ବିବାହ ଋତୁରେ ନିମନ୍ତ୍ରଣ କାର୍ଡ ଓ ପ୍ରିଣ୍ଟିଂ ବ୍ୟବସାୟ ୯୦ ପ୍ରତିଶତ ହ୍ରାସ ପାଇଛି; ଚିନ୍ତାରେ ବ୍ୟବସାୟୀ

କରୋନାରେ ବଢ଼ାଇଲା ଡିଜିଟାଲ କାର୍ଡ ବ୍ୟବସାୟ

କଟକ: ବିବାହ ଋତୁରେ ଫିକା ପଡ଼ିଛି ନିମନ୍ତ୍ରଣ କାର୍ଡ ଚାହିଦା। କେବଳ କାର୍ଡ ନୁହେଁ ‌‌‌ଫ୍ଲେକ୍ସ ପ୍ରିଣ୍ଟିଂର ମଧ୍ୟ ନାହିଁ ଡିମାଣ୍ତ। ବିବାହରେ ନିମନ୍ତ୍ରଣ କାର୍ଡର ମୁଖ୍ୟ ଭୂମିକା ରହିଥାଏ। ଏହା ନିଜ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହ ଯୋଡ଼ି ହେବାର ମାଧ୍ୟମ ପାଲିଟିଥାଏ। ହେଲେ ଏହି ନିମନ୍ତ୍ରଣ କାର୍ଡ ଏବେ ଅଲୋଡ଼ା ହୋଇଯାଇଛି। ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ କରୋନାର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିବାହ ସମାରୋହରେ ଅତିଥି ସଂଖ୍ୟାରେ ଲଗାଇଛନ୍ତି କଟକଣା। ପୂର୍ବରୁ ୨ଶହ ‌ଲୋକଙ୍କ ଅନୁମତି ମିଳିଥିବାବେଳେ ଏବେ ୧ଶହ ଲୋକଙ୍କୁ ଏହା ହ୍ରାସ କରି ଦିଆଯାଇଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ନିମନ୍ତ୍ରଣ କାର୍ଡ ବ୍ୟବସାୟୀଙ୍କ ବେପାର ଉପରେ। ଅତି କମ୍‌ ସଂଖ୍ୟାର ଅତିଥିମାନଙ୍କୁ ନିମନ୍ତ୍ରଣ ପାଇଁ ଲୋକେ ନିମନ୍ତ୍ରଣ କାର୍ଡ଼ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି।

sambad

ଯେଉଁଠି ବିବାହ ଋତୁରେ ୫ଶହରୁ ଅଧିକ କାର୍ଡ ଦିନକରେ ବିକ୍ରି ହେଉଥିଲା ଏବେ ତାହା ୫୦ଟି ଛୁଇଁବା କଷ୍ଟକର ହୋଇ ଯାଇଛି। ବର୍ଷବର୍ଷ ଧରି ଏହି ନିମନ୍ତ୍ରଣ କାର୍ଡ଼ ବ୍ୟବସାୟ କରିଆସୁଥିବା ବେପାରୀମାନେ ଏବେ ହାତ ବାନ୍ଧି ବସିଛନ୍ତି। ସେହିପରି ବିବାହ ଋତୁରେ ନିମନ୍ତ୍ରଣ କାର୍ଡ ବା ଫ୍ଲେକ୍ସ ତିଆରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ‌ଫ୍ଲେକ୍ସ ବ୍ୟବସାୟୀଙ୍କ ମୁଣ୍ତରେ ଚଡ଼କ ପଡ଼ିଛି। ଚଳିତବର୍ଷ ବିବାହ ଋତୁରେ ୯୦ ପ୍ରତିଶତ ବେପାର ମାନ୍ଦା ହୋଇଥିବା ବେପାରୀ ପ୍ରକାଶ କରିଛନ୍ତି। ସେହିଭଳି ନିମନ୍ତ୍ରଣ କାର୍ଡ କରି ବାଣ୍ଟିବାରେ ଭୂତାଣୁ ସଂକ୍ରମଣର ଆଂଶକା କରି ଅଧିକାଂଶ ଲୋକେ ଏବେ ଡିଜିଟାଲ ନିମନ୍ତ୍ରଣ କାର୍ଡ କରି ପଠାଉଥିବା ନଜରକୁ ଆସିଛି।

sambad

ପ୍ରକୃତ ସମୟରେ ଲକ୍‌ଡାଉନ୍‌ ଜାରି ରହିଲା
ମାର୍ଚ୍ଚମାସରୁ ବିବାହ ଋତୁ ଆରମ୍ଭ ହୋଇଯାଇଥାଏ। ସେବେଠାରୁ ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ଜାରି କରାଗଲା। ଫଳରେ ଦୋକାନ ବନ୍ଦ ରହିଲା। ଏପରିକି ବିବାହ ପାଇଁ ଲୋକେ ଆଗୁଆ କରିଥିବା ଅର୍ଡର ମଧ୍ୟ କ୍ୟାନ୍‌ସଲ କରିଦେଲେ। ବର୍ତ୍ତମାନ ପରିସ୍ଥିତିରେ କୌଣସି ସାଜସଜା ଓ କାର୍ଡ କରିବାକୁ ଲୋକଙ୍କ ମନରେ ଭୟ ଆସୁଛି। ତିଥି ସରିବାକୁ ଯାଉଥିବାବେଳେ ବାହାଘର ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି କରାଗଲା। ନିୟମ ଯୋଗୁଁ ୮୦ ପ୍ରତିଶତ ବେପାର ବନ୍ଦ୍‌ ହୋଇଯାଇଛି।

-ଆନନ୍ଦ କୁମାର ସ୍ବାଇଁ, ଅଭିନନ୍ଦନ କାର୍ଡ

sambad

ଡିଜିଟାଲ କାର୍ଡର ଅଧିକ ଚାହିଦା ରହିଛି
ବ୍ୟାନର, ପୋଷ୍ଟର ନିମନ୍ତ୍ରଣକାର୍ଡ ବହୁ ସଂଖ୍ୟାର କମିଯାଇଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ଅର୍ଡର ଆସିଯାଇଥାଏ। ୨୦୨୦ ମସିହାର ବିବାହ ଋତୁ ସରିଗଲା, ହେଲେ ଜମିଲାନି ବେପାର। ବର୍ଷକର ବେପାର ଏହି ସମୟରେ ହୋଇଥାଏ। ହେଲେ କରୋନା ଯୋଗୁଁ ସମ୍ପୂର୍ଣ୍ଣ ବେପାର ମାନ୍ଦା ହୋଇଗଲା। ନିମନ୍ତ୍ରଣ କାର୍ଡ ନ କରି ଲୋକେ ଅଧିକାଂଶ ଡିଜିଟାଲ ନିମନ୍ତ୍ରଣ କରିବାକୁ ପସନ୍ଦ କଲେ।

-ଅମୀୟ ଚୌଧୁରୀ, ପରିଚୟ ଜିଏଫ୍ଏକ୍ସ

sambad

କାଁ ଭାଁ ଗ୍ରାହକ ଆସିୁଛନ୍ତି
ବେପାର ମାନ୍ଦା ହୋଇଯାଇଛି। ଠିକ୍‌ ବିବାହ ସମୟରେ ଲକ୍‌ଡାଉନ ଜାରି ରହିବାରୁ ବିପୁଳ କ୍ଷତି ହେଲା। ଆଗେ ବିବାହ ସମୟରେ ଦୋକାନରେ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଥିବାବେଳେ ଏବେ କାଁ ଭାଁ ଗ୍ରାହକ ଆସୁଛନ୍ତି।

-ଗୌରଙ୍ଗ ଭୂୟାଁ, ସାଇଲକ୍ଷ୍ମୀ ଗ୍ରାଫିକ୍ସ

sambad

୯୦ ପ୍ରତିଶତ ବେପାର କମିଛି
୧୦ ବର୍ଷ ହେବ ବେପାର କରିଆସୁଛି ହେଲେ ଏଭଳି ପରିସ୍ଥିତି କେବେ ଉପୁଜି ନଥିଲା। ଏପରିକି ବିବାହ ଋତୁ ସରିବା ସମୟରେ ବି ଦୋକାନରେ ଷ୍ଟକ୍‌ ବିକ୍ରି ହୋଇଯାଇଥାଏ। ହେଲେ ଚଳିତବର୍ଷ କରୋନା ପାଇଁ ସବୁ ବିଗିଡ଼ିଗଲା। ଗ୍ରାହକ ଯେଉଁଠି ୪ଶହ କାର୍ଡ ନେଉଥିଲେ ଏବେ କୋଭିଡ୍‌ ନିୟମ ଯୋଗୁଁ ଶହେ କାର୍ଡ ନେବାକୁ ବି ପଛଘୁଞ୍ଚା ଦେଉଛନ୍ତି। ‌ଚଳିତବର୍ଷ ବେପାରରେ ବହୁ କ୍ଷତି ହୋଇଛି। ଆଗାମୀ ବିବାହ ଋତୁରେ ପରିସ୍ଥିତି ସୁଧୁରିବ ବୋଲି ଆଶା ଅଛି।

-ସରୋଜ କୁମାର, ମା’ ଶାରଳା ଟ୍ରେଡର୍ସ

ସମ୍ବନ୍ଧିତ ଖବର