ଜାଇକା ଯନ୍ତ୍ରଣାରୁ ମୁକ୍ତି କେବେ? ଯୁଗ ବିତିଲାଣି କାମ ସରୁନି, ତଥାପି ଅନିଶ୍ଚିତ

ବକ୍ସ ଡ୍ରେନ୍‌ କାମ ଆଗେଇ ପାରୁନି, ସହର ସାରା ଧକଡ଼ ଚକଡ଼ ରାସ୍ତା

କଟକ: କଟକରେ ଜାଇକା କାମ ହେଲେ ସ୍ବେରେଜ ବ୍ୟବସ୍ଥ‌ା ବ୍ୟବସ୍ଥିତ ହେବ। କଟକ ସହରର ରୂପ ବଦଳିବ, ସ୍ବଚ୍ଛ ହେବ, ସହରରେ ଆଉ ପାଣି ଜମି ରହିବନି। ନାଳ ନର୍ଦମା ସବୁ ଆଚ୍ଛାଦିତ ହେବ। ମୁଖ୍ୟନାଳରେ ବକ୍ସ ଡ୍ରେନ୍‌ କରାଯିବ, ବିଶୋଧନ ହୋଇ ଡ୍ରେନ୍‌ ପାଣି ସବୁ ନିଷ୍କାସିତ ହେବ; ଏଭଳି ଅନେକ ସ୍ବପ୍ନ ନେଇ କଟକରେ ଆରମ୍ଭ ହୋଇଥିଲା ଜାଇକା କାମ। ଜାପାନ-ଇଣ୍ଟରନାସନାଲ‌ କୋଅପରେସନ ଏଜେନ୍ସି , ଅର୍ଥାତ ଜାପାନ ସରକାରଙ୍କଠାରୁ ଋଣ ଆଣି ଜାପାନର ବୈଷୟିକ ଜ୍ଞାନକୌଶଳର ପ୍ରାୟୋଗ କରାଯାଇ କାମ ହେବାର ଯୋଜନା ହୋଇଥିଲା। ଏହା ଭିତରେ ଗୋଟିଏ ଯୁଗ(୧୨ ବର୍ଷ) ବିତିଗଲାଣି। ମାତ୍ର କଟକ ମହାନଗରରେ ଏ କାମ ସରିବା ନାଁ ଧରୁନି, ଦିନ ପରେ ଦିନ, ବ‌ର୍ଷ ପରେ ବର୍ଷ ଗଡୁଛି। ଜାଇକା ପାଇଁ ସହରବାସୀ ଦୀର୍ଘବର୍ଷ ଯନ୍ତ୍ରଣା ଭୋଗୁଥିଲେ ବି ସହରବାସୀଙ୍କ ଏ ଦୁଃଖ ଅଧିକାରୀଙ୍କୁ ଦିଶୁ ନାହିଁ। ଅନ୍ୟପକ୍ଷରେ ଜାଇକା କାମକୁ ନେଇ ବିଗତ ବର୍ଷମାନଙ୍କରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି।

ମାନ୍ୟବର ହାଇକୋର୍ଟ ଏହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ଷ୍ଟାଟସ୍‌ ରିପୋର୍ଟ ବି ମାଗିଛନ୍ତି, ଅଥଚ ଏହାର କିଛି ସୁଫଳ ମିଳି ନାହିଁ। ଗତାନୁଗତିକ ଧାରାରେ ଜାଇକା କାମ ଆଗେଇ ଚାଲିଛି। ଯୋଜନାର ଦାୟିତ୍ବ‌ରେ ରହିଥିବା ପ୍ରକଳ୍ପ ନିର୍ଦ୍ଦେଶକ ବାରମ୍ବାର ସତ୍ୟପାଠ ଦେଇଥିଲେ ବି ସେ ଅନୁସାରେ କାମ ହୋଇ ନାହିଁ। ଏଭଳି ସ୍ଥିତିରେ କଟକବାସୀ କିନ୍ତୁ ଯମଯନ୍ତ୍ରଣା ଭୋଗୁଛନ୍ତି। ଗତ ୧୨ବର୍ଷ ଭିତରେ ଜାଇକା କାମ ପାଇଁ ୬ଜଣଙ୍କ ପ୍ରାଣହାନୀ ଘଟିଛି। ସହର ସାରା ଖାଲଖମା ରହିଛି। ମନ ଇଛା ଖୋଳା ହେଉଛି, ପୋତା ବି ହେଉଛି। କାମ କେବେ ଆରମ୍ଭ ହେବ, କେବେ ସରିବ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ। ଅନେକ ସମୟ‌ରେ ମାସ ମାସ ଧରି ଲୋକଙ୍କୁ ଗୃହବନ୍ଦୀ ରହିବାକୁ ପଡୁଛି। ବକ୍ସ ଡ୍ରେନ୍‌ କାମ ୧୦ ପ୍ରତିଶତ ବି ହୋଇ ନାହିଁ। କାମ ସରିଥିବା ରାସ୍ତାର ମରାମତି କରାଯାଇ ନାହିଁ।

