କେବିକେ ରୋଡ୍‌ରେ ଜାଇକାର ମନମୁଖୀ କାମ, ଗୋଟିଏ ଚ୍ୟାମ୍ବର୍‌ ବାରମ୍ବାର ଖୋଳା ଚାଲିଛି

କଟକ: ଗୋଟିଏ ରାସ୍ତାକୁ ୫ବର୍ଷରେ ୭ ଥର ଖୋଳି କାମ କରିଲାଣି ଜଇକା। ସବୁଥର ଚ୍ୟାମ୍ବର୍‌ ଓ ପାଇପ୍‌ ମରାମତି ପରେ ନୂଆ ରାସ୍ତା କରାଯାଉଛି। ଏହାର କିଛିଦିନ ପରେ କାମରେ ତ୍ରୁଟି ଦର୍ଶାଇ ପୁନର୍ବାର ରାସ୍ତା ଖୋଳୁଛି ଜାଇକା। ଅନ୍ୟପଟେ କାମ ଶେଷ ହେବା ପରେ ଦୀର୍ଘମାସ ଧରି ରାସ୍ତା ମରାମତି ନ କରି ଜାଇକା ରାସ୍ତାକୁ ବିପର୍ଯ୍ୟସ୍ତ ଅବସ୍ଥାରେ ପକାଇ ରଖୁଛି। ପୌର ନିଗମ ୧୫ ନମ୍ବର ଵାର୍ଡ କଳାବିକାଶ କେନ୍ଦ୍ର (କେବିକେ) ରାସ୍ତାରେ ଜାଇକା ଏପରି କାମ କରୁଥିବା ଅଭିଯୋଗ ହୋଇଛି। ଏବେ ଉକ୍ତ ରାସ୍ତାର ସତ୍ୟସାଇ ସ୍କୁଲ ସମ୍ମୁଖରେ ଥିବା ଚ୍ୟାମ୍ବର୍‌କୁ ଖୋଲି ପୁନର୍ବାର ପାଇପ୍‌ ସଂଯୋଗ କରିବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ଜାଇକା ପ୍ରକଳ୍ପ ଆସନ୍ତା ଡିସେମ୍ବରରେ ଶେଷ ହେବ ବୋଲି କୁହାଯାଉଛି। ମାତ୍ର କେବିକେ ରୋଡ୍‌ରେ ଚ୍ୟାମ୍ବର୍‌ କାମ ଏବେ ସୁଦ୍ଧା ଶେଷ ହୋଇ ପାରିଲା ନାର୍ହି। କଳା ବିକାଶ କେନ୍ଦ୍ର ରାସ୍ତାରେ ୨୦୧୭ ଅଗଷ୍ଟରେ ଜାଇକା ଚ୍ୟାମ୍ବର୍‌ ଓ ପାଇପ୍‌ ବିଛା କାମ ଆରମ୍ଭ କରିଥିଲା।

ଗତବର୍ଷ ନଭେମ୍ବର୍‌ରେ ଏଠାରେ ଶେଷ ଥର ପାଇଁ କାମ ହୋଇଥିଲା। ଯେଉଁଥିରେ ପୁରୁଣା ଚ୍ୟାମ୍ବର୍‌କୁ ଖୋଲି ମରାମତି କାମ ହୋଇଥିଲା। ମାତ୍ର କାମ ଶେଷ ହେବାର ୧୦ ମାସ ପରେ ବି ରାସ୍ତା ମରାମତି କରାଗଲା ନାହିଁ। ଉକ୍ତ ରାସ୍ତାରେ ବିଛାଯାଇଥିବା ପାଇପ୍‌କୁ ମରାମତି କରିବା, ପାଇପ୍‌ରୁ ସ୍ଥାନୀୟ ଲୋକଙ୍କ ଘରକୁ ସଂଯୋଗ ଦେବା ଆଦି କାମ ବାରମ୍ବାର କରାଯାଉଛି। ଗତ ୫ବର୍ଷ ମଧ୍ୟରେ ଏଠାରେ ଜାଇକା ପକ୍ଷରୁ ୭ରୁ ଅଧିକ ଥର ରାସ୍ତା ଖୋଳି କାମ କରାଯାଉଥିଲେ ବି ଏହା ଆଜି ସୁଦ୍ଧା ଶେଷ ହେଲା ନାହିଁ। ଗତ ‌ମଙ୍ଗଳବାର ଦିନ ଉକ୍ତ ରାସ୍ତାରେ ଥିବା ସତ୍ୟସାଇ ସ୍କୁଲ ସମ୍ମୁଖରେ ଥିବା ଚ୍ୟାମ୍ବର୍‌କୁ ଖୋଳାଯାଇ କାମ କରାଯାଉଛି। ଏଥିପାଇଁ ରାସ୍ତାର ଏକପାର୍ଶ୍ବକୁ ଆବଦ୍ଧ କରି କାମ ଚାଲିଛି। ଉକ୍ତ ରାସ୍ତାରେ ଥିବା ଏକକ ଚ୍ୟାମ୍ବର୍‌କୁ ଆଉ‌ ଗୋଟିଏ ପାଇପ୍‌ ସଂଯୋଗ ପାଇଁ କାମ କରାଯାଉଛି ବୋଲି ଜାଇକା ନିର୍ବାହୀଯନ୍ତ୍ରୀ(‌ସ୍ବେରେଜ୍‌) କେ.ସି. ପରିଡ଼ା କହିଛନ୍ତି। କେବିକେ ରୋଡ୍‌କୁ ଆଖପାଖ ଅଞ୍ଚଳରେ ଥିବା ୭ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ୟବହାର କରିଥାନ୍ତି। ବର୍ଷର ସବୁ ସମୟରେ ଏଠାରେ ଜାଇକା କାମ କରୁଥିବାରୁ ଛାତ୍ରଛାତ୍ରୀଙ୍କ ଚଳପ୍ରଚଳରେ ବହୁ ସମସ୍ୟା ହେଉଛି ବୋଲି ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ କରାଯିବା ସହ ଏହାର ସ୍ଥାୟୀ ସମାଧାନ ଦାବି କରାଯାଇଛି।

ସମ୍ବନ୍ଧିତ ଖବର