କଟକ: ୪ ବର୍ଷ ହେଲା ବକ୍ସ ଡ୍ରେନ୍ ସ୍ବପ୍ନରେ ହନ୍ତସନ୍ତ ହେଉଛନ୍ତି କେଶରପୁର- ଗହ୍ମାଡିଆ ଅଞ୍ଚଳର ବାସିନ୍ଦା। ୨୦୧୯ରୁ ରାସ୍ତା ଖୋଳି ଦିଆଯାଇଛି। କାମ ହେଉନି। ଏଭଳି ସ୍ଥିତିରେ ମୁଖ୍ୟ ରାସ୍ତାରେ ବି ଏକ ସମୟରେ ଦୁଇଟି ବାଇକ ଯିବା ଅସମ୍ଭବ। ଅନ୍ୟପଟେ ଏହି ଅଞ୍ଚଳ ବାସ୍ତବରେ କେଉଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାହା ଜଣା ପଡୁନି। ସମସ୍ୟା ନେଇ ଲୋକେ କାହା ପାଖରେ ପହଞ୍ଚିବେ ତାହାକୁ ନେଇ ଆଶଙ୍କାରେ ପଡୁଛନ୍ତି। ବଜ୍ରକବାଟୀରୁ ବକ୍ସି ବଜାର ବାରପଥର ରାସ୍ତା ମଧ୍ୟରେ ଥିବା ଗହ୍ମାଡିଆ ପୋଲର ଉଭୟ ପାର୍ଶ୍ବ ରାସ୍ତା କେଉଁ ନିର୍ବାଚନ ମଣ୍ଡଳୀରେ ଯାଉଛି ଏହାର ସୂଚନା କାହାରି ନିକଟରେ ନାହିଁ। ଉକ୍ତ ଅଞ୍ଚଳ ରାସ୍ତା ଚଉଡାକୁ କମାଯାଇ ବକ୍ସ ଡ୍ରେନ କାମ କରାଯାଉ ଥିବା ବେଳେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଏମ୍‌ଏସ୍‌ଡବ୍ଲୁସି-୧ ଡ୍ରେନର ବିଭିନ୍ନ ସ୍ଥାନରେ ବକ୍ସ ଡ୍ରେନ କାମ ଆରମ୍ଭ ହୋଇଥିବା ବେଳେ କେଶରପୁର ପୋଲରୁ ଗହ୍ମାଡିଆ ପୋଲ ମଧ୍ୟରେ ଏହା ଏବେ ସୁଦ୍ଧା ଆରମ୍ଭ ହେଲାନାହିଁ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ବଜ୍ରକବାଟୀରୁ ବକ୍ସି ବଜାର ବାରପଥର ମଧ୍ୟରେ ଥିବା ଅଢେଇ କିଲୋମିଟର ଏମ୍‌ଏସ୍‌ଡବ୍ଲୁସି-୧ ଡ୍ରେନ ଉପରେ ୨୦୧୮ରେ ବକ୍ସ ଡ୍ରେନ କାମ ଆରମ୍ଭ ହୋଇଥିଲା।

Advertisment

ଉକ୍ତ ରାସ୍ତା‌ର କେଶରପୁର ଓ ଗହ୍ମାଡିଆ ମଧ୍ୟରେ ୨୦୧୯ ମେ’ରେ ବକ୍ସ ଡ୍ରେନ ପାଇଁ ନାଳର ଉଭୟ ପାର୍ଶ୍ବକୁ ଖୋଳାଗଲା। ହେଲେ ରାସ୍ତାକୁ ମାଡି ୪ ଫୁଟରୁ ଅଧିକ ଅଞ୍ଚଳକୁ ଖୋଳି ଦିଆଗଲା। ଏଥିରେ ରାସ୍ତାର ଓସାର କମିବା ସହ ସାଧାରଣ ଲୋକଙ୍କୁ ଏହି ବାଟ ଦେଇ ଚଳପ୍ରଚଳ କରିବାରେ ସମସ୍ୟା ହେଲା। ଏନେଇ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ, ପୌର ନିଗମ ‌କମିସନର ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଭେଟି ଅଭିଯୋଗ କରିଥିଲେ। ମାତ୍ର ଉକ୍ତ ରାସ୍ତାଟି ଚୌଦ୍ବାର-କଟକ କିମ୍ବା ବାରବାଟୀ-କଟକ ନିର୍ବାଚନ ମଣ୍ଡଳିରେ ଅଛି ଏହାକୁ ନେଇ କାହା ନିକଟରେ ସୂଚନା ନଥିବାରୁ ଏହାକୁ କେହି ଗୁରୁତ୍ବ ଦେଲେ ନାହିଁ। ସେ‌ପଟେ ଡ୍ରେନ କାମ ଶିଘ୍ର ଶେଷ କରିବାକୁ ଠିକାଦାର ପ୍ରତିଶ୍ରୁତି ଦେଇ କାମ ଆରମ୍ଭ କରୁଥିବା ବେଳେ ୨୦୧୯ ଜୁନ୍ ୧୫ ପରେ କାମ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଗଲା। ପରେ ଠିକାଦାର ଓ କାମ ନେଇଥିବା ସଂସ୍ଥା କାମ ଛାଡି ଦେଇଥିବାରୁ ଏହା ୩ବର୍ଷରୁ ଅଧିକ ଦିନ ଧରି ପଡି ରହିଲା। ଏବେ ନୂଆ ଠିକାଦାର ସଂସ୍ଥା ବକ୍ସ ଡ୍ରେନ କାମ ଆରମ୍ଭ କରିଥିବା ବେଳେ କେଶରପୁର ଓ ଗହ୍ମାଡିଆ ମଧ୍ୟରେ କାମ ଆରମ୍ଭ କରିନାହିଁ। ରାସ୍ତାକୁ ମାଡି ଡ୍ରେନ ଖୋଳାଯାଇ ଥିବାରୁ ଉକ୍ତ ରାସ୍ତା ଦେଇ ଦୁଇଟି ବାଇକ ଏକା ସଙ୍ଗରେ ଯିବା ପାଇଁ ସମସ୍ୟା ହେଉଛି। ଉକ୍ତ ଅଞ୍ଚଳରେ ବକ୍ସ ଡ୍ରେନ କାମ ଶିଘ୍ର ଆରମ୍ଭ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କଟକ ବରିଷ୍ଠ ନାଗରିକ ମହାସଭାର ସାଧାରଣ ସଂପାଦକ ବିଷ୍ଣୁମୋହନ ଦାସ ସାମନ୍ତ ଦାବି କରିଛନ୍ତି।