ରେଭେନ୍ସା ଜୁନିୟର୍ କଲେଜ୍ କେନ୍ଦ୍ରରେ ଅବ୍ୟବସ୍ଥା
ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ; ଜେନେରେଟର୍ରେ ଚାଲିଛି ଯୁକ୍ତ ଦୁଇ ପରୀକ୍ଷା
କଟକ: ରେଭେନ୍ସା ଜୁନିଅର କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଚାଲି ଥିବା ବେଳେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭରୁ ଏଭଳି ଅବ୍ୟବସ୍ଥା ଜାରି ରହିଛି। ଜେନେରେଟର ଚଲାଇ ପରୀକ୍ଷା କରାଯାଉଥିବା ବେଳେ ପରୀକ୍ଷା ମଝିରେ ମଝିରେ ପୁରା ବିଦ୍ୟୁତ କାଟ ହୋଇଯାଉଥିବାରୁ ଖରା ଗରମରେ ପରୀକ୍ଷାର୍ଥୀ ହନ୍ତସନ୍ତ ହେଉଛନ୍ତି। ରେଭେନ୍ସା ଜୁନିୟର କଲେଜ ପରୀକ୍ଷା କେନ୍ଦ୍ରରେ ମୋଟ ୭ଟି କଲେଜ (ରେଭେନ୍ସା ସମେତ ଅନ୍ୟ ୬ଟି କଲେଜ୍)ର ମୋଟ ୧୮୮୪ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ (ବିଜ୍ଞାନ, କଳା, ବାଣିଜ୍ୟ) ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ବିଦ୍ୟୁତ ନ ଥିବାରୁ ଜେନେରେଟର ଚଲାଇ ପରୀକ୍ଷା ହେଉଛି। ଗୋଟିଏ ପରୀକ୍ଷା ହଲ୍ରେ ୩୦/୪୦ମିନିଟ୍ ପର୍ଯ୍ୟନ୍ତ ଫ୍ୟାନ୍ ଚାଲୁଥିବା ବେଳେ ତାହାକୁ ପୁଣି ବନ୍ଦ କରି ଅନ୍ୟ ହଲ୍ରେ ଫ୍ୟାନ୍ ଚଲାଇ ପରୀକ୍ଷା କରାଯାଉଛି।
ହଲ୍ରେ କାର୍ଯ୍ୟରତ ଇନ୍ଭିଜ୍ଲେଟରଙ୍କୁ ପଚାରିବାରୁ ବିଦ୍ୟୁତ୍ ବିଲ୍ ପୈଠ ହୋଇ ନଥିବାରୁ ଜେନେରେଟର ଦ୍ବାରା ପରୀକ୍ଷା କରାଯାଉଛି ବୋଲି ସେ ଉତ୍ତର ଦେଇଥିବା ସଂପୃକ୍ତ ପରୀକ୍ଷାର୍ଥୀ କହିଛନ୍ତି। ଅନ୍ୟପଟେ ରେଭେନ୍ସା ଜୁନିୟର କଲେଜ ଅଧ୍ୟକ୍ଷା ଡକ୍ଟର ଆରତୀ ତ୍ରିପାଠୀ କହିଛନ୍ତି ଯେ, ରେଭେନ୍ସା ଜୁନିୟର କଲେଜରେ କ’ଣ ଟଙ୍କା ଅଭାବ ଯେ ବିଦ୍ୟୁତ୍ ବିଲ୍ ପୈଠ ହୋଇନାହିଁ? ବିଦ୍ୟୁତ ବିଲ୍ ପୈଠ ହୋଇଛି। କିନ୍ତୁ ସିଙ୍ଗଲ୍ ଫେଜ୍ ହୋଇଥିବାରୁ ମଝିରେ ମଝିରେ ବିଦ୍ୟୁତ କଟିଯାଉଛି। ଏଥି ପାଇଁ ଜେନେରେଟର ବ୍ୟବସ୍ଥା କରାଯାଇ ପରୀକ୍ଷା ଚାଲୁଛି ବୋଲି ଅଧ୍ୟକ୍ଷା ଡକ୍ଟର ତ୍ରିପାଠୀ କହିଛନ୍ତି।