ନୀଳାଦ୍ରିବିହାରରେ ଜାଇକା ଯନ୍ତ୍ରଣା, ଚାରି ପରିବାରର ଘର ଭାଙ୍ଗିଲା

କଟକ- ମହାନଦୀ ବିହାର: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନିଳାଦ୍ରୀବିହାରରେ ଜାଇକାର ବେପରୱା କାମ ଯୋଗୁଁ ୪ଟି ପରିବାରର ଘର ଭାଙ୍ଗିଛି। ଏହାକୁ ନେଇ ଥାନାରେ ଏତଲା ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସେଠାରେ ଦାୟିତ୍ଵରେ ଥିବା ସାଇଟ୍ ଇଞ୍ଜିନିୟର ଓ କାମ ନେଇଥିବା ଠିକାଦାରଙ୍କୁ ପଚରାଉଚୁରା କରାଯାଇଛି। ଅଭିଯୋଗ ଅନୁସାରେ ନିଳାଦ୍ରୀବିହାରରେ ଜାଇକା ପକ୍ଷରୁ ଗଲା ପ୍ରାୟ ୪ ବର୍ଷ ହେଲା ଜାଇକାର କାମ ଚାଲିଛି। ବଡ ବଡ ଗାତ ଖୋଳି ଚାମ୍ବର ତିଆରି କରାଯାଉଛି। ଏହି ସାହିରେ ବସବାସ କରୁଥିବା ପ୍ରାୟ ଚାରି ଶହରୁ ଅଧିକ ପରିବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ସାଇଟ୍ ଇଞ୍ଜିନିୟର କାମ ସ୍ଥାନରେ ରହୁ ନାହାନ୍ତି କି ସିକ୍ୟୁରିଟି ଗାର୍ଡ ବି ରହୁ ନାହାନ୍ତି।

ଏଭଳି ସ୍ଥିତିରେ ଆଜି ଜାଇକା କାମ ଚାଲି ଥିବାବେଳେ ଡାକ୍ତର ଦେବେନ୍ଦ୍ର କୁମାର ଦାସ, ରଶ୍ମିରଞ୍ଜନ ସାହୁ ଓ ଅନ୍ୟ ଦୁଇଜଣଙ୍କ ଘର ଭାଙ୍ଗି ଥିବା ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଛି। ସେମାନଙ୍କର ପାଚେରି ଭୁଶୁଡ଼ି ପଡିଥିବା ବେଳେ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏ ସଂପର୍କରେ ଜାଇକା ମୁଖ୍ୟଯନ୍ତ୍ରୀ ଇଂ ରତୀନ୍ଦ୍ର ନାରାୟଣ ମଲ୍ଲିକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳି ପାରି ନଥିଲା। ଲୋକଙ୍କ ଜୀବନ ଏଭଳି ବିପନ୍ନ କରି ଦେଇଥିବାରୁ ପୁଲିସ ସାଇଟ୍ ଇଞ୍ଜିନିୟର ଓ କାମ ନେଇଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର