କେବେ ମିଳିବ ଜାଇକା ଯନ୍ତ୍ରଣାରୁ ମୁକ୍ତି? ଏନ୍ଆର୍‌ଆର୍‌ଆଇ ମୁଖ୍ୟ ରାସ୍ତା ଖୋଳି ଠିକାଦାର ଛୁ

କଟକ: ସହରରେ ଜାଇକା ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ବିପର୍ଯ୍ୟସ୍ତ ଅବସ୍ଥାରେ ଛାଡ଼ି ଚାଲିଯାଉଥିବାରୁ ଲୋକେ ନାହିଁ ନଥିବାରୁ ସମସ୍ୟା ଭୋଗୁଛନ୍ତି। ସ୍ବେରେଜ୍‌ ଚାମ୍ବର ତିଆରି କରିବା ପାଇଁ ଗୋଟିଏ ରାସ୍ତାକୁ ବର୍ଷେ/ଦୁଇବର୍ଷ ବ୍ୟବଧାନରେ ବାରମ୍ବାର ଖୋଳି ବିପର୍ଯ୍ୟସ୍ତ କରିଦିଆଯାଉଛି। ଏନ୍‌ଆର୍‌ଆର୍‌ଆଇ ପ୍ରଥମ ପ୍ରବେଶଦ୍ବାର ରାସ୍ତା ଗତ ୪ବର୍ଷରେ ୬ ଥର ଖୋଳିବା ଏହାର ଅନ୍ୟତମ ଉଦାହରଣ। ଏହି ରାସ୍ତାକୁ ଜାଇବା ବାରମ୍ବାର ଖୋଳୁଛି, ତିଆରି ହେଉଛି ଓ ପୁନର୍ବାର ଖୋଳି ବିପର୍ଯ୍ୟସ୍ତ କରି ଛୁ ମାରୁଛି। ବାରମ୍ବାର ଭଙ୍ଗା ଓ ଗଢା ଯିବା ଦ୍ବାରା ଲୋ‌କେ ଯନ୍ତ୍ରଣା ଭୋଗୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ରୋଜଗାର କରୁଥିବା ଅଭିଯୋଗ ହେଉଛି। ଏନ୍‌ଆର୍‌ଆର୍‌ଆଇ ବିଦ୍ୟୁତ ବିଭାଗ ଅଫିସଠାରୁ କହ୍ନେଇପୁର ପ୍ରବେଶ ପଥ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏହି ରାସ୍ତା ତିଆରି ନକରି ଠିକାଦାର ବିଲ୍ ନେଇ ପଳାଇଥିବା ଅଭିଯୋଗ କରିଛନ୍ତି ୫୫ ନଂ ୱାର୍ଡ କର୍ପୋରେଟର‌୍ ବିଶ୍ବବନ୍ଦିତା ପଣ୍ଡା। ଶ୍ରୀମତୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ପ୍ରବେଶପଥର ଶିବ ମନ୍ଦିରଠାରୁ ୫୦ ମିଟର୍‌ ରାସ୍ତାକୁ ଖୋଳି ବିପର୍ଯ୍ୟସ୍ତ କରି ଠିକାଦାର ପଳାଇଛନ୍ତି।

ମୋ ୱାର୍ଡର କହ୍ନେଇପୁର ଓ ଭଦୀମୂଳରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଆନ୍ତି। ଦେବୀମୂର୍ତ୍ତି ଏହି ରାସ୍ତା ଦେଇ କଟକ-ପାରାଦୀପ ରାସ୍ତାକୁ ବାହାରି ଦେବୀଗଡାକୁ ବିସର୍ଜନ ପାଇଁ ଯାଇଥାନ୍ତି। ମାତ୍ର ଜାଇକା ଏହି ରାସ୍ତା ବିପର୍ଯ୍ୟସ୍ତ କରି ଦେଇଛି। ବିସର୍ଜନ ପାଇଁ ଦେବୀ ଏହି ରାସ୍ତା ଦେଇ କେମିତି ବାହାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜାଇକା ରାସ୍ତା ତିଆରି ନକଲେ ମୁଁ ବାଧ୍ୟ ହୋଇ ରାଜରାସ୍ତାରେ ବସିବି ଓ‌ ଜାଇକା ଅଫିସ ଘେରାଉ କରିବି ବୋଲି ସେ ଚେତାବନୀ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ମାସକ ପୂର୍ବରୁ କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ କଂଗ୍ରେସ ଦଳ କଟକ ସହରର ବିପର୍ଯ୍ୟସ୍ତ ରାସ୍ତା ପାଇଁ ଜାଇକା ଅଫିସ୍‌ ଘେରାଉ କରିଥିଲା। ଦଶହରା ମଧ୍ୟରେ ରାସ୍ତା ନିର୍ମାଣ ନହେଲେ ଗିରିବାଳା ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ। ସେତେବେଳେ ଜାଇକାର ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ କହିଥିଲେ ଯେ, ଦଶହରା ମଧ୍ୟରେ ସବୁ ରାସ୍ତା ମରାମତି ହେବ। ହେଲେ, ଏପର୍ଯ୍ୟନ୍ତ କୌଣସି ରାସ୍ତା ନିର୍ମାଣ ହୋଇ ନାହିଁ। ରାସ୍ତା ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର