କଟକ: ଖରା ବଢ଼ି ଚାଲିଥିବା ବେଳେ ମଙ୍ଗଳବାରଠୁ ସକାଳୁଆ ସ୍କୁଲ୍ ପାଇଁ ସରକାର ଘୋଷଣଶ କରିଛନ୍ତି। ହେଲେ, ଆଜି ପର୍ଯ୍ୟନ୍ତ କଟକ ଜିଲ୍ଲାରେ ଖୋଲିପାରିନି ଜଳଛତ୍ର। ଯଦିଓ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଅଂଶୁଘାତ ମୁକାବିଲା ବୈଠକରେ ନିଜ ଅଞ୍ଚଳର ସ୍ଥିତି ଦେଖଇ ବିଡିଓମାନେ ଜଳଯୋଗାଣ ଓ ଅନ୍ୟ ବ୍ୟବସ୍ଥାର ନିଷ୍ପତ୍ତି ନେବାକୁ କୁହାଯାଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ କଟକ ଜିଲ୍ଲାରେ ଜଳଛତ୍ର ଖୋଲିପାରିନି। ଏପଟେ, ଆରମ୍ଭରୁ ମେଗା ପାନୀୟଜଳ ପ୍ରକଳ୍ପର ସ୍ଥିତି ଉଦ୍ବେଗଜନକ ହେଲାଣି। ନରସିଂହପୁରର ଘୋରାଡ଼ିଆଠାରେ ପ୍ରକଳ୍ପର ପାଣି ଉତ୍ତୋଳନ ସ୍ଥଳରେ ବାଲି ମାଡ଼ି ଯାଇଥିବାରୁ ଆଜି ଏଲ୍ଆଣ୍ଡଟିର ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଓ ଆରଡବ୍ଲୁଏସ୍ଏସ୍ ବିଭାଗ ପକ୍ଷରୁ ସ୍ଥତି ଯାଂଚ କରାଯାଇଛି। ସୂଚନା ଅନୁସାରେ, କଟକ ଜିଲ୍ଲାର ୧୪ଟି ବ୍ଲକ୍, ଗୋଟିଏ ପୌରପାଳିକା ଓ ଦୁଇଟି ଏନ୍ଏସିରେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବିଡିଓ ଓ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ନିଜ ଅଞ୍ଚଳର ସ୍ଥିତିକୁ ଦେଖି ଟ୍ୟାଙ୍କର୍ ମାଧ୍ୟମରେ ପାଣି ଯୋଗାଣ ଓ ଜଳଛତ୍ର ଖୋଲିବା ପାଇଁ ଅନୁମତି ଦେବେ। ଏପରିକି ପଞ୍ଚାୟତ କର୍ତ୍ତୃପକ୍ଷ ମଧ୍ୟ ନିଜ ପକ୍ଷରୁ ଜଳଛତ୍ର ଖୋଲିପାରିବେ।
ସରକାର ‘ହିଟ୍ ୱେଭ୍’ ମୁକାବିଲା ପାଇଁ ୧୧ତାରିଖରୁ ସକାଳୁଆ ସ୍କୁଲ୍ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ କଟକରେ ଚାଲିଥିବା ସମସ୍ତ ମେଗା ପାନୀୟଜଳ ପ୍ରକଳ୍ପଗୁଡ଼ିକର କାମ ସରିପାରୁନି। ବଡମ୍ବା-ନରସିଂହପୁରରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପ ପ୍ରଥମରୁ ଧୋକା ଦେବା ଆରମ୍ଭ କଲାଣି। ବଡମ୍ବାର ଭଟ୍ଟାରିକା ପାଖରୁ ପାଣି ଉଠିଯାଉଥିବାବେଳେ ସେଥିରୁ କିଛି ଗାଁ ଲୋକ ନିୟମିତ ଭାବେ ପାଣି ପାଉଛନ୍ତି। ହେଲେ, ନରସିଂହପୁରର ଘୋରାଡିଆ ନିକଟରେ ଖେଳାଯାଇଥିବା ମେଗା ପ୍ରକଳ୍ପରେ ବାଲି ମାଡିଯାଇଥିବାରୁ ପାଣି ବାହାରିପାରୁନି। ଏନେଇ ଆଜି ଏଲ୍ଆଣ୍ଡଟିର ଉଚ୍ଚସ୍ତରୀୟ ଟିମ୍ ଓ ଆଠଗଡ଼ ଆରଡବ୍ଲୁଏସ୍ଏସ୍ ବିଭାଗ ମିଳିତ ଭାବେ ଘୋରାଡିଆରେ ପହଞ୍ଚି ଏହାର ମୁକାବିଲା ସଂପର୍କରେ ଯାଂଚ କରିଛନ୍ତି। ସୂଚନାଯୋଗ୍ୟ, ୨୧୭କୋଟିର ପ୍ରକଳ୍ପ ମାଧ୍ୟମରେ ବଡ଼ମ୍ବାର ୧୩୫ଟି ଗାଁ ଓ ନରସିଂହପୁରର ୨୦୫ଟି ଗାଁକୁ ମେଗା ପାନୀୟଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଇଥାନ୍ତା। କିନ୍ତୁ ୫ବର୍ଷ ହେଲା ପ୍ରକଳ୍ପ ସରିପାରୁନି କି ପାଣି ପାଇପାରୁ ନାହାନ୍ତି ଅଂଚଳବାସୀ। ଘୋରାଡିଆରେ ପାଣି ଉତ୍ତୋଳନ ସ୍ଥଳରେ ବାଲି ଏପରି ମାଡିଯାଇଛି ଯେ, ତାକୁ ସ୍ବାଭାବିକ କରିବା ନେଇ ଏଲ୍ଆଣ୍ଡଟିର ବୈଷୟିକ ଟିମ୍ ମଧ୍ୟ ଚିନ୍ତାରେ। ଅନ୍ୟପଟେ ଆଠଗଡ଼ ଆର୍ଡବ୍ଲୁଏସ୍ଏସ୍ ବିଭାଗ ପକ୍ଷରୁ କୁହାଯାଇଛି, ଗତବର୍ଷ ଘୋରାଡିଆରୁ ପାଣି ଠିକ୍ ଥିଲା ଓ ନରସିଂହପୁର ଅଂଚଳରେ ପରୀକ୍ଷଣ କରାଯାଇ ଅନେକ ଗାଁକୁ ପାଣି ଯାଇଥିଲା। ଏବେ କିନ୍ତୁ ବାଲି ମାଡିଯିବାରୁ ଆଦୌ ପାଣି ଆସି ପାରୁନି। ଖୁବ୍ ଶୀଘ୍ର ଏନେଇ ବିକଳ୍ପ ବ୍ୟବସ୍ଥା ଯୋଜନା କରାଯାଉଥିବା ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।