ଇଟାଲି ଫେରନ୍ତା ଇଞ୍ଜିନିୟରଙ୍କ ରିପୋର୍ଟ ନେଗେଟିଭ୍‌, ଏସ୍‌ସିବି ସ୍ବତନ୍ତ୍ର ୱାର୍ଡରେ ରହିବେ ୧୪ ଦିନ

କଟକ : କରୋନା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି ‌ହୋଇଥିବା ଜଣେ ଇଟାଲୀ ଫେରନ୍ତା ଇଞ୍ଜିନିୟର୍‌ଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଯାହାଫଳରେ, ଇଞ୍ଜନିୟର୍‌ଙ୍କ ପରିବାର ଲୋକ ଆଶ୍ବସ୍ତ ହୋଇଛନ୍ତି। କଟକ ବଡ଼ ଡାକ୍ତରଖାନା କରୋନା ଵାର୍ଡରେ ଶନିବାର ଇଟାଲି ଫେରନ୍ତା ଇଞ୍ଜିନିୟରଙ୍କୁ ଭର୍ତ୍ତି କରାଯାଇଥିଲା। ରବିବାର ସକାଳୁ ଉକ୍ତ ସନ୍ଦିଗ୍ଧଙ୍କ ଲାଳର ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆରଏମ୍‌ଆରସିକୁ ପଠାଯାଇଥିଲା। ତେବେ ସଂଧ୍ୟାରେ ରିପୋ‌ର୍ଟ ନେଗେଟିଭ୍‌ ଆସିଥିବା ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। କିନ୍ତୁ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ରିପୋର୍ଟ ନେଗେଟିଭ୍‌ ଆସିଲେ ମଧ୍ୟ ୧୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଏସ୍‌ସିବିର ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖାଯିବ ବୋଲି ଜଣାପଡିଛି।

ଏଠାରେ ସୂଚନା ଯୋଗ୍ୟ, ଏସ୍‌ସିବିରେ କରୋନା ସନ୍ଦେହରେ ୯ଜଣଙ୍କୁ ଭର୍ତ୍ତି କରାଯାଇଥିଲା ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏଥି ସହ ସେଥିରୁ ୭ଜଣ ଡିସ୍‌ଚାର୍ଜ ହୋଇ ଘରକୁ ଫେରି ସାରିଲେଣି। ଅନ୍ୟପଟେ କଟକ ଜିଲ୍ଲାରେ ହୋମ ଆଇସୋଲେସନ୍‌ରେ ୨୬ଜଣଙ୍କୁ ରଖାଯାଇଥିଲା। ସେଥିରୁ ୮ଜଣଙ୍କ ଆଇସୋଲେସନ୍‌ ସମୟ ଶେଷ ହୋଇ ସାରିଛି। ଏହି ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ମଧ୍ୟ‌ରେ ୨ଜଣ ବିଦେଶୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର