କଟକ: ସାରା ଦେଶରେ ମୋଷ୍ଟ ଓ୍ବାଣ୍ଟେଡ୍ ଇରାନିଆନ୍ ଅପରାଧୀଙ୍କ ହେଡକ୍ବାର୍ଟର୍ ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡରେ କମିସନରେଟ୍ ପୁଲିସ ବଡ଼ଧରଣର ଚଢ଼ଉ କରିଛି। ଦେଶରେ ଅଳଙ୍କାର ଦୋକାନରେ ହାତ ସଫାଇ କରି ଲୁଟିବାରେ ପାରଙ୍ଗମ ଏହି ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ପୁରୀଘାଟ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଉଛନ୍ତି ନୂଆପଡ଼ା ଖରିଆର୍ ରୋଡର ନଜାଫ୍ ଅଲ୍ଲୀ ଓ ମହମ୍ମଦ ଆବାସ୍ ଓରଫ ମମୁକୁ। ଅଭିଯୁକ୍ତଙ୍କ ନିକଟରୁ ୧୮ଗ୍ରାମ୍‌ ଓଜନର ଚୋରା ସୁନା ଅଳଙ୍କାର ସହିତ ଏକ ୟାମାହା ବାଇକ୍ (ଓଡି-୦୩ପି-୬୭୦୪) ଜବତ ହୋଇଛି। ଦୋଳମୁଣ୍ଡାଇରେ ଥିବା ଜଗନ୍ନାଥ ଜୁଏଲାରିରୁ ଅଳଙ୍କାର ଚୋରି ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ବେଳେ ଏହି ମାମଲାରେ ଆହୁରି ୩ ଜଣ ଫେରାର୍‌ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦୋଳମୁଣ୍ତାଇ ଛକରେ ଥିବା ଜଗନ୍ନାଥ ଜୁଏଲାରି ଭିତରକୁ ଫେବ୍ରୁଆରି ୪ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ଦୁଇଜଣ ମାସ୍କ ପିନ୍ଧା ଦୁର୍ବୃତ୍ତ ପଶିଥିଲେ। ଅଳଙ୍କାର କିଣିବା ବାହାନାରେ ହାତ ସଫାଇ କରି ୧୫୦ ଗ୍ରାମ ଓଜନର ସୁନା ଅଳଙ୍କାର; ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା, ଲୁଟି ନେଇଥିଲେ। ପୁରୀଘାଟ ଥାନା ପୁଲିସ ଏହି ମାମଲାର ତଦନ୍ତ କଲା ପରେ ଇରାନିଆନ୍ ଅପରାଧୀଙ୍କ ସମ୍ପୃକ୍ତି ପ୍ରମାଣ ପାଇଥିଲା। ଏ ଧରଣର ଅପରାଧ କେବଳ ଇରାନିଆନ୍ ଗ୍ୟାଙ୍ଗ୍ ହିଁ ଦେଶରେ କରୁଛନ୍ତି। ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଏକ ଟିମ୍ ଗଠନ କରିଥିଲେ। ଏହି ଟିମ୍ ନୂଆପଡ଼ାରେ ଚଢ଼ଉ କରି ଏହି ଗ୍ୟାଙ୍ଗର ଉପରୋକ୍ତ ଦୁଇ ସଦସ୍ୟଙ୍କୁ ଗିରଫ କରିଛି।

Advertisment

publive-image

ପୁଲିସ ସୂଚନା ଅନୁଯାୟୀ, ଇରାନ୍‌ର ନାଗରିକ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଖରିଆର‌୍‌ରୋଡ୍‌ ଅଞ୍ଚଳରେ ଦୀର୍ଘବର୍ଷ ହେବ ଶହ ଶହ ଇରାନିଆନ୍‌ ଘର ତିଆରି କରି ଆଡ଼ା ଜମାଇଛନ୍ତି। ଏଠି ଅପରାଧର ମୁଖ୍ୟାଳୟ ଖୋଲିଛନ୍ତି। ଏମାନେ ନୂଆପଡ଼ାରୁ ହିଁ ସାରା ଦେଶରେ ହାତସଫାଇ କରି ଅଳଙ୍କାର ଲୁଟ୍ ଭଳି ଅପରାଧରେ ସମ୍ପୃକ୍ତ ଅଛନ୍ତି। ଓଡ଼ିଶା ସମେତ ଛତିଶଗଡ଼, କର୍ଣ୍ଣାଟକର ରାୟପୁର, ବାଙ୍ଗାଲୁର, ମୁମ୍ବାଇ, କଲିକତା, ଗୁଜୁରାଟ ଭଳି ପ୍ରମୁଖ ଅଞ୍ଚଳରେ ଏମାନେ ମୁଖ୍ୟତଃ ଅଳଙ୍କାର ଦୋକାନକୁ ଟାର୍ଗେଟ୍ କରୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି, ଇରାନିଆନ୍‌ମାନେ ଦୀର୍ଘଦିନ ହେବ ନୂଆପଡ଼ାରେ ଆଡ଼ା ଜମାଇ ସ୍ଥାନୀୟ ଅଞ୍ଚଳର ଭୋଟ୍ ପରିଚୟପତ୍ର ହାତେଇ ସାରିଲେଣି। ଏମାନେ ଚୋରି କରିବାକୁ ଗଲାବେଳେ ଚୋରା ବାଇକ୍‌ ବ୍ୟବହାର କରୁଥିବା ବେଳେ ଦୂର ଜିଲ୍ଲାକୁ ଗଲେ ବସ୍‌ କିମ୍ବା ଟ୍ରେନ୍‌ ବ୍ୟବହାର କରିଥାନ୍ତି। ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼ ପୁଲିସ ନୂଆପଡ଼ାରେ ଡେରା ପକାଇବା ନିୟମିତ ଘଟଣା ହେଲାଣି। କିନ୍ତୁ ଏହି ଗ୍ୟାଙ୍ଗ ସଦସ୍ୟଙ୍କୁ ଧରିବାରେ ସ୍ଥାନୀୟ ପୁଲିସ ସହଯୋଗ କରୁ ନଥିବା କୁହାଯାଉଛି।