ପ୍ରକାଶ ଯେ, ୨୦୦୭ ଜାଇକା ପ୍ରକଳ୍ପ ପାଇଁ ଏମଓୟୁ ସ୍ବାକ୍ଷର ହୋଇଥିଲା। ଦୁଇ ମହାନଗର ପାଇଁ ମୋଟ ୨୯୭୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୫୯୪ କୋଟି ଟଙ୍କା ମଂଜୁର କରିଥିବା‌ବେଳେ ଜାପାନ ସରକାରଙ୍କ ପାଖରୁ ୨୩୮୦ କୋଟି ଟଙ୍କା ଋଣ ଆଣି କାମ ଆରମ୍ଭ ହୋଇଥିଲା। ତେବେ ସ୍ବାକ୍ଷର ହେବାର ୫ ବର୍ଷ ପରେ, ଅର୍ଥାତ ୨୦୧୨ରେ କାମ ଆରମ୍ଭ ହୋଇଥିଲା। ଓଡ଼ିଶା ଷ୍ଟେଟ ଇଣ୍ଟରନ୍ୟାସନାଲ ଇଣ୍ଟିଗ୍ରେଟେଡ ଇମ୍ପ୍ରୁଭମେଣ୍ଟ( ଓଏସ୍‌ଆଇପି) ଦ୍ବାରା ଏହି କାମ କରାଯାଇଥିଲା। ଯୋଜନାରେ କଟକ-ଭୁବନେଶ୍ବରରେ ମୋଟ ୬୩୨ କିମି ସ୍ବେରେଜ ନେଟୱାର୍କ କାମ ହେବାର ଯୋଜନା ଥିଲା। ସେଥିରୁ ୨୫୨ କିମି ଭୁବନେଶ୍ବର ସହର ପାଇଁ ଥିବାବେଳେ କଟକ ସହର ପାଇଁ ୩୮୦ କିମି ରହିଥିଲା।। ଏଥି ସହିତ ଦୁଇ ସହର ପାଇଁ ୩ଟି ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେବାର‌ ଯୋଜନ‌ା ଥିଲା। ‌ସେଥିରୁ କଟକରେ ଦୁଇଟି ହୋଇଥିଲା। ସେହିଭଳି ୫୬ଟି ପମ୍ପି ଷ୍ଟେସନ, ୭ଟି ସ୍ଲୁଇସ ଗେଟ ହେବାର ଥିଲା। ଏଥ ସହିତ କଟକର ଦୁଇ ମୁଖ୍ୟ ‌ଡ୍ରେନକୁ ବକ୍ସ ଡ୍ରେନ୍‌ କରାଯିବାର ଯୋଜନା ଥିଲା।

ହେଲେ, ୧୨ ବର୍ଷ ପରେ ଜାଇକା କାମର ବିକଳ ସ୍ଥିତି ଦେଖି କଟକବାସୀ ଚିନ୍ତା ପ୍ରକଟ କରିଲେଣି। ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଗତ ଅଗଷ୍ଟ ମାସରେ ଉଚ୍ଚ ନ୍ୟାୟାଳୟକୁ ଯେଉଁ ଷ୍ଟାଟସ ରିପୋର୍ଟ ଦେଇଥିଲେ ସେଥି‌ରେ ୩୫୬ ସ୍ବେରେଜ ଲାଇନ୍‌ରୁ ୨୯୩ କିମି ସ୍ବେରେଜ କାମ ସରିଥିବା କଥା ଉଲ୍ଲେଖ କରିଥିଲେ। ଅର୍ଥାତ ମୋଟ ୩୮୦ କିମିକୁ ଯଦି ଧରାଯାଏ ତେବେ ଆହୁରି ୮୭ କିମି ଦୀର୍ଘ ସ୍ବେରେଜ କାମ ବାକି ରହିଛି। ସେହିଭଳି ୩ହଜାର ୬୬ ମିଟର ବକ୍ସ ଡ୍ରେନ ପଟାପୋଲଠୁ ମାତୃଭବନ କାମର ୧୦ ପ୍ରତିଶତ ବି ସରି ନାହିଁ। କେବଳ ୪ ପମ୍ପି ଷ୍ଟେସନ୍‌ ସରିଛି। ଏବେ ବି ପାଖାପାଖି ୫୦ କିମି ରାସ୍ତା, ସ୍ବେରେଜ ସରିବା ପରେ ମରାମତି କରାଯାଇ ନାହିଁ। ଏପରିକି ଉଦଘାଟନ ହୋଇଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ ମଧ୍ୟ କାମରେ ଆସୁ ନାହିଁ। ଜାଇକା କାମରେ ବର୍ତ୍ତମାନର ସ୍ଥିତି ଯାହା, ଏହା କେବେ ସରିବ ସେ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ସରକାର ଏଥ‌ିରେ ହସ୍ତକ୍ଷେପ ନ କଲେ କଟକବାସୀ ଜାଇକା ପାଇଁ ଏମିତି ଯନ୍ତ୍ରଣା ଭୋଗୁଥିବେ, ଜୀବନ ହାନୀ ଘଟୁଥିବ ବୋଲି ମତ ପ୍ରକାଶ ପାଇଲାଣି। କୋର୍ଟଙ୍କୁ ମିଛ କହୁଥିବା ବିଭାଗୀୟ କର୍ତ୍ତୃପକ୍ଷ କାମ କେବେ ସରିବ, ଯେଉଁ ୱାର୍ଡ ବା ଗଳିରେ କାମ ହେଉଛି, ତାହା କେବେ ଆରମ୍ଭ ହେବ, କେବେ ସରିବ ସେ ସୂଚନାକୁ ସାର୍ବଜନୀନ କରିବା, ଖୋଳୁଥିବା ରାସ୍ତାକୁ କେତେଦିନ ଭିତରେ ମରାମତି କରିବେ ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ରଖିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର