କଟକ: ଅନେକ ଯୋଜନା, ଏକାଧିକ ବୈଠକ, ବାରମ୍ବାର ପରିଦର୍ଶନ ପରେ ବି କଟକ ବଡ଼ ମେଡିକାଲରେ ଲିଭର ଓ ହାର୍ଟ ପ୍ରତିରୋପଣ ବ୍ୟବସ୍ଥାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଏଥିପାଇଁ ଉପକରଣ କିଣାଯାଇଛି। ଡାକ୍ତର, କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଲିଭର ପ୍ରତିରୋପଣ ପାଇଁ ସରକାର ହାଇଦ୍ରାବାଦ୍‌ର ଏସିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି) ସହିତ ଚୁକ୍ତି ବି କରିଛନ୍ତି। ଏଆଇଜିର ପ୍ରତିନିଧି ମଣ୍ଡଳୀ ୧୦ ଥର ଆସି ଏସସିବି ପରିଦର୍ଶନ କରିବା ସହିତ ବିଭିନ୍ନ ପରାମର୍ଶ ଦେଇ ଯାଉଛନ୍ତି। କିନ୍ତୁ ୬ ମାସ ପରେ ବି ଏସସିବିରେ ଲିଭର ପ୍ରତିରୋପଣ ହୋଇପାରିଲାନି। ‌ଅନ୍ୟପଟେ ସରକାର ହୃଦ୍‌ପିଣ୍ଡ ପ୍ରତିରୋପଣ ପାଇଁ ଅନୁମତି ଦେଇସାରିଥିବା ବେଳେ ତାହା ବି ଅଟକି ରହିଛି। ତଥ୍ୟ ଅନୁଯାୟୀ ୨୦୧୨-୧୩ରେ ଲିଭର ପ୍ରତିରୋପଣ ପାଇଁ ଯେଉଁ ଓଟି ପ୍ରସ୍ତୁତ କରାଯାଇଥିଲା ଓ ଯେଉଁ ଉପକରଣ କିଣା ଯାଇଥିଲା, ତାହା ସବୁ ଏବେ ପଡି ରହିଛି। ଏବେ ପୁଣି ଲିଭର ପ୍ରତିରୋପଣ ପାଇଁ ନୂଆ ଓଟି ଓ ଅନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡିବ। ଯେହେତୁ ୟୁରୋଲୋଜି ବିଭାଗ ଓଟିରେ କିଡ୍‌ନି ପ୍ରତିରୋପଣ କରାଯାଉଛି, ତେଣୁ ଏହି ବିଭାଗ ଓଟିରେ ହିଁ ପ୍ରତିରୋପଣ ଆରମ୍ଭ କରାଯିବ।

Advertisment

ଏସ୍‌ସିବି କର୍ତ୍ତୃପକ୍ଷ କାଡାଭରିକ୍ ପ୍ରତିରୋପଣ ଉପରେ ଅଧିକ ଗୁରୁତ୍ବଦେଉଥିବାବେଳେ ଏବେ କେବଳ କିଡ୍‌ନି ପ୍ରତିରୋପଣ ହିଁ ସମ୍ଭବ ହୋଇପାରୁଛି। ଏପଟେ ଏସ୍‌ସିବିରେ ଲିଭର ପ୍ରତିରୋପଣ ଯୋଜନା ଚାଲିଥିବା ବେଳେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗୀୟ ମୁଖ୍ୟଙ୍କୁ ଏଠାରୁ ପଦୋନ୍ନତି ଦେଇ ଏମ୍‌କେସିଜିକୁ ବଦଳି କରି ଦିଆଯାଇଛି। ଫଳରେ ସର୍ଜରି ବିଭାଗ ମୁଖ୍ୟ ଏବେ ସେହି ବିଭାଗ ଦାୟିତ୍ବରେ ଅଛନ୍ତି। ଏପଟେ ହାର୍ଟ ପ୍ରତିରୋପଣ ପାଇଁ ଅନୁମତି ୫ମାସ ହେଲା ଆସିଥିବାବେଳେ କଣ ଉପକରଣ କିଣାଯିବ ତାର ମଧ୍ୟ ତାଲିକା ଓଏସ୍‌ଏମ୍‌ସିଏଲ୍‌ ପାଖରେ ପଡିଛି। କିନ୍ତୁ ଯେହେତୁ ଏସ୍‌ସିବିରେ ଏକ୍‌ମୋ ମେସିନ୍‌ ରହିଛି ଓ ଓପନ୍‌ ହାର୍ଟ ସର୍ଜରି କରାଯାଉଛି, ତେଣୁ ହାର୍ଟ ପ୍ରତିରୋପଣ ପାଇଁ ସେଭଳି କିଛି ବାଧକ ନାହିଁ। କିନ୍ତୁ ହାର୍ଟ ପ୍ରତିରୋପଣ ପୂର୍ବରୁ ଯେଉଁ କମିଟି ଗଠନ କରାଯାଇ ତାଲିମ୍‌ ପାଇଁ ପଠାଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇପାରୁନି। କିନ୍ତୁ ହାର୍ଟ ପ୍ରତିରୋପଣ ପାଇଁ ପାଖାପାଖି ଶହେ ଜଣ ରୋଗୀ ପଂଜୀକରଣ କରି ସାରିଲେଣି। କିନ୍ତୁ ଲିଭର ପ୍ରତିରୋପଣ ପାଇଁ ଯେଉଁ ଡାକ୍ତର ଓ କର୍ମଚାରୀ ତାଲିମ୍‌ ନେଇଥିଲେ ସେଥିରୁ କେତେ ଜଣ ଅବସର ନେଇସାରିଥିବାବେଳେ ଆଉ କେତେ ଜଣ ଏସ୍‌ସିବି ଛାଡି ଅନ୍ୟ ମେଡିକାଲ କଲେଜରେ ରହିଛନ୍ତି। ଏଭଳି ସ୍ଥିତିରେ ଏସ୍‌ସିବିରେ ଲିଭର ଓ ହାର୍ଟ ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାରୀସ୍ତରରେ ବାସ୍ତବରେ କେତେ ପ୍ରତିଶ୍ରୁତିବଦ୍ଧତା ରହିଛି, ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।