ଟେଣ୍ଡର୍‌ରେ ରହିଗଲା ଜଗତପୁର ଗୋଲେଇଛକ ସୌନ୍ଦର୍ଯ୍ୟୀକରଣ

କାର୍ଯ୍ୟାଦେଶ ୭ ମାସ ପରେ ବି ଆରମ୍ଭ ହେଲାନି କାମ

କଟକ: ଜଗତପୁର ଗୋଲେଇଛକର ବଦଳିବ ରୂପ। ଛକ ମଝି ଅଞ୍ଚଳରେ ଥିବା ଖୋଲା ସ୍ଥାନକୁ ସୁନ୍ଦର କରାଯିବ। କଟକ ବାହାରୁ ଆସୁଥିବା ଲୋକଙ୍କୁ ହଜାରେ ବର୍ଷ ସହରର ଐତିହ୍ୟ ସହିତ ଜଡ଼ିତ ଥିବା ନୌବାଣିଜ୍ୟ ଇତିହାସ ସହିତ ଏହା ପରିଚିତ କରାଇବାକୁ ନେଇ ଗତବର୍ଷ ପୌର ନିଗମ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଲା। ମାତ୍ର କାର୍ଯ୍ୟାଦେଶ ମିଳିବାର ୭ମାସ ପରେ ବି ଠିକାରଦାର କାମ ଆରମ୍ଭ ନକରି ଏହାକୁ ପକାଇ ରଖିଥିବା ବେଳେ ନିଗମର ଅଧିକାରୀ ଅନ୍ୟ ବିଭାଗ ଉପରେ ଦୋଷ ଦେଇ ଖସିଯିବାକୁ ବସିଛନ୍ତି। କାର୍ଯ୍ୟାଦେଶ ବାହାରିବାର ୭ମାସ ପରେ ବ କାମ ଆରମ୍ଭ ହୋଇ ନଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୌର ନିଗମ ୪୯ ନମ୍ବର ୱାର୍ଡରେ ବହୁବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଜଗତପୁର ଗୋଲେଇ ଛକକୁ ନୂଆ ରୂପ ଦେବାକୁ ନିଗମ ତରଫରୁ ଗତବର୍ଷ ଅକ୍ଟୋବର୍‌ରେ ଯୋଜନା ପ୍ରସ୍ତୁତ ହେଲା। ଗୋଲେଇ ଛକ ଚାରିପାଖରେ ଲୁହାବାଡ଼ା ଦିଆଯାଇ ଏହା ମଧ୍ୟରେ ବିଭିନ୍ନ ବିଷୟ ନିର୍ମାଣ କରିବାକୁ ସ୍ଥିର ହେଲା। ଖୋଲାସ୍ଥାନରେ ଫାଉଣ୍ଟେନ୍‌(ଝରଣା) କରାଯିବ ସହିତ ତାହା ମଧ୍ୟରେ ଏକ ନୌକା ରଖାଯିବ। ଯାହାକି କଟକ ସହିତ ନୌବାଣିଜ୍ୟର ଥିବା ସଂପର୍କ ସମ୍ପର୍କରେ ସହର ବାହାରୁ ଆସୁଥିବା ଲୋକଙ୍କୁ ସୂଚନା ଦେବ ବୋଲି ସେତେବେଳେ କୁହାଗଲା।

ଉକ୍ତ ସ୍ଥାନର ଚତୁଃପାର୍ଶ୍ବରେ ବିଭିନ୍ନ ଧାତୁରେ ନିର୍ମିତ ୪ଟି କଳାକୃତି ରଖାଯିବା ସହ ଖାଲି ସ୍ଥାନରେ ୪ ପ୍ରକାରର ଭିନ୍ନ ଭିନ୍ନ ଘାସ ଗଛ ଲଗାଯାଇ ସୁନ୍ଦର ଆଲୋକର ବ୍ୟବସ୍ଥା କରିବାକୁ ସ୍ଥିର ହେଲା। ଏପରିକି ଗୋଲେଇ ଛକ ଉପରେ ଦେଇ ଯାଇଥିବା ଜାତୀୟ ରାଜପଥର ଫ୍ଲାଏ ଓଭର୍‌ବ୍ରିଜ୍‌ର ପିଲାର୍‌ଗୁଡ଼ିକୁ ସୁନ୍ଦର ଚିତ୍ରରେ ରଙ୍ଗିନ କରାଯିବା ସହିତ ଛକର ଚାରିଦିଗକୁ ଯାଇଥିବା ରାସ୍ତାର ମଧ୍ୟ ଅଞ୍ଚଳରେ ପଥଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରାସ୍ତାର ଯେଉଁ ସ୍ଥାନରେ ଜେବ୍ରା କ୍ରସିଂ ଥିବ ସେଠାରେ ଥିବା ଖୋଲା ସ୍ଥାନରେ ‘ପେଡିଷ୍ଟ୍ରେନ୍‌ ପାଥ୍‌-ୱେ’ କରିବାକୁ ମଧ୍ୟ ଯୋଜନା କରାଯାଇ ଟେଣ୍ଡର୍‌ କରାଗଲା। ଉକ୍ତ କାମ ପାଇଁ ୫୦ଲକ୍ଷ ଟଙ୍କାର ବଜେଟ ରଖି ୨୦୨୧ ନଭେମ୍ବରରେ ଟେଣ୍ଡର୍‌ ହୋଇ ୨୦୨୨ ଜାନୁଆରିରେ ୱାର୍କଅର୍ଡର୍‌ ବାହାରିଲା। ଏହା ଭିତରେ ୭ମାସ ବିତିବାକୁ ବସିଲାଣି। ମାତ୍ର, ଏହି ୭ମାସ ଭିତରେ ଗୋଲେଇ ଛକରେ କେଇଖଣ୍ଡ ଇଟା ରଖିବା ଠିକାଦାର କେଉଁଆଡ଼େ ଉଭାନ୍‌ ହୋଇଯାଇଛନ୍ତି। ସରକାର ‌କଟକକୁ ସୁନ୍ଦର କରିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଦେଉଥିବା ବେଳେ ନିଗମର ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ପାଇଁ ସେଗୁଡ଼ିକୁ ବାସ୍ତବ ରୂପ ମିଳିପାରୁ ନଥିବା ସାଧାରଣରେ ଅଭିଯୋଗ ହୋଇଛି। ଗୋଲେଇଛକର କାମ ହେବାକୁ ଥିବା ଖୋଳା ଅଞ୍ଚଳକୁ ବିୁଦ୍ୟତ ସଂଯୋଗ ମିଳିବାରେ ବିଳମ୍ବ ହେଉଥିବାରୁ ଏଠାରେ କାମ ଡେରି ହେଉଛି ବୋଲି ନିଗମର ଇଂଜିନିୟରିଂ ବିଭାଗ ପାକ୍ଷରୁ କୁହାଯାଇଛି। ଉକ୍ତ ସୌନ୍ଦର୍ଯ୍ୟୀକରଣ କାମକୁ ଶୀଘ୍ର ଶେଷ କରିବା ସହ ଜଗତପୁର ଗୋଲେଇଛକର ମାନ ବଢ଼ାଇବାକୁ ସ୍ଥାନୀୟ ବ୍ୟବସାୟୀ ଓ ବାସିନ୍ଦାମାନେ ପୌର ନିଗମ ନିକଟରେ ଦାବି ରଖିଛନ୍ତି।

ସମ୍ବନ୍ଧିତ ଖବର