ନକଲି ହ୍ବାଟସଆପ୍ ଆକାଉଣ୍ଟରୁ ଚାଟ୍ କରୁଛନ୍ତି ସାଇବର୍ ଅପରାଧୀ; ସତର୍କ ରହିଲେ ବର୍ତ୍ତିଯିବେ, ସୁରକ୍ଷିତ ରହିବ ଟଙ୍କା

କଟକ: ସାଇବର୍ ଅପରାଧୀମାନେ ଫେସବୁକ ଓ ଇନଷ୍ଟାଗ୍ରାମରେ ବ୍ୟବହାରକାରୀଙ୍କ ଫଟୋ କପି କରୁଛନ୍ତି। ଆଉ ଏକ ଅଜଣା ନମ୍ବରରେ ହ୍ବାଟସଆପ୍ ଆକାଉଣ୍ଟ ଖୋଲି କପି କରିଥିବା ଫଟୋକୁ ବ୍ୟବହାର କରୁଛନ୍ତି। ଫେସବୁକ ଓ ଇନଷ୍ଟାଗ୍ରାମରୁ ସଂଗ୍ରହ ହୋଇଥିବା ବ୍ୟବହାରକାରୀଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବରକୁ ଏହି ନକଲି ହ୍ବାଟସଆପ୍ ଆକାଉଣ୍ଟରୁ ଚାଟ୍ କରୁଛନ୍ତି। କପି କରିଥିବା ଫଟୋ ନକଲି ହ୍ବାଟସଆପ୍ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଭାବେ ବ୍ୟବହାର ହେଉଛି। ଯେଭଳି ଜଣେ ବନ୍ଧୁ ଏହାକୁ ନକଲି ଆକାଉଣ୍ଟ ବୋଲି ସନ୍ଦେହ କରିବ ନାହିଁ, ସେଥିପାଇଁ ଏଭଳି କରାଯାଉଛି। ଯେଉଁ ବ୍ୟବହାରକାରୀଙ୍କ ଫଟୋ ଚୋରି ହେଉଛି, ସେହି ବ୍ୟବହାରକାରୀଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଡାକ୍ତରୀ ସମସ୍ୟା ଥିବା କହି ନକଲି ହ୍ବାଟସଆପ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କା ମାଗୁଛନ୍ତି ସାଇବର୍ ଅପରାଧୀ। ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟ, ୟୁପିଆଇ ନମ୍ବର, ଓ୍ବାଲେଟ୍, ଡିଜିଟାଲ୍ ଗିପ୍ଟ କିମ୍ବା ପରଚେଜ୍ ଭାଉଚର୍ ମାଧ୍ୟମରେ ଟଙ୍କା ଦେବାକୁ କହୁଛନ୍ତି।

ତେଣୁ ଏଭଳି ଅଜଣା ହ୍ବାଟସଆପ୍ ନମ୍ବରରୁ କେହି ଆର୍ଥିକ ସହାୟତା ମାଗିଲେ ଟଙ୍କା ନଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରକୃତରେ ସେହି ବନ୍ଧୁ ଟଙ୍କା ମାଗୁଛନ୍ତି କି ନାହିଁ ସୁନିଶ୍ଚିତ ହେବା ପାଇଁ ତାଙ୍କୁ ଫୋନ୍ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ହ୍ବାଟସଆପରେ ଆସୁଥିବା ଅଜଣା ଲିଙ୍କକୁ କ୍ଲିକ୍ ନକରିବାକୁ କୁହାଯାଇଛି। ଯଦି କୌଣସି ପ୍ରକାର ଓଟିପି ଆସୁଛି ତେବେ ତାକୁ ସେୟାର କରନ୍ତୁ ନାହିଁ। ଅଜଣା ହ୍ବାଟସଆପ ନମ୍ବରରୁ ଆସୁଥିବା ଭିଡିଓ ଓ ଅଡ଼ିଓ କଲ୍ ଆସିଲେ ରିସିଭ୍ ନକରିବାକୁ ପରାମର୍ଶ ଦିଆଯାଇଛି। ସାଇବର୍ ଅପରାଧୀମାନେ ଯୁବତୀଙ୍କୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ କଲ୍ କରି ବ୍ଲାକମେଲ୍ କରୁଥିବା ଘଟଣା ଘଟୁଥିବାରୁ ଏଭଳି ନକରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ବାରଣ କରାଯାଇଛି। ନିଜ ଫେସବୁକ ଆକାଉଣ୍ଟରେ ଅଜଣା ଲୋକଙ୍କ ବନ୍ଧୁତା ଅନୁରୋଧ ଗ୍ରହଣ ନକରିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶବଳିରେ ଦର୍ଶାଇଥିବା ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର