ବିକାଶ ବାହାନାରେ ବେପରୱା; ଦୁଇ ଦିନରେ ଚାଲିଗଲା ଦୁଇ ଜୀବନ

ଦୁର୍ଘଟଣା ପାଇଁ ଲୋକଙ୍କୁ ଦାୟୀ କଲେ ଜିଲ୍ଲାପାଳ, ଆର୍‌ଆଣ୍ଡବି ବନ୍ଦ କଲା, ଜାଇକା ହଟାଇ ଦେଲା!

କଟକ: ମାତୃଭବନ-ନୂଆବଜାର ରାସ୍ତାରେ ଯେଉଁଠି ସୋମବାର ଦୁର୍ଘଟଣା ଘଟିଥିଲା, ସେହି ସ୍ଥାନକୁ ଆର୍‌ଆଣ୍ଡବି ଦୁଇଟି ବଡ଼ କଂକ୍ରିଟ ପଥର ରଖି ସର୍ବସାଧାରଣଙ୍କ ଚଳାଚଳ ପାଇଁ ବନ୍ଦ କରିଥିଲା। ଏମିତିକି ଏ ସମ୍ପର୍କରେ ଲିଖିତ ଭାବେ ଜିଲ୍ଲା ପ୍ରଶାସନ, କମିସନରେଟ୍ ପୁଲିସକୁ ବି ଅବଗତ କରିଥିଲା। ପରେ ଜାଇକା କଲ୍ୟାଣୀନଗର ପାର୍ଶ୍ବ ଡ୍ରେନ୍ ନିର୍ମାଣ ସମୟରେ ନିଜର ଭାରୀଯାନ ଚଳାଚଳ କରିବା ପାଇଁ ଏହି କଂକ୍ରିଟ ସେଠାରୁ ହଟାଇ ଦେଇଥିଲା। ଯାହା ଫଳରେ ସେହି ରାସ୍ତାରେ ଜାଇକା ଗାଡ଼ି ସହିତ ସର୍ବସାଧାରଣଙ୍କ ଯାନବାହାନ ପୁଣି ଥରେ ନୂଆବଜାର ଆଡ଼କୁ ଚଳାଚଳ ଆରମ୍ଭ କରିଥିଲା। ରାସ୍ତା ବନ୍ଦରେ ବ୍ୟବହାର ହୋଇଥିବା ଏହି କଂକ୍ରିଟ ପଥର ସ୍ଥାନାନ୍ତର ପାଇଁ ହାଇଡ୍ରା ମେସିନ୍ ନିହାତି ଆବଶ୍ୟକ। ଏମିତିକି ଜେସିବି ମେସିନରେ ଏହାକୁ ଉଠାଇବା ବି ସମ୍ଭବପର ନୁହେଁ ବୋଲି କୁହାଯାଉଛି। କିନ୍ତୁ ଏଭଳି ପରିସ୍ଥିତିରେ ବି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଦୁର୍ଘଟଣା ପାଇଁ ସାଧାରଣ ଲୋକଙ୍କୁ ଦାୟୀ କରିଛନ୍ତି। ଲୋକେ ବ୍ୟାରିକେଡ୍ ଭାଙ୍ଗି ସେହି ରାସ୍ତାରେ ଚଳପ୍ରଚଳ କରିଥିବା କହି ଶ୍ରୀ ଚୟନୀ ଏହି ଦୁର୍ଘଟଣା ପାଇଁ ସାଧାରଣ ଲୋକଙ୍କୁ ଦାୟୀ କରିଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ବରରେ କାର୍ଯ୍ୟାଳୟ କରିଥିବା ଯାଜପୁର ଜିଲ୍ଲାର ଏସ୍‌.କେ. ରାୟଙ୍କ ନାଁରେ ଥିବା ନିର୍ମାଣ ସଂସ୍ଥାକୁ ଆରଆଣ୍ଡବି ପକ୍ଷରୁ ଦୁଇଟି ଟେଣ୍ଡର ଦିଆଯାଇଥିଲା। ମାତୃଭବନ ନିକଟ ରେଳବାଇ ବ୍ରିଜରୁ ଛତ୍ରବଜାର ଆଡ଼କୁ ଗଲା ବେଳେ ପ୍ରଥମ ନୂଆ ଓଭରବ୍ରିଜରୁ ଆରମ୍ଭ କରି ଜାତୀୟ ରାଜପଥ ଯାଏ ପାଖାପାଖି ୫୦୦ ମିଟର ତାଳଦଣ୍ଡା କେନାଲର ପାଚେରି ସହିତ ତଳ କଂକ୍ରିଟ ଦାୟିତ୍ବ ନେଇଥିଲା। ଏଥିପାଇଁ ପାଖାପାଖି ୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ନିର୍ମାଣ ଦାୟିତ୍ବ ୨୦୨୧ ଡିସେମ୍ବରରେ ସଂସ୍ଥା ନେଇଥିଲା। ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସେହିଭଳି ୨୦୨୨ ଡିସେମ୍ବରରୁ ଜାତୀୟ ରାଜପଥ ନିକଟରେ ୪ଟି ବ୍ରିଜ ଓ ସୋମବାର ଘଟଣା ଘଟିଥିବା ଅଞ୍ଚଳ ଯାଏ ୬୦ ମିଟର ପାଚେରି ନିର୍ମାଣ ଦାୟିତ୍ବ ବି ସଂପୃକ୍ତ ସଂସ୍ଥା ନେଇଛି। ଗୋଟିଏ ବ୍ରିଜ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଅବଶିଷ୍ଟ ୩ଟି ବ୍ରିଜ ନିର୍ମାଣାଧୀନ ଅବସ୍ଥାରେ ରହିଛି। ଏଥିପାଇଁ ୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆରଆଣ୍ଡବି ଡିଭିଜନ୍ ୧ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମାକାନ୍ତ ବେହେରାଙ୍କ ଅଧୀନରେ ଏହି ଦୁଇଟି କାମ ରହୁଛି। ଏସ.କେ. ରାୟ କମ୍ପାନି ଦ୍ବିତୀୟ ପର୍ଯ୍ୟାୟ କାମ ଆରମ୍ଭ କରିବା ସମୟରେ ଡିଭିଜନ-୧ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ ଏସିପି, ଆରଆଣ୍ଡବିର ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ଜିଲ୍ଲାପାଳଙ୍କୁ ୨୦୨୩ ମାର୍ଚ୍ଚ ୨୦ ତାରିଖରେ ଏକ ଚିଠି ଲେଖାଯାଇଥିଲା। ମାତୃଭବନରୁ ନୂଆବଜାରର ଏହି ରାସ୍ତା ସର୍ବସାଧାରଣଙ୍କ ଚଳପ୍ରଚଳ ପାଇଁ ବନ୍ଦ ରହିବା ନେଇ ଚିଠିରେ ଉଲ୍ଲେଖ କରାଯାଇଥିଲା। ଚିଠି ଲେଖିବାର ଦୁଇ ଦିନ ପରେ ରାସ୍ତାରେ ଦୁଇଟି ବଡ଼ କଂକ୍ରିଟ ପଥର ରଖି ବନ୍ଦ କରାଯାଇଥିଲା। କିନ୍ତୁ ତାଳଦଣ୍ଡା କେନାଲର ଅପର ପାର୍ଶ୍ବରେ ଜାଇକାର ଡ୍ରେନରେ କଂକ୍ରିଟ କାମ ଚାଲିଥିବାରୁ ଏହି କଂକ୍ରିଟକୁ ହଟାଇ ତା’ ଭିତରେ ଗାଡ଼ି ଚଳାଚଳ କରୁଥିଲା। ଏହି ପଥର ଉଠାଇଦେବା ପରେ ସେଠାରେ କୌଣସି ପ୍ରକାର ସୁରକ୍ଷା କର୍ମୀ ନିୟୋଜିତ କରାଗଲା ନାହିଁ କି ଅସ୍ଥାୟୀ ବ୍ୟାରିକେଡ୍ ବ୍ୟବସ୍ଥା ରହିଲା ନାହିଁ। ଯାହା ଫଳରେ ସର୍ବସାଧାରଣଙ୍କ ଚଳପ୍ରଚଳ ପାଇଁ ବନ୍ଦ ଥିବା ରାସ୍ତା ପୂର୍ବ ଭଳି ଖୋଲା ହୋଇଯାଇଥିଲା। ଏହାର ପରିଣାମ ସ୍ବରୂପ ସୋମବାର ସାର୍ତ୍ତୋଳରେ ରହୁଥିବା ପରମହଂସ ପଞ୍ଚାୟତ ମହୁରା ଗାଁର ଜ୍ଞାନ ରଞ୍ଜନ ଜେନାଙ୍କ ମୃତ୍ୟୁ ହୋଇଛି। ପତ୍ନୀ ଅଞ୍ଜନା ଜେନାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଂଗରେ ମେୟର ସୁବାସ ସିଂହ କହିଛନ୍ତି ସେହି ରାସ୍ତା ବନ୍ଦ କରିବା ଉଚିତ ଥିଲା। କାମ ଚାଲିଥିବା ବେଳେ କାହିଁକି ଖୋଲାଥିଲା ସେ ନେଇ ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଦୋଷ ଲୋକଙ୍କର…ଯନ୍ତ୍ରୀ, ଅଧିକାରୀଙ୍କ ଦୋଷ ନାହିଁ

ଛତ୍ରବଜାର ପୋଲ ନିକଟରେ ପ୍ରାୟ ବର୍ଷକ ତଳେ ଏହି ତାଳଦଣ୍ଡା କେନାଲ ନିର୍ମାଣ କାମ ସମୟରେ ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା। ଏଯାଏ ଏହାକୁ ନେଇ ସଂପୃକ୍ତ ଠିକା ସଂସ୍ଥା ଅଥବା ଅନୁଧ୍ୟାନ ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ଅଧିକାରୀଙ୍କର କୌଣସି ଦୋଷ ବାହାରିଲା ନାହିଁ। ମୋଟାମୋଟି ଭାବେ ପ୍ରଶାସନ ଦର୍ଶାଇ ଦେଇଛି ଯେ ଜୀବନ ଯିବା ପାଇଁ ସେହି ଶ୍ରମିକମାନେ ହିଁ ଦାୟୀ ଥିଲେ। ଗତକାଲି ତାଳଦଣ୍ଡା କେନାଲରେ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ଗଲା। ଏବେ ଆର୍ ଆଣ୍ଡ ବି କହୁଛି ​ଏଥିପାଇଁ ଜାଇକା ପ୍ରକଳ୍ପରେ ନିୟୋଜିତ ଠିକା ସଂସ୍ଥା ଦାୟୀ। ଜିଲ୍ଲାପାଳ କହୁଛନ୍ତି ସୁରକ୍ଷା ନିୟମ ନମାନି ବ୍ୟାରିକେଡ୍ ହଟାଇ ଥିବାରୁ ଏଥିପାଇଁ ସାଧାରଣ ଲୋକ ଦାୟୀ। ତେବେ ସାଧାରର ଲୋକଙ୍କ ଅର୍ଥରୁ ଲକ୍ଷାଧିକ ଟଙ୍କା ଦରମା ନେଉଥିବା ଯନ୍ତ୍ରୀ, ଅଧିକାରୀଙ୍କର ଦାୟିତ୍ବ କ’ଣ? ଏ ପ୍ରଶ୍ନ ଏବେ କଟକ ସହରବାସୀଙ୍କୁ ଆନ୍ଦୋଳିତ କରୁଛି।

ବିଭିନ୍ନ ମହଲରେ ନିଷ୍କ୍ରିୟତା ସାଧାରଣ ଲୋକଙ୍କ ସମସ୍ୟା ବଢାଇ ଦେଇଥିବା ବେଳେ ଅଧିକାରୀ ଓ ସେମାନଙ୍କ ପ୍ରୋତ୍ସାହନରେ ଠିକାସଂସ୍ଥା ମାନଙ୍କର ବେପରୱା ଆଚରଣ ଏବେ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ରାସ୍ତା ବନ୍ଦ ରହିବ ବୋଲି ଆର୍ ଆଣ୍ଡ ବି ପକ୍ଷରୁ ମାର୍ଚ୍ଚ ୨୦ ତାରିଖରେ ଟ୍ରାଫିକ ଏସିପି ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖା ଯାଇଥିଲା ବୋଲି ଏବେ ତଥ୍ୟ ଦିଆଯାଉଛି। ସେହି ଅନୁଯାୟୀ ସେଠାରେ ରାସ୍ତା ଅବରୋଧ କରାଯାଇଥିଲା। କିନ୍ତୁ ତାହାକୁ ଜାଇକା ପ୍ରକଳ୍ପରେ ନିୟୋଜିତ ଠିକା ସଂସ୍ଥା ହଟାଇ ଦେଇଥିଲା। ଅବରୋଧ ତ ହଟାଇ ଦିଆଗଲା, ସେଠାରେ ଜଗି ରହିବାକୁ କୌଣସି ସୁରକ୍ଷାକର୍ମୀଙ୍କୁ ବି ନିୟୋଜିତ କରାଗଲା ନାହିଁ। କିନ୍ତୁ ପ୍ରକଳ୍ପ ଅନୁଧ୍ୟାନ ଦାୟିତ୍ବରେ ଥିବା ଆର ଆଣ୍ଡ ବି ର ଯନ୍ତ୍ରୀ, ପୁଲିସ ଓ ପ୍ରଶାସନର ଅଧିକାରୀଙ୍କ ନଜରରେ ଏସବୁ କେମିତି ପଡିଲା ନାହିଁ। ଯନ୍ତ୍ରୀ, ପୁଲିସ, ପ୍ରଶାସନିକ ଅଧିକାରୀମାନେ ସେହି କାର୍ଯ୍ୟର ଅନୁଧ୍ୟାନ ପାଇଁ ଶେଷ ଥର କେଉଁ ଦିନ ସେଠାକୁ ଆସିଥିଲେ? ଏ ପ୍ରଶ୍ନର ଜବାବ ଦେବ କିଏ? ବେପରୱା କାମ ଯୋଗୁଁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। କିନ୍ତୁ ଯନ୍ତ୍ରୀ, ଅଧିକାରୀ ନିଜକୁ ନିର୍ଦ୍ଦୋଷ ଏବଂ ଠିକା ସଂସ୍ଥାକୁ ବି ନିର୍ଦ୍ଦୋଷ ପ୍ରମାଣପତ୍ର ଧରାଇ ସବୁ ଦୋଷ ସାଧାରଣ ଲୋକଙ୍କ ଉପରେ ଲଦିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର