ଜାଇକା ଅତ୍ୟାଚାରର ଅନ୍ତ ନାହିଁ, ୬ମାସରୁ ୪ମାସ ଶଙ୍କରପୁର ରାସ୍ତା ବନ୍ଦ
କଟକ: ଜାଇକା ଅତ୍ୟାଚାର ଯେମିତି ଥମିବା ନାଁ ନେଉନି। କେବେ କାମ ସରିବ, ତା’ର ଫଳାଫଳ କ’ଣ ମିଳିବ, କାମ ସରିବା ପରେ ପାଣି ଠିକ୍ରେ ନିଷ୍କାସିତ ହେବ କି’ ନା… ସେ ସମ୍ପର୍କରେ କାହା ପାଖରେ ସଠିକ୍ ଉତ୍ତର ନାହିଁ। ହେଲେ, ପ୍ରତିଦିନ ଅର୍ଦ୍ଧାଧିକ ସହର ଜାଇକା ଯନ୍ତ୍ରଣା ଭୋଗୁଛି। ଗୋଟିଏ ଗୋଟିଏ କୂଅ ପାଇଁ ସାହି ଲୋକଙ୍କ ରାସ୍ତା ୧୫-୧୫ ଦିନ ବନ୍ଦ କରି ରଖାଯାଉଥିବା ବେଳେ, ୧୦/୧୨ଦିନ ପରେ ପୁଣି ସେଇ କୂଅକୁ ଖୋଳି ରାସ୍ତା ବନ୍ଦ କରି ଦିଆଯାଉଛି। ନା’ଏଥିପାଇଁ ସାହିଲୋକ/କର୍ପୋରେଟର୍ଙ୍କ ଅନୁମତି ନିଆଯାଉଛି, ନା’ ସାହି ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯାଉଛି। ୩୭ନମ୍ବର ୱାର୍ଡ ଶଙ୍କରପୁରରେ ମାତ୍ର ୫୦ ମିଟର ରାସ୍ତାରେ କୂଅ ଖୋଳିବା ପାଇଁ ଗତ ୬ମାସ ଭିତରେ ଜାଇକା ଠିକାଦାର ୪ମାସରୁ ଅଧିକ ସମୟ ଧରି ରାସ୍ତା ବନ୍ଦ କରି ରଖିବା ଏହାର ସଦ୍ୟ ଉଦାହରଣ। ଶଙ୍କରପୁର ବାରିକାସାହି ଓ ଡିହସାହି ଦେଇ ନାକେଇପଡ଼ିଆକୁ ଯାଇଥିବା ରାସ୍ତାର ବାରିକସାହି ମହାବୀର ମଣ୍ଡପ ନିକଟରୁ ପ୍ରାୟ ୬ମାସ ତଳେ କୂଅ ଖୋଳା ଆରମ୍ଭ ହୋଇଥିଲା। ମହାବୀର ମଣ୍ଡପ ତିନିକୋଣିଆ ଛକରେ ୬ମାସ ତଳେ ଖୋଳାଯାଇଥିବା କୂଅ ଯୋଗୁଁ ଦୀର୍ଘଦିନ ଧରି ଉଭୟପଟର ଲୋକ ନାହିଁ ନଥିବା ସମସ୍ୟା ଭୋଗିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କୂଅ କଡ଼ରେ ଢ଼େର୍ ଜାଗା ଥିଲେ ବି ଜାଣିଶୁଣି ସେଠାରେ ଲୁହା ବିମ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜମା କରି ରଖାଯାଇଥିଲା, ଯେପରି ଉକ୍ତ ରାସ୍ତାରେ ଦୁଇଚକିଆ ଗାଡ଼ି ବି ଠିକ୍ରେ ଯାଇ ପାରିବ ନାହିଁ। କୂଅ ବନ୍ଦ ହେବା ପରେ ତାକୁ ଗୋଡ଼ି-ବାଲି ବଦଳରେ କେବଳ ମାଟିରେ ପୋତି ଦିଆଗଲା। ଲଗାଣ ବର୍ଷା ଯୋଗୁଁ ଉକ୍ତ ମାଟି କାଦୁଅ ପାଲଟି ଅବସ୍ଥା ଏପରି ହେଲା ଯେ, ଦୈନିକ ୮/୧୦ଜଣ ଲୋକ ସେଠାରେ ପଡ଼ି ଆହତ ହେଲେ। ବର୍ଷା ଛାଡ଼ିବା କ୍ଷଣି ୧୦ମିଟର ଦୂରରେ ପୁଣି ଏକ କୂଅ ଖୋଳିବା ଆରମ୍ଭ ହୋଇଗଲା। ଏଥର କୂଅ କଡ଼ରେ କମ୍ ଓସାରର ରାସ୍ତା ଥିବାରୁ ରାସ୍ତାକଡ଼ ଡ୍ରେନ୍ ଉପରେ ଥିବା ସ୍ଲାବ୍କୁ ସଜାଡ଼ି ଯାତାୟାତ ଯୋଗ୍ୟ କରିବା ପାଇଁ ଲୋକ ଅନୁରୋଧ କରିଥିଲେ। ହେଲେ, ଜାଇକା ଠିକାଦାରଙ୍କ କର୍ମଚାରୀ ସେଥିପ୍ରତି ଅଣଦେଖା କରିଦେଲେ। ଅନ୍ୟ ବାଟେ ବୁଲିକି ଯାଅ ବୋଲି ରୋକ୍ଠୋକ୍ ଶୁଣାଇଦେଲେ। ଏହା ପରେ ୧୦/୧୨ ମିଟର ଦୂର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଙ୍କରେ ତୃତୀୟ କୂଅ ଖୋଳଯାଇଥିଲା ଓ ତା’ ପରେ ବିଦ୍ୟାମନ୍ଦିରର ଦ୍ବିତୀୟ ଫାଟକ ନିକଟରେ ଚତୁର୍ଥ କୂଅ ଖୋଳାାଯାଇଥିଲା। ମାସ-ମାସ ଧରି ରାସ୍ତା ବନ୍ଦ ରହିବା ପରେ ପ୍ରାୟ ୧୦ଦିନ ତଳେ କୂଅ ବନ୍ଦ କରାଯାଇଥିଲା। ହେଲେ, ଏବେ ପୁଣି ଶିଶୁମନ୍ଦିର ବାଙ୍କରେ ଥିବା କୂଅର ଢ଼ାଙ୍କୁଣି ଖୋଲି କାମ ଆରମ୍ଭ ହୋଇଛି। ଫଳରେ, ଏହି ରାସ୍ତା ଦେଇ ସାହି ଲୋକଙ୍କ ଯାତାୟତ ଏକପ୍ରକାର ଠପ୍ ହୋଇଯାଇଛି। ବାରିକସାହି-ଡିହସାହି ଦେଇ ନାକେଇପଡ଼ିଆକୁ ସଂଯୋଗ କରୁଥିବା ଏହି ରାସ୍ତା ବାଦାମବାଡ଼ି ମୁଖ୍ୟରାସ୍ତାରୁ ଛତ୍ରବଜାରକୁ ଯାଇଥିବା ପ୍ରମୁଖ ରାସ୍ତା। ସାହି ଲୋକଙ୍କ ସମେତ ଛତ୍ରବଜାରକୁ ଯାଉଥିବା ହଜାର ହଜାର ଲୋକ ଏହାକୁ ବ୍ୟବହାର କରିଥାଆନ୍ତି। ଗତ ୬ମାସ ଭିତରେ ୪ମାସରୁ ଅଧିକ ସମୟ ଏହି ରାସ୍ତା ବନ୍ଦ ରହିବା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ହେଲେ, ଜାଇକା ଠିକାଦାର ଓ ଜାଇକା କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ।