ଜାଇକା କନିଷ୍ଠ ଯନ୍ତ୍ରୀଙ୍କ ଚେତାବନୀ, ବିରୋଧ କଲେ କାମ ବନ୍ଦ କରିଦେବୁ, ଘରୁ ବାହାରି ପାରିବନି

କଟକ: କଟକ ସହରରେ ଜାଇକା ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। କେଉଁଠି ମ୍ୟାନହୋଲ୍‌ ଚାମ୍ବର୍‌ ଭୁଶୁଡ଼ି ଯାଉଛି ତ ଆଉ କେଉଁଠି ଚକ୍‌ଚକ୍ ରାସ୍ତାକୁ ଖୋଳି ଜାଇକା ନଷ୍ଟ କରି ଦେଇଛି। ଅଧିକାଂଶ ଜାଗାରେ କୂଅ ଖୋଳି କାମ ସରିବା ପରେ ରାସ୍ତା ତିଆରି ନକରି ଜାଇକା ଯନ୍ତ୍ରୀମାନେ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ବିଲ୍ ପାସ୍ କରି ଦେଉଥିବା ଅଭିଯୋଗ ହୋଇଛି। ଚ୍ୟାମ୍ବର୍‌ ତଳେ ବାଲି ବଦଳରେ ଖୋଳିଥିବା ମାଟି ଦିଆଯିବା ଯୋଗୁଁ ଏଭଳି ଘଟୁଥିବା ଅଭିଯୋଗ ହେଉଛି। ଏହାର ସତ୍ୟତା ଏବେ ତିନିଘରିଆଠାରେ ନିର୍ମାଣଧୀନ ସ୍ବେରେଜ୍‌ ଚ୍ୟାନେଲ୍‌ ଓ ମ୍ୟାନହୋଲ୍ ଚାମ୍ବର୍‌ ପୋତିବାରେ ଦେଖିବାକୁ ମିଳିଛି। ବାଲି ବଦଳରେ ଖୋଳାଯାଇଥିବା ମାଟିରେ ପୋତାଯିବା କାରଣରୁ ଏହା ଦବୁଥିବା ଦେଖାଯାଇଛି। ତିନିଘରିଆ ସାହି ଛକରେ ଜାଇକା ସ୍ବେରେଜ୍‌ ଚ୍ୟାନେଲ୍‌ ଓ ମ୍ୟାନହୋଲ୍ ନିର୍ମାଣ କରୁଛି।

ରାସ୍ତା ୨ଫୁଟରୁ ଅଧିକ ଖୋଳି ସ୍ବେରେଜ୍‌ ପାଇପ୍ ମ୍ୟାନହୋଲ୍‌ରେ ସଂଯୋଗ କରିବା ପରେ ଖୋଲିଥିବା ମାଟିରେ ପୋତୁଥିବା ବେଳେ ବିଜେଡି ୱାର୍ଡ ସଭାପତି ନୀଳମାଧବ ଖୁଣ୍ଟିଆ ଓ ବିଜେଡି ନେତ୍ରୀ ରାଜଲକ୍ଷ୍ମୀ ଖୁଣ୍ଟିଆ ବିରୋଧ କରିଥିଲେ। ନିୟମ ଅନୁସାରେ ପ୍ରଥମେ ବାଲି ଦେଇ ତା’ପରେ ମାଟି ଦେବାକୁ ଠିକାଦାରଙ୍କୁ କହିଥିଲେ। ଠିକାଦାର ଜାଇକା କନିଷ୍ଠଯନ୍ତ୍ରୀ ଫାରୁକ୍ ବୋମିକଙ୍କୁ କାର୍ଯ୍ୟସ୍ଥଳକୁ ଡାକିଥିଲେ। ପୂର୍ବ ନେତାଦ୍ବୟ କନିଷ୍ଠ ଯନ୍ତ୍ରୀଙ୍କୁ ସମାନ ଅଭିଯୋଗ କରିବାରୁ କନିଷ୍ଠ ଯନ୍ତ୍ରୀ ହଁ ମାରି ଚାଲିଯାଇଥିଲେ। ହେଲେ, ୨୪ ତାରିଖ ରାତିରେ ମାଟିରେ ଗାତ ପୋତି ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଇଂ. ଫାରୁକ୍‌ଙ୍କୁ ପଚାରିବାରେ, କାଳେ ରାତିରେ ବର୍ଷା ହେବ ଓ ଖାଲରେ ପାଣି ଭର୍ତ୍ତି ହୋଇଯିବ ବୋଲି ତାଙ୍କୁ ପୋତିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ତେବେ, ପ୍ରଥମେ କାହିଁକି ବାଲିରେ ପୋତିବାକୁ ନିର୍ଦେଶ ଦେଲେ ବୋଲି ପଚାରିବାରେ ତାଙ୍କଠାରୁ କିଛି ଉତ୍ତର ମିଳି ନଥିଲା। ଅପରପକ୍ଷରେ ସାହିର ଜନାର୍ଦ୍ଦନ ଖୁଣ୍ଟିଆ ଅଭିଯୋଗ କରିଛନ୍ତି ଯେ, କନିଷ୍ଠ ଯନ୍ତ୍ରୀଙ୍କୁ ବାଲିରେ ପୋତିବାକୁ କହିବାରୁ ସେ କହିଥିଲେ, ‘ବିରୋଧ କି ଅଭିଯୋଗ କର ନାହିଁ, କାମ ବନ୍ଦ ହୋଇଯିବ, ଘରୁ ପଦାକୁ ବାହାରି ପାରିବ ନାହିଁ।’

 

ସମ୍ବନ୍ଧିତ ଖବର