କଟକ : ସାରୁଅରେ ଜମି ଦୁର୍ନୀତିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (ଇଓଡବ୍ଳୁ) ପକ୍ଷରୁ କରାଯାଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଆଜି ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥି ସହିତ କମ୍ପାନିର ପ୍ରମୋଟର ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରୀ ଉପରେ ନଭେମ୍ବର ୫ରେ ଜାରି କରାଯାଇଥିବା ଅନ୍ତରୀଣ ଅଙ୍କୁଶ ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିବା ବେ‌ଳେ ପକ୍ଷମାନେ ନଭେମ୍ବର ୧୬ ତାରିଖ ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜି ହାଇକୋର୍ଟରେ ଶୁଣାଣି ସମୟରେ ମାମଲାର ଦ୍ବିତୀୟ ଆବେଦନକାରୀ ଥିବା ମନୋରଂଜନ ଷଡଙ୍ଗୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସେ ଇତି ମଧ୍ୟରେ ଓଡ଼ିଶା ଇନଫ୍ରାଟେକ୍ ସଂସ୍ଥାର ସିଇଓ ପଦରୁ ଓ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ସେ ଆଉ କମ୍ପାନିର ପ୍ରତିନିଧିତ୍ବ କରିବାକୁ ଚାହୁଁ ନାହାନ୍ତି। ସେ ମାମଲାରେ ଆବେଦନକାରୀ ଭାବେ ଆଉ ଅଗେଇବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀ ଷଡଙ୍ଗୀଙ୍କୁ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ଖଣ୍ଡପୀଠ ଏହି ମାମଲାରୁ ଶ୍ରୀ ଷଡଙ୍ଗୀଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

publive-image

ଅନ୍ୟ ଏକ ପୃଥକ ଆବେଦନରେ ଇଓଡବ୍ଲୁ ମାମଲାକୁ ଚାଲେଞ୍ଜ କରି ନିହାର ରଂଜନ ଭୂୟାଁ ଦାୟର କରିଥିବା ମାମଲାର ହାଇକୋର୍ଟ ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ ନିହାର ରଂଜନଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି ଦୁର୍ନୀତିର ତଦନ୍ତ କରୁଥିବା  ଇଓଡବ୍ଲୁ  ପକ୍ଷରୁ କରାଯାଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌, ମନୋରଂଜନ ଷଡଙ୍ଗୀ ଓ ଶିବପ୍ରସାଦ ହରିଚନ୍ଦନଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରଥମେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ପ୍ରଥମରୁ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଆବେଦନକାରୀ ନ ଥିଲେ। ନଭେମ୍ବର ୫ରେ ମାମଲାର ଶୁଣାଣି ସମୟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍‌ ଲିମଟେଡ୍‌ର ପ୍ରମୋଟର ହୋଇଥିବାରୁ ଇଓଡବ୍ଲୁ ମାମଲାରେ ସେମାନଙ୍କ ଗିରଫଦାରୀର ଆଶଙ୍କା ରହିଛି ବୋଲି ଦର୍ଶାଯାଇଥିଲା। ଏଥି ସହିତ ଉଭୟ ସଂସ୍ଥାର ପ୍ରମୋଟର ହୋଇଥିବାରୁ ଏହି ମାମଲାରେ ଆବେଦନକାରୀ ହେବା ପାଇଁ ଅନୁମତି ଦିଆଯାଉ ବୋଲି ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ। ନଭେମ୍ବର ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଣ୍ଡା ଓ ଶ୍ରୀମତୀ ପଣ୍ଡାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ  ନି‌ର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ରାଜ୍ୟ ସରକାର, ଇଓଡବ୍ଲୁ ଓ ରବୀନ୍ଦ୍ର ସେଠୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ରବୀନ୍ଦ୍ର ସେଠୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ସିଦ୍ଧାର୍ଥ ଦାସ ଓ ସୌମ୍ୟ ରଂଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।