କଟକ: ମହାନଗର ନିଗମ ୧୩ ନମ୍ବର ୱାର୍ଡ ଗଙ୍ଗାମନ୍ଦିର ଛକରୁ କାଜିବଜାର ପର୍ଯ୍ୟନ୍ତ ଜାଇକା ପକ୍ଷରୁ ପାଇପ୍ ବିଛା ଓ ଚ୍ୟାମ୍ବର୍ କାମ କରାଯାଉଛି। କାର୍ଯ୍ୟ ସ୍ଥାନରେ କୌଣସି ବାଡ଼ ଦିଆ ନଯାଇ ବିପଦସଂକୁଳ ଅବସ୍ଥାରେ କାର୍ଯ୍ୟ କରାଯାଉଥିବାରୁ ଏହା ମଧ୍ୟରେ ଅନେକ ଲୋକ ପଡି ଆହତ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ରାସ୍ତାଟି ସିଏମ୍ସିର ୩ଟି ୱାର୍ଡରେ ଥିବାରୁ ଏଥିରେ ବହୁ ଲୋକ ପ୍ରଭାବିତ ହେଉଛନ୍ତି। ଅନ୍ୟପଟେ ଜାଇକା କାମ ପାଇଁ ଖମଖିଆଲ ଭାବେ ରାସ୍ତା ଖୋଳାଯିବାରୁ ବହୁସ୍ଥାନରେ ପାଣି ପାଇପ୍ ଫାଟି ରାସ୍ତାରେ ପାଣି ବହୁଛି। ଜାଇକା ଓ ସିଏମ୍ସି କର୍ତ୍ତୃପକ୍ଷଙ୍କୁ ଏନେଇ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ବେ କୌଣସି ସୁଫଳ ମିଳୁ ନଥିବା ଅଞ୍ଚଳବାସୀ କହୁଛନ୍ତି। ସହରର ଗଙ୍ଗାମନ୍ଦିର ଦୁର୍ଗାମଣ୍ଡପରୁ କାଜିବଜାର ଅମଲା କ୍ଲବ୍ ମଧ୍ୟ ଅଞ୍ଚଳରେ ଜାଇକା ୧୨ଦିନ ତଳେ ପାଇପ୍ ବିଛା ଓ ଚ୍ୟାମ୍ବର୍ କାମ ଆରମ୍ଭ କରିଥିଲା। ୫ଶହ ମିଟର୍ ଦୀର୍ଘ ଉକ୍ତ ରାସ୍ତାଟି ସିଏମ୍ସିର ୱାର୍ଡ ନମ୍ବର ୧୩, ୧୮ ଓ ୧୯ ମଧ୍ୟରେ ରହିଛି। ଏଠାରେ ଜାଇକା ୩ ବର୍ଷ ତଳେ ପାଇପ୍ ବିଛା ଓ ଚ୍ୟାମ୍ବର କାମ କରିଥିଲା। ମାତ୍ର ସେ ସମୟରେ ଅଧା କାମ କରିଥିବାରୁ ଏବେ ତାହାକୁ ଶେଷ କରିବାକୁ ପୁନର୍ବାର କାମ ଆରମ୍ଭ ହୋଇଛି। ୧୦ରୁ ୧୨ ଫୁଟ୍ ଓସାରର ରାସ୍ତାରେ ପାଇପ୍ ବିଛା ଓ ଚ୍ୟାମ୍ବର୍ କାମ ପାଇଁ ରାସ୍ତା ଖୋଳାଯାଇଥିବା ବେଳେ ଏହାକୁ ବାଡ଼ ଦିଆଯାଇ ଅବରୋଧ କରାଯାଇ ନାହିଁ।
ଖୋଳାଯାଇଥିବା ରାସ୍ତରେ ପଡି ଅନେକ ବାଟୋଇ ଆହତ ହେଉଥିବା ଅଭିଯୋଗ ହୋଇଛି। ସେହିପରି ରାସ୍ତା ଖୋଳା ବେଳେ ଏକାଧିକ ସ୍ଥାନରେ ପିଏଚ୍ଡି ପାଇପ ଫାଟିବାରୁ ରାସ୍ତା ଉପରେ ପାଣି ବହୁଥିବାରୁ ଏହା ରାସ୍ତାର ଅବସ୍ଥାକୁ ଅଧିକ ଖରାପ କରୁଛି। ଏହି ରାସ୍ତାଟି ସିଏମ୍ସିର ୩ଟି ୱାର୍ଡ ମଧ୍ୟରେ ଥିବାରୁ ଏହା ଉପରେ ନିର୍ଭର କରୁଥିବା ୧୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି। ଖୋଳା ରାସ୍ତାକୁ ଆବଦ୍ଧ କରି କାମ କରିବାକୁ ସ୍ଥାନୀୟ ବାସିନ୍ଦା ଜାଇକା କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରୁଥିବା ବେଳେ କୌଣସି ସୁଫଳ ମିଳୁ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜାଇକା ଖୋଳିଥିବା ସ୍ଥାନରେ ଅନେକ ଲୋକ ପଡି ଆହତ ହେଉଛନ୍ତି ବୋଲି ଗଙ୍ଗାମନ୍ଦିର ପୂଜା କମିଟି ସାଧାରଣ ସଂପାଦକ ବିବେକ ସାହୁ କହିଛନ୍ତି। ଜାଇକା କାମ ପାଇଁ ପାଣି ପାଇପ ଫାଟି ରାସ୍ତାରେ ପାଣି ବହୁଥିବାରୁ ଚଳପ୍ରଚଳରେ ସମସ୍ୟା ହେଉଥିବା ଗଙ୍ଗାମନ୍ଦିର ଯୁବକ ସଂଘ ସଂପାଦକ ଦେବେନ୍ଦ୍ର ବାରିକ ଅଭିଯୋଗ କରିଛନ୍ତି। ଆସନ୍ତା ୧୦ ତାରିଖରେ ସ୍ଥାନୀୟ ମା’ ନିମ ଦେବୀଙ୍କ ବାର୍ଷିକ ଉତ୍ସବ ଥିବାବେଳେ ଏହା ପୂର୍ବରୁ ରାସ୍ତାକାମ ଶେଷ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।