ନେମାଳ: ନାଚ ଶିଖାଇବା ଆଳରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯାତ୍ରାପାର୍ଟିର ନୃତ୍ୟ ଶିକ୍ଷକକୁ ଅଟକ ରଖିଛି। କଟକ ଜିଲ୍ଲାର ନେମାଳ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ପରିବାର ଲୋକେ ଅଭିଯୁକ୍ତ ରମାକାନ୍ତ ସିଂ (୧୯)ଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

publive-image

ସୂଚନା ଅନୁସାରେ ତପସ୍ପିନୀ ଗଣନାଟ୍ୟ କିଛି ଦିନ ହେବ ଝାଡେଶ୍ୱରପୁର ଗ୍ରାମରେ ନାଟକ ପରିବେଷଣ କରୁଛି। ଏହି ଯାତ୍ରାପାର୍ଟିରେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମଇତପୁର ଗ୍ରାମର ରାମ ସିଂହଙ୍କ ପୁଅ ରମାକାନ୍ତ ସିଂ ନୃତ୍ୟ ଶିକ୍ଷକ ଥିଲା। ସେ ଗୁରୁବାର ସନ୍ଧ୍ୟାରେ ଯାତ୍ରା ମଂଚ ନିକଟକୁ ବୁଲି ଆସିଥିବା ୭ ବର୍ଷର ଝିଅକୁ ନାଚ ଶିଖାଇବା ପାଇଁ ଏକ ନିର୍ଜନ ସ୍ଥାନକୁ ଡାକି ନେଇଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ଝିଅଟି ଚେତାଶୂନ୍ୟ ହୋଇଯାଇଥିଲା। ଏହା ପରେ ରାମ ସିଂ ସେଠାରୁ ଯାତ୍ରାପାର୍ଟିକୁ ଫେରିଯାଇଥିଲା।

କୌଣସି ପ୍ରକାରେ ନାବାଳିକା ଘରକୁ ଯାଇ ସବୁକଥା କହିବା ପରେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏସ୍‌ପିଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀକୁକୁର ଆଜି ଘଟଣାସ୍ଥଳକୁ ଯାଇଥିଲେ। ଅଭିଯୁକ୍ତ ଓ ନାବାଳିକାକୁ ମେଡିକାଲ ପରୀକ୍ଷା ପାଇଁ କଟକ ନିଆଯାଇଛି। ଘଟଣା ସଂପର୍କରେ ଯାତ୍ରା ମାଲିକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି।