ଜଗତପୁର ଲୁଟ ଘଟଣାର ପର୍ଦ୍ଦାଫାସ : ଅଭିଯୋଗକାରୀ ହିଁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ

କଟକ : ମାର୍ଚ୍ଚ ୩୧ ତାରିଖରେ ଜଗତପୁର ଶିଳ୍ପାଞ୍ଚଳରେ ଘଟିଥିବା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଅଭିଯୋଗକାରୀ ହିଁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ। କଟକ ଜିଲ୍ଲା ଜଗତପୁର ଅଂଚଳରେ ୨୭ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ଯାଞ୍ଚ ପରେ ପୁଲିସ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ଏବେ ଲୁଟର ମାଷ୍ଟର ମାଇଣ୍ଡ ନଳିନୀ ତ୍ରିପାଠୀ ଓ ତାର ତିନି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଟଙ୍କା ଆତ୍ମସାତ୍‌ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତକାରୀ ନଳିନୀ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ ନିଜେ ପୁଲିସ ଜାଲରେ ଫସିଛି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୩୧ରେ ଜଗତପୁର ଶିଳ୍ପାଞ୍ଚଳରେ ବଡ ଧରଣର ଲୁଟ୍‌ ହୋଇଥିଲା। ଦୁର୍ଗା କୋ ପ୍ରାଇଭେଟ ଲିମିଟେଡ କମ୍ପାନୀର ନଳିନୀକାନ୍ତ ତ୍ରିପାଠୀ ବ୍ୟାଙ୍କରୁ ୨୭ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଶିଳ୍ପାଞ୍ଚଳରେ ୨ ଦୁର୍ବୃତ ବାଇକରେ ଆସି ନଳିନୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା। ତେବେ ନଳିନୀର କ୍ଷତଚିହ୍ନକୁ ନେଇ ପୋଲିସର ସନ୍ଦେହ ହେବା ପରେ ପୋଲିସ ଅଧିକ ଖୋଳତାଡ କରିଥିଲା। ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା ନଳିନୀଙ୍କ ହାତର ଆହତ ଅକସ୍ମାତ ହୋଇଥିବା ହମଲାରୁ ନୁହେଁ, ବରଂ ସଚେତନ ଭାବେ କମ କ୍ଷତି ପହଂଚାଇବାକୁ କରାଯାଇଥିବା ଆକ୍ରମଣ। ଏହି ସୁରାକକୁ ଆଧାର କରି ପୋଲିସ ନଳିନୀ ଠାରୁ ସବୁ ସତ ବାହାର କରି ୨୭ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଥିଲା।

ପୂର୍ବରୁ ଟଙ୍କା ଲୁଟ୍‌ ପାଇଁ ନଳିନୀ ନିଜ ୩ ସାଙ୍ଗଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା। ଟଙ୍କା ଲୁଟ୍‌ କରି ଅଭିଯୁକ୍ତ ନିଜେ ଅଭିଯୋଗକାରୀ ସାଜି ପୁଲିସ ସାମ୍ନାରେ ଆସି ଘଟଣାକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରିଥିଲା। ହେଲେ ପୁଲିସ ପୁରା ଘଟଣାର ଖୋଳତାଡ କରି ଅପରାଧୀଙ୍କୁ ଏବେ ଜେଲରେ ପୁରାଇଛି।

ସମ୍ବନ୍ଧିତ ଖବର