ବ୍ୟବସ୍ଥିତ ହୋଇପାରୁନି କଟକ ପରିମଳ, ଆରମ୍ଭରୁ ଆଣ୍ଠେଇଛି; ଦୁଇ ଓଳା କାମକୁ ନେଇ ବଢୁଛି ବିବାଦ

କଟକ: ୨୦୨୨, ସେପ୍ଟେମ୍ବରରୁ କଟକ ପୌର ନିଗମ ଅଞ୍ଚଳରେ ନୂଆ ପ୍ରକ୍ରିୟାରେ ପରିମଳ ବ୍ୟବସ୍ଥାର ପରିଚାଳନା ହୋଇ ଆସୁଛି। ମାତ୍ର ଇତିମଧ୍ୟରେ ୫ମାସ ବିତି ଯାଇଥିଲେ ବି ସଫେଇ ସିଫ୍‌ଟକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇ ପାରୁନାହିଁ। ସହରର ସଫେଇ ଦାୟିତ୍ବ ୩ଟି ଘରୋଇ ସଂସ୍ଥା ଉପରେ ଥିବା‌ ବେଳେ ସଫେଇ କର୍ମଚାରୀ ଓ ସଂସ୍ଥାଙ୍କ ମଧ୍ୟରେ ଏନେଇ ବିବାଦ ବଢିବାରେ ଲାଗିଛି। ସଫେଇ କର୍ମଚାରୀ ଦୁଇ ବେଳା ବଦଳରେ ଗୋଟିଏ ଓଳି କାମ କରିବା ଦାବିରେ ବିଭିନ୍ନ ୱାର୍ଡରେ ବାରମ୍ବାର କାମ ବନ୍ଦ କରିବାରୁ ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଛି। ସେପଟେ ଏନେଇ ନିଗମ କର୍ତ୍ତୃପକ୍ଷ, ଘରୋଇ ସଂସ୍ଥା ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ଏକାଧିକ ବୈଠକ ହୋଇ ଥିଲେ ବି ଏହାର ସମାଧାନ ହୋଇ ପାରୁନାହିଁ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଗୋଟିଏ ଓଳି କାମ କରିବାକୁ ଚୁକ୍ତି ନକଲେ, ଅନିର୍ଦ୍ଦିଷ୍ଟ କାଳ ପାଇଁ କାମ ବନ୍ଦ ରଖିବାକୁ ଆଜି କର୍ତ୍ତୃପକ୍ଷଙ୍କୁ ସଫେଇ କର୍ମଚାରୀ ଲିଖିତ ଭାବେ ଜଣାଇଛନ୍ତି। ପୌର ନିଗମରେ ୨୦୧୫, ମେ’ରେ ରାମ୍‌କୀ ସହିତ ନିଗମର ଚୁକ୍ତିନାମା ଶେଷ ହେବା ପରେ ପରିମଳ ଟେଣ୍ଡରକୁ ନେଇ ଦୀର୍ଘ ବର୍ଷ ଧରି ଅଚଳାବସ୍ଥା ଲାଗି ରହିଥିଲା। ତେବେ ଗତ ବର୍ଷ ମାର୍ଚ୍ଚରେ ସହରକୁ ୬ଟି ଜୋନ୍‌ରେ ବାଣ୍ଟି ‌ଟେଣ୍ଡର ହୋଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ସରକାରଙ୍କ ପକ୍ଷରୁ ୬ଟି ଜୋନ୍‌କୁ ମଞ୍ଜୁରୀ ପ୍ରଦାନ କରାଗଲା।

Sambad

ଏଥିରେ ୩ଟି ଘରୋଇ ସଂସ୍ଥା ଜାଗୃତିକୁ ଜୋନ୍‌ ନଂ ୧ ଓ ୬, ମଂଜୁଶ୍ରୀକୁ ଜୋନ୍‌ ନଂ ୩ ଓ ୪, ପ୍ରତ୍ୟୁଷକୁ ଜୋନ୍‌ ନଂ ୨ ଓ ୫ର ପରିମଳ କାମ ମିଳିଲା। ପ୍ରତ୍ୟେକ ଜୋନ୍‌ରେ ୧୦ଟି ଲେଖାଏଁ ୱାର୍ଡକୁ ବଣ୍ଟା ଯାଇଥିଲା। ୩ଟି ଘରୋଇ ସଂସ୍ଥା ସଫେଇ ଦାୟିତ୍ବ ନେବା ପରେ ଅକ୍ଟୋବରରୁ ୱାର୍ଡ ଗୁଡିକରେ ପ୍ରତିଦିନ ଦୁଇ ଓଳି ‌ସଫେଇ କାମ କରାଗଲା। ସହରର କିଛି ସ୍ଥାନରେ ସକାଳ ୬ରୁ ଦିନ ୧୦ଟା ଓ ଅପରାହ୍ନ ୪ରୁ ରାତି ୮ଟା ଏବଂ ଆଉ କିଛି ଅଞ୍ଚଳରେ ସକାଳ ୬ରୁ ଦିନ ୧୦ଟା ଓ ସଂଧ୍ୟା ୬ଟାରୁ ରାତି ୧୦ଟା ମଧ୍ୟରେ ସଫେଇ କାମ କରାଗଲା। ୮ ଘଣ୍ଟାକୁ ୪ ଘଣ୍ଟା କରି ୨ଟି ସିଫ୍‌ଟରେ ବାଣ୍ଟି ଦିଆଗଲା। ତେବେ ଦୁଇ ଓଳି ସଫେଇକୁ ନେଇ ଗତ ଡିସେମ୍ବରରୁ ବିବାଦ ଦେଖାଦେଲା। ସଫେଇ କର୍ମଚାରୀ ଦୁଇ ଓଳି ବଦଳରେ ଗୋଟିଏ ଓଳି କାମ କରିବାକୁ ଦାବି ରଖିବା ସହ ଦୁଇ ଓଳି କାମ କଲେ ଦୁଇଗୁଣା ପାରିଶ୍ରମିକ ଦେବାକୁ ଦାବି ରଖିଲେ। ଅନ୍ୟପଟେ ମହିଳା ସଫେଇ କର୍ମଚାରୀଙ୍କୁ ସଂଧ୍ୟା ସମୟରେ କାମରେ ନ ଲଗାଇବାକୁ ମଧ୍ୟ ସେମାନଙ୍କ ପକ୍ଷରୁ ଦାବି ହୋଇଛି। ଏନେଇ ଗତ ମାସରୁ ସଫେଇ କର୍ମଚାରୀ ବିଭିନ୍ନ ସମୟରେ ଧାରଣା ଓ କାମ ବନ୍ଦ ଡାକରା ଦେଇ ଆସୁଛନ୍ତି। ଏଥିରେ ବିଶେଷ ଭାବେ ସହରର ପରିମଳ ସ୍ଥିତି ବିଗିଡିବାରେ ଲାଗିଛି। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ବେଳେ କିଛି ବିରୋଧୀ କର୍ପୋରେଟର ୱାର୍ଡର ସଫେଇ କାମ ନିଜେ କରୁଥିବାର ଚିତ୍ର ଦେଖିବାକୁ ମିଳୁଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଗୋଟିଏ ଓଳି ‌ସଫେଇ କାମ କରିବାକୁ କର୍ମଚାରୀଙ୍କ ସହିତ ଚୁକ୍ତି କରା ନଗଲେ ଅନିର୍ଦ୍ଦିଷ୍ଟ ଭାବେ କାମ ବନ୍ଦ କରିବାକୁ ଆଜି ନିଗମ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପୂର୍ବରୁ ସହରରେ ଗୋଟିଏ ଓଳି ସଫେଇ କରାଯାଉଥିଲା। ଏବେ ପ୍ରତିଦିନ ୪ ଘଣ୍ଟା କରି ଦୁଇ ଓଳିରେ ସଫେଇ କାମ କରାଯାଉଛି ବୋଲି ମେୟର ସୁବାସ ସିଂହ କହିଛନ୍ତି। ଘରୋଇ ସଂସ୍ଥା ଓ ସଫେଇ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ଉକ୍ତ ବିବାଦର ସମାଧାନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର