବା ବେଳେ ବୁଲା ଗାଈ ଓ ଷଣ୍ଢଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ ରହିଛି। ତେବେ ପ୍ରତି ଦିନ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ବୁଲା ପଶୁମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। କିଛି ସାମାଜିକ ସଂଗଠନ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଆଗକୁ ଆସୁଥିବା ବେଳେ ତାହା ଯଥେଷ୍ଟ ହେଉ ନାହିଁ। ବୁଲା କୁକୁର, ‌‌ଗାଈଙ୍କ ଠାରୁ ଆରମ୍ଭ କରି ଷଣ୍ଢ ଦୁର୍ଘଟଣାର ଶିକାର ହେଲେ ସେମାନଙ୍କୁ ଏବେ ସିଏମ୍‌ସି ଚିକିତ୍ସା ଯୋଗାଇଦେବ।

ଏଥିପାଇଁ ସିଏମ୍‌ସି ପକ୍ଷରୁ ଖପୁରିଆ ନିକଟରେ ୨ ଏକରର ଜାଗା ଦେଖାଯାଇଛି। ଯେଉଁଠାରେ ଦୁଇ ମହଲାର ଏକ କୋଠା ନିର୍ମାଣ କରାଯାଇ ଆହତ ପଶୁଙ୍କ ଚିକିତ୍ସା କରାଯିବ। ଉକ୍ତ ସ୍ଥାନରେ ଆବଶ୍ୟକ ସ୍ଥଳେ ପଶୁଙ୍କ ଅସ୍ତ୍ରୋପଚାର ପାଇଁ ଓଟି(ଅପରେସନ୍‌ ଥିଏଟର)ର ବ୍ୟବସ୍ଥା ରହିବା ସହ ସେମାନଙ୍କୁ ଏଠାରେ ରଖି ଚିକିତ୍ସା କରାଯିବ। ସେହିପରି ଏଠାରେ ବୁଲା କୁକୁରଙ୍କ ବଂଧ୍ୟାକରଣ କାର୍ଯ୍ୟକ୍ରମ ମଧ୍ୟ ହେବ। ଏଥିପାଇଁ କେନ୍ଦ୍ରରେ ୫୦ରୁ ଅଧିକ କୁକୁରଙ୍କ‌ ପାଇଁ ‘ଡଗ୍‌ କେନେଲ’ ନିର୍ମାଣ ହେବ। ସହରର କେଉଁ ୱାର୍ଡରେ କେତେ କୁକୁର ଅଛନ୍ତି ଏହା ଜାଣିବା ପାଇଁ ନିଗମ ପକ୍ଷରୁ ଏକ ଘରୋଇ ସଂସ୍ଥା ଦ୍ବାରା ସହରରେ ଡଗ୍‌ ମ୍ୟାପିଂ କାର୍ଯ୍ୟକ୍ରମ ଶିଘ୍ର ଆରମ୍ଭ ହେବାକୁ ଯାଉଛି। ଉକ୍ତ କେନ୍ଦ୍ର ନିର୍ମାଣ ହେବା ପର୍ଯ୍ୟନ୍ତ ସାର୍ତ୍ତୋଳ ଓ ବକ୍ସି ବଜାର କୁକୁର ବଂଧ୍ୟାକରଣ କେନ୍ଦ୍ରରେ ଏହି କାମ ଚାଲୁ ରହିବ। ଏଥିପାଇଁ ନିଗମ ତରଫରୁ ଦୁଇ ଜଣ ଡାକ୍ତର ଓ ଦୁଇ ଜଣ ସହାୟକଙ୍କୁ ଖୁବଶୀଘ୍ର ନିଯୁକ୍ତ କରାଯିବ। ପ୍ରତିଦିନ ଦୁଇ ଜଣ ଡାକ୍ତରଙ୍କୁ ଅତି କମରେ ୧୦ଟି ଲେଖାଏଁ ୨୦ଟି କୁକୁରଙ୍କ ବଂଧ୍ୟାକରଣ ପାଇଁ ଟାଗେର୍ଟ ଦିଆଯିବ। ସହରର ଆହାତ ବୁଲା ପଶୁଙ୍କୁ ସିଏମ୍‌ସି ପକ୍ଷରୁ ଏବେ ଚିକତ୍ସା ଯୋଗାଇ ଦିଆଯିବା ସହିତ କୁକୁର ବଂଧ୍ୟାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ଏଥିପାଇଁ ଖପୁରିଆରେ ୨ ଏକର ଜାଗା ଚିହ୍ନଟ ହୋଇଛି ବୋଲି ନିଗମର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର