କଟକ: ଆଜି ପ୍ରବଳ ବର୍ଷାରେ ମାଲଗୋଦାମରେ ବ୍ୟାପକ କ୍ଷତି ଘଟିଛି। ବର୍ଷା ଜଳ ନିଷ୍କାସନ ହେଉ ନଥିବାରୁ ମାଲଗୋଦାମ ଭିତରେ ତିନି ଫୁଟ୍ ଉଚ୍ଚର ପାଣି ଜମି ରହିଛି। ପାଣି ଜମି ରହୁଥିବାରୁ ପାଖାପାଖି ୧୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ୫୦ଟି ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରହୁଥିବା କାଉଣ୍ଟରରେ ପାଣି ପଶିଯାଇଛି। ଏହି କାଉଣ୍ଟରରେ ଥିବା ଡାଲି, ଚିନି, ଚୁଡ଼ା, ଅମୁଲ୍ ସ୍ପ୍ରେ, ହର୍ଲିକ୍ସ, ଗୋଖାଦ୍ୟ, ଚାଉଳ ଇତ୍ୟାଦି ନଷ୍ଟ ହୋଇଥିବାରୁ ମାଲଗୋଦାମ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ମାଲଗୋଦାମର ସମସ୍ତ ପାଣି ମୋଟ ୭ଟି ଡ୍ରେନ୍ ଦେଇ ତାଳଦଣ୍ଡା କେନାଲରେ ନିଷ୍କାସନ ହେଉଥିଲା। କିନ୍ତୁ ତାଳଦଣ୍ଡା କେନାଲ ସମ୍ପ୍ରସାରଣ କାମ ଚାଲିଥିବାରୁ ଜଳସେଚନ ବିଭାଗ ପକ୍ଷରୁ ଏହାକୁ ବନ୍ଦ କରି ଦିଆଯାଇଛି। ପାଣି ନିଷ୍କାସନ ପାଇଁ ମାଲଗୋଦାମ ବ୍ୟବସାୟୀ ଗୋଟିଏ ଡ୍ରେନକୁ ତାଡ଼ି ଦେଇଛନ୍ତି। ପ୍ରଶାସନ ପକ୍ଷରୁ ମାଲଗୋଦାମ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ପାର୍ଶ୍ବରେ ଏକ ସମ୍ପ୍ କରିଛନ୍ତି। ସେଠୁ ଗୋଟିଏ ମଟର ଯୋଗେ ତାଳଦଣ୍ଡା କେନାଲ ଦେଇ ସଫେଇ କେନାଲରେ ମାଲଗୋଦାମର ପାଣି ନିଷ୍କାସନ ନେଇ ଯେଉଁ ଯୋଜନା ହୋଇଛି, ଏଥିରେ ପାଣି ପର୍ଯ୍ୟାପ୍ତ ପରିମାଣରେ ନିଷ୍କାସନ ହୋଇପାରୁ ନାହିଁ। ପୁଷ୍ପାଞ୍ଜଳି ଲଜିଂ ନିକଟରେ ଥିବା କଲଭର୍ଟ ନିକଟରେ ଏକ ୪ଫୁଟିଆ କୁଅ ନନ୍ଦ ତିନୋଟି ପକାଇ ସମ୍ପ୍ କରାଯାଇ ସେଠୁ ଏକ ପୁରୁଣା ମଟର ଯୋଗେ ପାଣି ନିଷ୍କାସନ କରାଯାଉଛି। ଏହି ମଟର ବି ଠିକ ଢଙ୍ଗରେ କାମ କରୁନଥିବାରୁ ପାଣି ନିଷ୍କାସନ ହୋଇପାରୁ ନାହିଁ।
/sambad/media/post_attachments/wp-content/uploads/2023/04/BARSHA-PARE-BADAM-BADI-3-1024x603.jpg)
ମାଲଗୋଦାମର ପାଖାପାଖି ୯୦ ପ୍ରତିଶତ ପାଣି ତାଳଦଣ୍ଡା କେନାଲ ଦେଇ ଯାଉଥିଲା। ଆଉ କିଛି ପାଣି ରେଭେନ୍ସା କଲେଜ ନିକଟ ଡ୍ରେନରେ ବାହାରକୁ ନିଷ୍କାସନ ହେଉଥିଲା। କଲେଜ ଛକରୁ କଂଗ୍ରେସ ଅଫିସ ଦେଇ ଆସିଥିବା ଏହି ଡ୍ରେନ ଜାମ ହୋଇଯାଇଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଗୁରୁବାର ଅପରାହ୍ନ ୪ଟା ପରଠାରୁ ଲଗାଣ ବର୍ଷା ଯୋଗୁଁ ମାଲଗୋଦାମ ସ୍ଥିତି ଖରାପ ହୋଇଯାଇଛି। ରାତି ପ୍ରାୟ ୧୦ଟା ଯାଏ ପାଣି ମାଲଗୋଦାମ ଭିତରେ ଥିଲା। କଟକ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ ମାଲଗୋଦାମରୁ ବର୍ଷା ଜଳ ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ସ୍ଥାୟୀ ବ୍ୟବସ୍ଥା କରୁନାହିଁ। ଏହାର ସ୍ଥାୟୀ ସମାଧାନ ନକଲେ ବ୍ୟବସାୟୀ ସଂଘ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବା ନେଇ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ମାଲଗୋଦାମରେ ପାଖାପାଖି ୩୦୦ ଡାଲି, ଚାଉଳ, ତେଲ, ବେବି ଫୁଡ୍ ଭଳି ଗୋଦାମ ଓ ଖୁଚୁରା ଦୋକାନ ରହିଛି। ପ୍ରତ୍ୟେକ ଥର ବର୍ଷା ହେଲେ ଏହି କାଉଣ୍ଟର ଗୁଡ଼ିକ ପ୍ରଭାବିତ ହେଉଥିବା ବେଳେ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।