ବିଚିତ୍ର ବ୍ୟବସ୍ଥା, ପ୍ରାଣକୃଷ୍ଣ ପରିଜା ଉଦ୍ୟାନରେ ଜାଇକା କରୁଛି ଚ୍ୟାମ୍ବର୍‌

କଟକ: ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ନୂଆ ଉଦ୍ୟାନ ବା ପାର୍କ ନିର୍ମାଣ କରାଯାଉଛି। ମାତ୍ର ବଶିଷ୍ଟ ବ୍ୟକ୍ତିଙ୍କ ନାମରେ ଥିବା ଉଦ୍ୟାନକୁ ନଷ୍ଟ କରି ସେମାନଙ୍କ ପ୍ରତି ସିଏମ୍‌ସି ଅସମ୍ମାନ ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି। ଗତ ତିନି ବର୍ଷ ମଧ୍ୟରେ ନିଗମ ଅମୃତ ଯୋଜାନରେ ସହରରେ ୩୦ରୁ ଅଧିକ ପାର୍କର ପୁନରୁଦ୍ଧାର କାମ ଶେଷ କରିଥିବା ‌େବଳେ ଚଳିତ ଆର୍ଥିକ ବର୍ଷରେ ୧୨ଟି ନୂଆ ପାର୍କର ନିର୍ମାଣ କରୁଛି। ହେଲେ ସିଏମ୍‌ସି ୱାର୍ଡ ନମ୍ବର ୫୩ର ଭିଜିଲାନ୍ସ କଲୋନି ନିକଟରେ ଥିବା ଡକ୍ଟର ପ୍ରାଣକୃଷ୍ଣ ପରିଜା ଉଦ୍ୟାନକୁ ଅବହେଳିତ ଅବସ୍ଥାରେ ପକାଇ ରଖିଛି। ଦୀର୍ଘ ବର୍ଷ ଧରି ଉଦ୍ୟାନଟି ଅବହେଳିତ ଅବସ୍ଥାରେ ଥିବାରୁ ଏବେ ଏହା ମଧ୍ୟରେ ଜାଇକା ପ୍ରକଳ୍ପର ଚ୍ୟାମ୍ବର ନିର୍ମାଣ ଚାଲିଛି। ସେପଟେ ପାର୍କ ନିକଟରେ କୁଢ କୁଢ ଆବର୍ଜନା ଗଦା ହୋଇ ରହୁଛି। ସହରର ସବୁ ଅଞ୍ଚଳରେ ଜାଇକା ରାସ୍ତାରେ ଚ୍ୟାମ୍ବର କରୁଥିବା ବେଳେ ଏଠାରେ ସିଏମ୍‌ସିର ଉଦ୍ୟାନ ମଧ୍ୟରେ ଚ୍ୟାମ୍ବର ନିର୍ମାଣକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ପ୍ରତିବର୍ଷ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସିଏମ୍‌ସି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ୨୦୦୭ରେ ସିଏମ୍‌ସିର ୫୩ ନମ୍ବର ୱାର୍ଡର ଏଲ୍‌ଆଇସି କ‌େଲାନି ନିକଟରେ ନିର୍ମାଣ ହୋଇଥିଲା ପ୍ରାଣକୃଷ୍ଣ ପରିଜା ପାର୍କ।

ଆରମ୍ଭରୁ କିଛି ବର୍ଷ ଧରି ଏହାର ରକ୍ଷଣାବେକ୍ଷଣ କାମ ସିଏମ୍‌ସି ତରଫରୁ କରଗଲା। ମାତ୍ର ଗତ ୭ବର୍ଷ ହେବ ଏହା ଉପରୁ ନିଗମର ନଜର ହଟିଯାଇଛି। ଏହାର ରକ୍ଷଣାବେକ୍ଷଣ କାମ କରାଯାଉ ନଥିବାରୁ ଏହା ମଧ୍ୟରେ ଦୀର୍ଘ ଦିନ ଧରି ଗଛଲତାରେ ଭରି ରହିଲା। ଏପରି ପରସ୍ଥିତି ହେଲା ଯେ ପାର୍କର ଅବସ୍ଥାକୁ ଦେଖି ଦୁଇ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀ ଓ ଯୁବକ ଏହାକୁ ପରି‌ଷ୍କାର କରିବା ସହ ଏହା ମଧ୍ୟରେ ବୃକ୍ଷ ରୋପଣ କରିଥିଲେ। ସିଏମ୍‌ସିରେ ଏନେଇ ଅଭିଯୋଗ ମଧ୍ୟ କରି‌ଥିଲେ। ହେଲେ ସିଏମ୍‌ସି ପକ୍ଷରୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଦୀର୍ଘ ବର୍ଷ ଧରି ଏହା ଅବହେଳିତ ଅବସ୍ଥାରେ ପଡି ରହିବାରୁ ଏବେ ଏହାର ପାଚେରିକୁ ଭାଙ୍ଗି ଜାଇକା ଏହା ମଧ୍ୟରେ ଏକ ଚ୍ୟାମ୍ବର କରିବା ସହ ବାଲି ଓ ଚିପସ୍‌ ଗଦାଇ ରଖିଛି। ସହରର ସବୁ ଅଞ୍ଚଳରେ ଜାଇକା ରାସ୍ତାରେ ଚ୍ୟାମ୍ବର କରୁଛି। ହେଲେ ପରିଜା ପାର୍କ ମଧ୍ୟରେ ଜାଇକା ଚ୍ୟାମ୍ବର କରିଥିବା ବେଳେ ଏହା ଉପରେ କେହି ନଜର ଦେଉ ନାହାନ୍ତି। ଅନ୍ୟପଟେ ଉକ୍ତ ପାର୍କଠାରୁ ମାତ୍ର ୨ଶହ ମିଟର ଦୂରରେ ମହାନଗର ନିଗମ ପକ୍ଷରୁ ଆଉ ଏକ ପାର୍କ ନିର୍ମାଣ କରାଯାଇଛି। ୨୪ଲକ୍ଷ ଟଙ୍କାରେ ଏହି ନୂଆ ‘ଅନ୍ଦରପୁର ପାର୍କ’ ନିର୍ମାଣ ହୋଇଥିବା ବେଳେ ସିଏମ୍‌ସି ଦେଶ ଓ ବିଦେଶରେ ଓଡ଼ିଶାର ନାମକୁ ଉପରକୁ ନେଇଥିବା ବିଶିଷ୍ଟ ବ୍ୟକ୍ତି ନାମରେ ନିର୍ମାଣ ହୋଇଥିବା ପାର୍କକୁ ଏପରି ଅବହେଳା କରିବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋ‌ଷ ଦେଖାଯାଇଛି।

ସମ୍ବନ୍ଧିତ ଖବର