୧୯ ଦିନ ହେଲା ଟ୍ରଲିଚାଳକଙ୍କ ପତ୍ତା ମିଳୁନି! ଘରୁ ଘୋଷାଡ଼ି ନେଇଥିଲା ବିଡ଼ାନାସୀ ପୁଲିସ

ପତ୍ନୀଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର

କଟକ: ତୁଳସୀପୁର ଡିଅର ପାର୍କ ଅଞ୍ଚଳରେ ଜଣେ ନାବାଳକଙ୍କ ସହିତ ଜଣେ ନାବାଳିକା ଘରୁ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି। ଏଭଳି ସମ୍ବେଦନଶୀଳ ମାମଲାରେ ବିଡାନାସୀ ଥାନା ପୁଲିସ ନାବାଳକଙ୍କ ଘରେ ପଶି ତାଙ୍କ ମାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହିତ ବାପାଙ୍କୁ ଘୋଷାଡ଼ି ନେଇଗଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ନାବାଳକଙ୍କ ବାପା ଦେବରାଜ ନାୟକଙ୍କ ପତ୍ତା ମିଳୁ ନାହିଁ। ପୁଲିସ ଘରୁ ଉଠାଇନେବାର ୧୯ ଦିନ ବିତିଯାଇଥିବା ବେଳେ ଦେବରାଜଙ୍କ ପତ୍ତା ମିଳୁ ନଥିବା ତାଙ୍କ ପତ୍ନୀ ସୁଷମା ନାୟକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଡିସିପିଙ୍କୁ ଡାକ ଯୋଗେ ଅଭିଯୋଗପତ୍ର ବି ପଠାଇଥିବା କହିଛନ୍ତି।

ସୂଚନା ଅନୁଯାୟୀ, ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ଡିଅର ପାର୍କ ଅଞ୍ଚଳରେ ରୁହନ୍ତି ଟ୍ରଲିଚାଳକ ଦେବରାଜ ନାୟକ ଓ ତାଙ୍କ ପତ୍ନୀ ସୁଷମା ନାୟକ। ତାଙ୍କ ୧୭ ବର୍ଷୀୟ ନାବାଳକ ସାନପୁଅ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଗଲା ସେପ୍ଟେମ୍ବର ୨୫ ତାରିଖ ରାତି ପ୍ରାୟ ୯ଟା ବେଳେ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ଏ ସଂକ୍ରାନ୍ତରେ ଜାଣିବା ପରେ ଦେବରାଜଙ୍କ ଘରକୁ ରାତି ପ୍ରାୟ ୧୦ଟା ବେଳେ ଆସି ସୁଷମାଙ୍କୁ ଗାଳିଗୁଲଜ ସହିତ ପାଟିତୁଣ୍ଡ କରିଥିଲେ। ଘଟଣା ବିଡାନାସୀ ଥାନାରେ ପହଞ୍ଚିଥିଲା। ୪ ଜଣ ପୁଲିସ ସେଦିନ ରାତି ପ୍ରାୟ ୧୨ଟା ବେଳେ ଦେବରାଜଙ୍କ ଘରେ ପହଞ୍ଚି ଘରର ତଲାସି ନେଇଥିଲେ। ଉଭୟ ନାବାଳକ ଓ ନାବାଳିକାଙ୍କୁ ନପାଇ ପୁଲିସ ସେଦିନ ଫେରିଯାଇଥିଲା। ପୁଣି ଗଲା ୬ ତାରିଖ ରାତି ପ୍ରାୟ ୧୧ଟା ବେଳେ ବିଡାନାସୀ ଥାନାର ୪ ଜଣିଆ ପୁଲିସ ଟିମ୍ ଦେବରାଜଙ୍କ ଘରେ ପହଞ୍ଚିଥିଲା। ଘରର କବାଟକୁ ଗୋଇଠା ମାରି ଘରେ ପଶିଥିଲା ପୁଲିସ ଟିମ୍। ସୁଷମାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀଙ୍କୁ ମାଡ଼ ମାରି ସେମାନେ ଘର ଭିତରୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ପୁଲିସ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ସୁଷମା ଅଭିଯୋଗ କରିଛନ୍ତି।

ଆଜି ସୁଦ୍ଧା ଦେବରାଜଙ୍କ କୌଣସି ଖୋଜଖବର ମିଳୁ ନଥିବା ସୁଷମା କହିଥିବା ବେଳେ ଏ ସଂକ୍ରାନ୍ତରେ ଗଲା ୯ ତାରିଖରେ ଡିସିପିଙ୍କୁ ଡାକ ଯୋଗେ ଅଭିଯୋଗ ପଠାଇଥିବା କହିଛନ୍ତି। ୧୯ ଦିନ ବିତିଯିବା ପରେ ବି ତାଙ୍କ ସ୍ବାମୀଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁ ନାହିଁ। ସ୍ବାମୀ ଏବେ କେଉଁଠି ଅଛନ୍ତି, ସେ ନେଇ ପୁଲିସ ବି କୌଣସି ସୂଚନା ଦେଉ ନଥିବାରୁ ପୁଲିସ କବଳରୁ ତାଙ୍କ ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ସୁଷମା ଡିସିପିଙ୍କୁ ଲିଖିତ ଅବଗତ କରିଛନ୍ତି। ଅନ୍ୟପଟେ ସୁଷମାଙ୍କ ଏ ପ୍ରକାର ସଂଗିନ ଅଭିଯୋଗ ସମ୍ପର୍କରେ ବିଡାନାସୀ ଥାନା ଆଇଆଇସି ପ୍ରଦୀପ୍ତ କୁମାର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର